ପରଗ୍ରହୀ ଜୀବ ସନ୍ଧାନ

ଡ. ନରେନ୍ଦ୍ର କୁମାର ସେଠୀ

ଆଗାମୀ ଦଶନ୍ଧିରେ ଆରମ୍ଭ ହେବାକୁ ଥିବା ସ୍ପେସ୍‌ ଇଣ୍ଟରଫେରୋମିଟର ମିଶନ (ସିମ୍‌) ମହାକାଶ ଗବେଷଣା କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବାକୁ ଯାଉଛି। ଏହି ସ୍ପେସ୍‌ ଇଣ୍ଟରଫେରୋମିଟର ବିଶ୍ୱର ସବୁଠୁ ଶକ୍ତିଶାଳୀ ଦୂରବୀକ୍ଷଣ ଯନ୍ତ୍ର, ଯାହା ଏକାଧିକ ଟେଲିସ୍କୋପକୁ ନେଇ ଗଠିତ। ଏହି ଯନ୍ତ୍ରର ଶକ୍ତି ଏତେ ଅଧିକ ଯେ ଏହା ବିଜ୍ଞାନର ସବୁ ଭୌତିକ ସୀମାକୁ ପାର କରି ସୁଦୂର ମହାକାଶରେ ଥିବା ଛୋଟ ଜିନିଷକୁ ଦୃଶ୍ୟମାନ କରିପାରିବ। ଏପରି କି ମଙ୍ଗଳ ଗ୍ରହରେ ଜଣେ ମହାକାଶଚାରୀ ଛିଡ଼ାହୋଇ ହାତ ହଲେଇଲେ ଆମେ ପୃଥିବୀ ଉପରେ ଛିଡ଼ା ହୋଇ ଏହି ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ତାକୁ ଦେଖିପାରିବା। ଏହି ବିଚକ୍ଷଣ ଯନ୍ତ୍ର କାର୍ଯ୍ୟକ୍ଷମ ହେଲା ପରେ ବୈଜ୍ଞାନିକମାନେ ଆଗାମୀ ଦଶନ୍ଧିରେ ଆରମ୍ଭ ହେବାକୁ ଥିବା ପୃଥିବୀ ପରି ଜୀବନ ଥିବା ଅନ୍ୟ ଗ୍ରହଗୁଡ଼ିକୁ ଖୋଜିବାରେ ସହାୟକ ହେବ। କୌଣସି ଗ୍ରହ ପଚାଶ ଆଲୋକ ବର୍ଷ ମଧ୍ୟରେ ଥିଲେ ଏହି ଯନ୍ତ୍ର ତାକୁ ଖୋଜି ବାହାର କରିଦେବ । ଏହା ଫଳରେ ଯଦି କୌଣସି ଗ୍ରହରେ ଜୀବନ ଥାଏ ବା କୌଣସି ସଭ୍ୟତା ଥାଏ ତାହା ସହଜରେ ଖୋଜି ହେବ ଓ ସେମାନେ ଆମଠୁ ଜ୍ଞାନକୌଶଳରେ କେତେ ଆଗରେ ଅଛନ୍ତି ତାହା ମଧ୍ୟ ଜାଣିହେବ। ଯଦିଓ ଏହିପରି ଉନ୍ନତ ସଭ୍ୟତାର ଠିକ୍‌ ବିବରଣୀର ପୂର୍ବାନୁମାନ କରିବା ଅସମ୍ଭବ, ପଦାର୍ଥ ବିଜ୍ଞାନର ନିୟମ ବ୍ୟବହାର କରି ସେମାନଙ୍କ ବିଷୟରେ ଠିକ୍‌ ବିଶ୍ଳେଷଣ କରାଯାଇପାରେ। ମଣିଷ ସଭ୍ୟତା ସେମାନଙ୍କଠାରୁ ଅଲଗା ଏବଂ ଆମଠୁ ଯେତେ ଆଧୁନିକ ଓ ଉନ୍ନତ ହେଲେ ମଧ୍ୟ ସେମାନେ ବିଜ୍ଞାନର ନିୟମରେ ବନ୍ଧା ହୋଇଥିବେ ନିଶ୍ଚୟ; ଯାହା ବର୍ତ୍ତମାନ ପରମାଣୁ କଣିକାଠାରୁ ଆରମ୍ଭକରି ବୃହତ୍‌ ବ୍ରହ୍ମାଣ୍ଡର ଗଠନ ପର୍ଯ୍ୟନ୍ତ ସବୁକିଛି ଜାଣିବା ପାଇଁ ଯଥେଷ୍ଟ ଉନ୍ନତ ହୋଇସାରିଛି। ଯଦି ସତରେ ଆଗାମୀ ଦଶନ୍ଧିରେ କୌଣସି ଉନ୍ନତ ସଭ୍ୟତାର ସନ୍ଧାନ ମିଳେ ତାହାଲେ ସେଠି ବାସ କରୁଥିବା ପ୍ରାଣୀମାନେ କେତେ ଉନ୍ନତ ହୋଇଥିବେ?
୧୯୬୪ରେ ସୋଭିଏଟ୍‌ ଜ୍ୟୋତିର୍ବିଜ୍ଞାନ ପତ୍ରିକାରେ ପ୍ରକାଶିତ ଏକ ସେମିନାର ସନ୍ଦର୍ଭରେ ରୁଷୀୟ ଜ୍ୟୋତିର୍ବିଜ୍ଞାନୀ ନିକୋଲାଇ କରଦାଶେଭ ବର୍ଣ୍ଣନା କରିଥିଲେ ଯେ, ଭବିଷ୍ୟତରେ ଅନ୍ୟ ଗ୍ରହର ଉନ୍ନତ ସଭ୍ୟତାଗୁଡ଼ିକୁ ସେମାନଙ୍କର ଦୈନିକ ଶକ୍ତିର ବ୍ୟବହାର ଆଧାରରେ ତିନୋଟି ପ୍ରକାର ଅନୁଯାୟୀ ଶ୍ରେଣୀଭୁକ୍ତ କରାଯାଇପାରେ। ଆବିଷ୍କୃତ ହେବାକୁ ଥିବା ସଭ୍ୟତା ହୁଏତ ଏତେ ଆଧୁନିକ ହୋଇ ନ ପାରେ, ଯାହା ଆମେ ଭାବୁଛେ। ହୁଏତ ଏହା ଅତ୍ୟନ୍ତ ଉନ୍ନତ ଓ ଆଧୁନିକ ଜ୍ଞାନକୌଶଳରେ ଆମଠୁ ଅଧିକ ଆଗୁଆ ମଧ୍ୟ ହୋଇପାରେ। ମନେରଖିବାକୁ ହେବ ଯେ ଆଜିର ବିଜ୍ଞାନ ଜ୍ଞାନକୌଶଳ ମାତ୍ର ତିନି ଶହ ବର୍ଷ ପୁରୁଣା ଓ ଏବଂ ତା’ ପୂର୍ବରୁ ଆମେ ଅନ୍ଧବିଶ୍ୱାସ ଓ ଜଡ଼ପୂର୍ଣ୍ଣ ସାମାଜିକ ପ୍ରାଣୀ ଥିଲେ। ଅର୍ଥାତ୍‌ ଏହି ତିନି ଶହ ବର୍ଷ ଭିତରେ ଆମେ ଉନ୍ନତି କରି ଏହି ଅବସ୍ଥାରେ ପହଞ୍ଚିିଛୁ ଓ ନିଜକୁ ଉନ୍ନତ ସଭ୍ୟତା ବୋଲି ମନେ କରୁଛୁ। ଉଲ୍ଲେଖଯୋଗ୍ୟ ଯେ, ସୂର୍ଯ୍ୟର ପ୍ରାୟ ଏକ ଶହ କୋଟି ଭାଗରୁ ପୃଥିବୀ ମାତ୍ର ଏକ ଭାଗ ଶକ୍ତି ଗ୍ରହଣ କରେ ଏବଂ ମଣିଷ ତା’ର ଦଶ ଲକ୍ଷ ଭାଗରୁ ଏକ ଭାଗ ବ୍ୟବହାର କରେ। ତେଣୁ ଆମେ ସୂର୍ଯ୍ୟଙ୍କ ସମୁଦାୟ ଶକ୍ତିର ପ୍ରାୟ ଅଣୁ ମାତ୍ର ବ୍ୟବହାର କରୁ। ବର୍ତ୍ତମାନ ଆମର ସମଗ୍ର ପୃଥିବୀରେ ମାନବ ସଭ୍ୟତାର ଶକ୍ତି ଉତ୍ପାଦନ ହେଉଛି ପ୍ରତି ସେକେଣ୍ଡରେ ପ୍ରାୟ ଏକ ଲକ୍ଷ କୋଟି ଏର୍ଗସ। କିନ୍ତୁ ମଣିଷର ଶକ୍ତି ଉତ୍ପାଦନ କ୍ଷମତା ବଢ଼ିବାରେ ଲାଗିଛି ଓ ଆଗାମୀ ୨୦୦ ବର୍ଷ ଭିତରେ ମଣିଷ ଏତେ ଶକ୍ତିଶାଳୀ ହୋଇଯିବ ଯେ ଜ୍ଞାନକୌଶଳ ବ୍ୟବହାର କରି ଆରାମରେ ଅନ୍ୟ ଗ୍ରହ ସହିତ ଯୋଗାଯୋଗ କରିବାରେ ସକ୍ଷମ ହୋଇଯିବ ଏବଂ ନିଜ ଇଚ୍ଛାରେ ପାଣିପାଗ ପରିବର୍ତ୍ତନ କରିପାରିବ। ଅର୍ଥାତ୍‌୍‌ ସେତେବେଳକୁ ମଣିଷ ଆଗୁଆ ସନ୍ଧାନ କରି ଭୂମିକମ୍ପ, ବାତ୍ୟା ଓ ଅନ୍ୟାନ୍ୟ ପ୍ରାକୃତିକ ଦୁର୍ବିପାକକୁ ଅଟକେଇପାରିବ। ଖାଲି ସେତିକି ନୁହେଁ, ଆଗାମୀ ୬,୦୦୦ ବର୍ଷ ପରେ ମଣିଷ ଏତେ ଉନ୍ନତି କରି ସାରିଥିବ ଯେ ପୃଥିବୀ ଚାରିପାଖରେ ଏକ ଆବରଣ ନିର୍ମାଣ କରି ସୌରଶକ୍ତିକୁ ଅପଚୟ ହେବାକୁ ଦେବନି। ବୋଧହୁଏ ୬,୦୦୦ ବର୍ଷ ପରେ ଜ୍ଞାନକୌଶଳରେ ସମ୍ପନ୍ନ ସଭ୍ୟତା ପାଇଁ ଏକମାତ୍ର ଗୁରୁତର ବିପଦ ହେଉଛି ନିକଟସ୍ଥ ଆକାଶଗଙ୍ଗାରେ ସୁପରନୋଭା ବିସ୍ଫୋରଣ। ଯଦି ଏପରି କିଛି ହୁଏ ବିସ୍ଫୋରଣ ପରେ ହଠାତ ଉଦ୍‌ଗିରଣ ହେବାକୁ ଥିବା ଶକ୍ତିଶାଳୀ ଏକ୍ସ-ରେ ସମସ୍ତ ଜୀବଜନ୍ତୁଙ୍କୁ ହତ୍ୟା କରିପାରେ। କିନ୍ତୁ ହୁଏତ ମଣିଷ ସେତେବେଳକୁ ଏପରି ବିପଦରୁ ନିଜ ସଭ୍ୟତାକୁ ଏଡ଼େଇବା ପାଇଁ ଅନ୍ୟ ଏକ ଗ୍ରହ ଖୋଜି ବିକଳ୍ପ ସନ୍ଧାନ କରିସାରିଥିବ। ତେବେ ଏ ସବୁ ବୈଜ୍ଞାନିକ ଆକଳନ ମଣିଷର ଆଜିଠୁ ଛଅ ହଜାର ବର୍ଷ ପରେ ହେବାକୁ ଥିବା ବିଜ୍ଞାନର ଚରମ ସୀମାରେ ପହଞ୍ଚିବାର ସମ୍ଭାବନା ମାତ୍ର। କିନ୍ତୁ ଯଦି ଆମେ ଏ ବ୍ରହ୍ମାଣ୍ଡରେ ଏକୁଟିଆ ନାହୁଁ ଓ ଆଉ କିଛି ସଭ୍ୟତା ଅଛନ୍ତି ବୋଲି ପ୍ରମାଣ ମିଳେ ତାହାଲେ ପରିସ୍ଥିତି ରୋଚକପୂର୍ଣ୍ଣ ହୋଇଯିବ।
ୟୁରୋପରେ ଅନେକ ଦେଶର ଲୋକ ଅଜ୍ଞାତ ଉଡୁଥିବା ବସ୍ତୁକୁ ଦେଖିଥିବାର ଦାବି କରନ୍ତି। ଏପରି କି ନାସା ଏ ବିଷୟରେ ଅନେକ ଗୋପନୀୟ ଗବେଷଣା ଜାରି ରଖିଛି। ବୈଜ୍ଞାନିକମାନେ ଜୀବନର ସନ୍ଧାନ ପାଇଁ ବିଦ୍ୟୁତ ଚୁମ୍ବକୀୟ ତରଙ୍ଗର ସିଗ୍‌ନାଲ ମହାକାଶକୁ ପଠେଇବାରେ ଲାଗି ପଡ଼ିଛନ୍ତି। ତେବେ ଏହା କରିବା କେତେଦୂର ଉଚିତ ? ଯଦି ପ୍ରକୃତରେ ଆଲିଏନ ବା ପରଗ୍ରହୀ ଜୀବ ଅଛନ୍ତି ସେମାନେ ନିଶ୍ଚୟ ମଣିଷ ଠାରୁ ଅଧିକ ବୁଦ୍ଧିମାନ ଓ ଜ୍ଞାନ କୌଶଳରେ ଲକ୍ଷ ଲକ୍ଷ ବର୍ଷ ଆଗୁଆ ହୋଇଥିବେ। ଆଗରୁ କୁହାଯାଇଛି ଯେ, ଆଜିର ମଣିଷର ବିଜ୍ଞାନ ଇତିହାସ ମାତ୍ର ତିନିଶହ ବର୍ଷ ପୁରୁଣା ଅର୍ଥାତ୍‌ ଯଦି କେହି ପରଗ୍ରହୀ ଜୀବ ଉଡ଼ନ୍ତା ଥାଳିଆରେ ପୃଥିବୀ ଉପରକୁ ଆସୁଥାନ୍ତି ତାହାର କାରଣ କ’ଣ ହୋଇପାରେ ? ମଣିଷଠାରୁ ଲକ୍ଷ ଲକ୍ଷ ବର୍ଷ ଜ୍ଞାନକୌଶଳରେ ଉନ୍ନତ ସଭ୍ୟତା ପାଇଁ ପୃଥିବୀପୃଷ୍ଠର ମୂଲ୍ୟବାନ ସୁନା, ରୁପା ଓ ଖଣିଜ ପଦାର୍ଥ ଅଦରକାରୀ ଓ ମୂଲ୍ୟହୀନ ବସ୍ତୁ ଛଡ଼ା ଆଉ କିଛି ହୋଇ ନ ପାରେ। ତାହାଲେ ସେମାନେ ପୃଥିବୀ ପୃଷ୍ଠକୁ ଉଡ଼ନ୍ତା ଥାଳିଆରେ ମଣିଷକୁ ନିଜର ଦାସ ରୂପେ ବ୍ୟବହାର କରିବାର ସୁଯୋଗ ଖୋଜୁ ନାହାନ୍ତି ତ ? ନ ହେଲେ ହୁଏତ ପୃଥିବୀକୁ ଅଧିକାର କରି ସବୁ ଜୀବଜନ୍ତୁଙ୍କୁ ମାରି ନିଜେ ରହିବା ପାଇଁ ବିକଳ୍ପ ବାସସ୍ଥାନର ସନ୍ଧାନ କରୁନାହାନ୍ତି ତ ? କିଛି ବି ହୋଇପାରେ। ଯେହେତୁ ମଣିଷ ଓ ପରଗ୍ରହୀ ଜୀବମାନଙ୍କର ଶରୀର ଜୈବିକଗଠନ ଭିନ୍ନ ସେମାନେ ମଣିଷକୁ ଖାଇବେ ନାହିଁ। ତେଣୁ ସବୁଠୁ ବଡ଼ ସମ୍ଭାବନା ହେଲା ସେମାନେ ଆମକୁ ଅଦରକାରୀ ମୂଲ୍ୟହୀନ ଓ କାମରେ ଆସୁ ନ ଥିବା ଜୀବ ମନେକରି ଆମ ବାଟରେ ଛାଡ଼ି ଦେବେ। ବୋଧହୁଏ ସେମାନେ ପୃଥିବୀ ଓ ଏହାର ଅଧିବାସୀମାନଙ୍କୁ ଏପର୍ଯ୍ୟନ୍ତ ନିରୀକ୍ଷଣ କରିବା ପରେ କିଛି କାମରେ ଆସିବା ଭଳି ଜିନିଷ ପାଇନାହାନ୍ତି। କିନ୍ତୁ ମଣିଷ ଯଦି ନିଜେ ନିଜର ବିଜ୍ଞାପନ ଦେଇ ପରଗ୍ରହୀ ଜୀବର ସନ୍ଧାନରେ ଲାଗିପଡ଼େ ଓ ପରଗ୍ରହୀ ଜୀବମାନେ ପୃଥିବୀର କୌଣସି ଏକ ଜିନିଷରେ ନିଜର ଆଗ୍ରହ ଦେଖିବେ ସେଦିନ ହୁଏତ ମଣିଷ ସଭ୍ୟତା ସଙ୍କଟରେ ପଡ଼ିପାରେ। ତେଣୁ ବୋଷ୍ଟନ ବିଶ୍ୱବିଦ୍ୟାଳୟର ବିଖ୍ୟାତ ସିଦ୍ଧାନ୍ତିକ ପଦାର୍ଥ ବିଜ୍ଞାନୀ ମିଚିଓ କାକୁଙ୍କ ମତରେ ମହାକାଶରେ ଜୀବନ ସନ୍ଧାନ ପାଇଁ ଜାଣିଶୁଣି ବିଦ୍ୟୁତ୍‌ ଚୁମ୍ବକୀୟ ତରଙ୍ଗ ପ୍ରେରଣ କରିବା ବୁଦ୍ଧିମାନର କାମ ନୁହେଁ। କିନ୍ତୁ ଦିନ ଆସିବ ମଣିଷ ଲୋକପ୍ରିୟ ହଲିଉଡ୍‌ ଚଳଚ୍ଚିତ୍ର ଷ୍ଟାର୍‌ ୱାର୍‌ ପରି ଆକାଶଗଙ୍ଗା ବାହାରେ ଶହ ଶହ ପୃଥିବୀ ପରି ଗ୍ରହର ସଂଯୋଜନାକୁ ପରୀକ୍ଷା କରିବା ସଙ୍ଗେ ସଙ୍ଗେ ଆମଠାରୁ ଏକ ଲକ୍ଷ ବର୍ଷ ଆଗରେ ଏକ ସଭ୍ୟତା କିପରି ଦେଖାଯିବ ତା’ର କଳ୍ପନା କରିବ ଏଥିରେ ସନ୍ଦେହ ନାହିଁ I
ମୋ: ୭୦୦୪୦୬୮୧୧୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚେନ୍ନାଇ ପେରୁଙ୍ଗୁଡ଼ିର ସିରାଜ ଖାନ୍‌ ଜଣେ ଶିକ୍ଷୟିତ୍ରୀ। ସେ ତାଙ୍କ କର୍ମମୟ ଜୀବନରୁ ସମୟ ବଞ୍ଚାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି। ଏହା କୌଣସି ସରକାରୀ ସହଯୋଗରେ…

ଆଧ୍ୟାତ୍ମିକ ପଥେ

ଏବେ ଚାରିଆଡେ ଆଲୋଚନା ହେଉଛି ଯେ, ଆମ ଯୁବଶକ୍ତି ଭୁଲ ଦିଗର ପଥଯାତ୍ରୀ ହେଉଛନ୍ତି, ସ୍ବାଧୀନତା ନଁାରେ ସ୍ବେଚ୍ଛାଚାରିତା ଏବଂ ଅତ୍ୟାଧୁନିକତାକୁ ଆପଣେଇ ନେଉଛନ୍ତି। ଏହି ପରିପ୍ରେକ୍ଷିରେ…

ବ୍ୟକ୍ତିଗତ ସ୍ବାଧୀନତା ଓ ପୋଲିସ କ୍ଷମତା

ଗୋଟିଏ ଗଣତାନ୍ତ୍ରିକ ଏବଂ ଆଇନ ଅନୁଶାସିତ ରାଷ୍ଟ୍ରରେ ପୋଲିସ ବ୍ୟବସ୍ଥା ହେଉଛି ସମାଜର ସୁରକ୍ଷା ଓ ଶୃଙ୍ଖଳାର ମେରୁଦଣ୍ଡ। ଅପରାଧମୁକ୍ତ ସମାଜ ଗଠନ ଏବଂ ସାଧାରଣ ନାଗରିକଙ୍କ…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

ଏଇ ଭାରତରେ

ଟ୍ରେନ୍‌ରେ ଏକ ଭ୍ରାମ୍ୟମାଣ ହସ୍ପିଟାଲ ବିଭିନ୍ନ ଷ୍ଟେଶନକୁ ଯାଇ ରୋଗୀଙ୍କ ଚିକିତ୍ସା କରୁଛି। ଏହା ମହାରାଷ୍ଟ୍ରର ଭୁଶାଓ୍ବାଲ ରେଲଓ୍ବେ ଡିଭିଜନର ଚେଷ୍ଟା ଯୋଗୁ ସମ୍ଭବ ହୋଇଛି। ଜାନୁଆରୀ…

ଆଚରଣ-ଉଚ୍ଚାରଣରେ ପ୍ରଭେଦ

ମାନବ ସଭ୍ୟତା ଓ ସଂସ୍କୃତିର ମୂଳଦୁଆ ହେଉଛି ନୈତିକତା, ସହନଶୀଳତା ଏବଂ ସଦ୍‌ଭାବନା। ଏକ ସୁସ୍ଥ ସମାଜ ଗଠନ ପାଇଁ ମଣିଷର କଥା ଓ କାର୍ଯ୍ୟ ମଧ୍ୟରେ…

ଦୋଷ କୁମ୍ଭାରର ନା ମାଟିର

ହଁ ହଁ ସମୁଦୀ। ଇଏ ମୋ ପୁଅ। ଏକୋଇର ବଳା ବିଶିକେଶନ। ଜନମରୁ ଗେହ୍ଲା। ଅଧିକ ସ୍ନେହ ଦେଇ ବଢ଼େଇଛି। ଦିନେ ବି ମୋ ଗାଉଁଲି ଗାଁକୁ…

ଜନସାଂଖ୍ୟିକ ପରିବର୍ତ୍ତନ ଓ ଅର୍ଥନୀତି

ହ୍ରାସ ପାଉଥିବା ଜନ୍ମହାର ଏବଂ ବୃଦ୍ଧି ପାଉଥିବା ଆୟୁଷ ଜନସାଂଖି୍ୟକ ପରିବର୍ତ୍ତନକୁ ସୂଚିତ କରିଛି। ବିଶ୍ୱସ୍ତରରେ ଗତ ଶତାବ୍ଦୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri