ପ୍ରତିଧ୍ୱନି

ଗୁରୁକୁଳରେ ଅଧ୍ୟୟନରତ ରାଜପୁତ୍ର ଥରେ ଗୁରୁଙ୍କ ସହ କୌଣସି ସ୍ଥାନକୁ ଉଚ୍ଚ ପାର୍ବତ୍ୟ ରାସ୍ତାରେ ଯାଉଥିବା ବେଳେ ତାଙ୍କ ଗୋଡ଼ରେ କଣ୍ଟାଟିଏ ଫୁଟିଗଲା। ଯନ୍ତ୍ରଣାରେ ‘ଓଃ’ ବୋଲି ତାଙ୍କ ପାଟିରୁ ବାହାରି ଆସିବାରୁ ପର୍ବତ କନ୍ଦରରୁ ସେହି (ଓଃ) ଶବ୍ଦ ପ୍ରତିଧ୍ୱନିତ ହେଲା। କ୍ରୋଧରେ ରାଜପୁତ୍ର କହିଲେ, ‘ତୁମେ କିଏ? ମୋତେ କ’ଣ ଥଟ୍ଟା କରୁଛ?’ ଉତ୍ତର ବି ସେଇଆ ଆସିଲା। ରାଜପୁତ୍ର ଆହୁରି ଉତ୍ତେଜିତ ସ୍ବରରେ କହିଲେ,‘ତୁମେ କ’ଣ ଜାଣିନାହଁ ମୁଁ ଏ ରାଜ୍ୟର ଯୁବରାଜ?’ ପୁଣି ମଧ୍ୟ ସେହିଭଳି ଉତ୍ତର ଆସିଲା। ସେ ଯେତେ ବାକ୍ୟ ପ୍ରୟୋଗ କଲେ ବି ସେହି ଏକାପ୍ରକାର ଉତ୍ତର ଆସିଲା। ଏଥିରେ ବ୍ୟସ୍ତ ହୋଇ ସେ ଏ ବିଷୟ ତାଙ୍କ ଗୁରୁଙ୍କ ଦୃଷ୍ଟିକୁ ଆଣିବାରୁ ଗୁରୁଦେବ କହିଲେ, ”ବତ୍ସ! ଏହା କୌଣସି ବ୍ୟକ୍ତିବିଶେଷଙ୍କ ଉପହାସ ନୁହେଁ, ତୁମ ପ୍ରତ୍ୟେକ ଶବ୍ଦ ଓ ବାକ୍ୟର ହିଁ ଅବିକଳ ପ୍ରତିଧ୍ୱନି ବା ପ୍ରତିକ୍ରିୟା।“ ଏହା ନିଶ୍ଚିତ ଯେ ପ୍ରତ୍ୟେକ କ୍ରିୟାର ଗୋଟିଏ ପ୍ରତିକ୍ରିୟା ରହିଛି। ପୁଣି ସେହି ପ୍ରତିକ୍ରିୟାଟି ମୂଳକ୍ରିୟାର ସମରୂପ ତଥା ସମତୁଲ୍ୟ। ପ୍ରତ୍ୟେକ ଚିନ୍ତା, କାମନା, କଳ୍ପନା ଓ ଭାବପ୍ରବଣତାର ପ୍ରତିକ୍ରିୟା ରହିଛି।
ସଦ୍‌ଗୁଣ ପୁରସ୍କୃତ ହୁଏ, ଦୁର୍ଗୁଣ ଦଣ୍ଡିତ ହୁଏ। ଏହା ହିଁ କ୍ରିୟା ପ୍ରତିକ୍ରିୟା ନିୟମର କାର୍ଯ୍ୟକାରିଣୀ ପଦ୍ଧତି। ଯେଉଁ ଶବ୍ଦଟି ଆମଠାରୁ ବାହାରିଯାଉଛି, ତାହା ହେଉଛି କ୍ରିୟା, ଧ୍ୱନି ବା କର୍ମ। ସେହି ଧ୍ୱନି ସଂସାରରୂପୀ ପର୍ବତ କନ୍ଦରରେ ପ୍ରତିଧ୍ୱନିତ ହୋଇ ଫେରିଆସିବା ହେଲା ପ୍ରତିକ୍ରିୟା, ପ୍ରତିଧ୍ୱନି ବା କର୍ମଫଳ। ମନ, ବଚନ ଓ କର୍ମରେ ଆମର କ୍ରିୟା(ଧ୍ୱନି) ଯେପରି ହେବ, ତା’ର ପ୍ରତିକ୍ରିୟା (ପ୍ରତିଧ୍ୱନି) ମଧ୍ୟ ଠିକ୍‌ ସେହିପରି ହେବ। ଆମର ମନ ଚିନ୍ତନର ଏକ ଟାୱାର ଭଳି। ସେଠାରୁ ଯେଉଁଭଳି ଚିନ୍ତନ ଚତର୍ଦ୍ଦିଗରେ ତରଙ୍ଗାୟିତ ହେବ, ସଂସାରର ସେହିଭଳି ଚିନ୍ତନ ସମୂହ ତା’ ନିକଟକୁ ଫେରିବ। ଯଦି ବ୍ୟକ୍ତିଙ୍କ ଚିନ୍ତନ (ମନ, ବଚନ ଓ କର୍ମ) ସର୍ବଦା ସକାରାତ୍ମକ ହେଉଥାଏ, ତେବେ ସଂସାରର ସମସ୍ତ ସକାରାତ୍ମକ ଚିନ୍ତନ ଏବଂ ନକାରାତ୍ମକ ହେଉଥିଲେ ନକାରାତ୍ମକ ଚିନ୍ତନ ହିଁ ଫେରିବ। ସକାରାତ୍ମକ ବ୍ୟକ୍ତିଙ୍କୁ ନକାରାତ୍ମକ ଚିନ୍ତନ କୌଣସି ଆଘାତ କରିପାରେ ନାହିଁ। ବରଂ ନକାରାତ୍ମକ ବ୍ୟକ୍ତିଙ୍କ ପ୍ରତି ସକାରାତ୍ମକ ଚିନ୍ତନ (ଶୁଭଭାବନା ଓ ଶୁଭକାମନା)ର ପ୍ରୟୋଗ ଫଳବତୀ ହୁଏ। ଆମେ ଯାହା ଦେଖୁଛେ, ତାହା ଆମ ହୃଦୟର ପ୍ରତିଛବି। ଯାହା ଶୁଣୁଛେ, ତାହା ଆମ ଅନ୍ତରର ପ୍ରତିଧ୍ୱନି। ଏହି ଜଗତ ଜଣଙ୍କ ପାଖରେ ମଧୁମୟ ଓ ଅନ୍ୟଜଣଙ୍କ ନିକଟରେ ବିଷମୟ ବୋଧହୁଏ କାହିଁକି? ତା’ର କାରଣ, ଯିଏ ଯେପରି ଚିନ୍ତା କରନ୍ତି, ବାକ୍ୟ ପ୍ରୟୋଗ କରନ୍ତି ଓ କର୍ମ କରନ୍ତି, ସେ’ ସେପରି ଫଳପାଆନ୍ତି। ଆମ ମୁଖର ଆକୃତି ଯେପରି ହେବ, ଦର୍ପଣରେ ସେପରି ପ୍ରତିଛବି ଦେଖାଯିବ। ଆମେ ଯେପରି କଥା କହିବା, ସେପରି ପ୍ରତିଧ୍ୱନି ହିଁ ଶୁଣିବା।
କାର୍ଯ୍ୟ ଓ କାରଣର ନିୟମ ଅନମନୀୟ ଓ ନିର୍ଦ୍ଦୟ। ଆମେ ବର୍ତ୍ତମାନ ଯନ୍ତ୍ରଣା, ଦାରିଦ୍ର୍ୟ, ବ୍ୟଥା ଓ ଦୁଃଖ ଅନୁଭବ କରୁଛୁ। କାରଣ ଆମେ ଅତୀତରେ ମନ୍ଦର ମଞ୍ଜି ବୁଣିଥିଲୁ। ଯିଏ ଅତୀତରେ ଭଲର ମଞ୍ଜି ବୁଣିଥିଲେ, ସିଏ ଆଜି ତାହାର ଫଳସ୍ବରୂପ ପ୍ରାଚୁର୍ଯ୍ୟ ଓ ଆନନ୍ଦ ଉପଭୋଗ କରୁଛନ୍ତି। ଏହି ନିୟମକୁ ବୁଝିବାକୁ ଚେଷ୍ଟାକଲେ ଆମେ କେବଳ ଭଲର ମଞ୍ଜି ବୁଣିବାକୁ ଆରମ୍ଭ କରିବା। ଶୁଦ୍ଧ, ଉନ୍ନତ ଓ ଦିବ୍ୟଚିନ୍ତାକୁ ସ୍ବାଗତ କରିବା। ସର୍ବଦା ଭଲକାମ କରିବା। ମନ୍ଦ ଆମ ମନ ଭିତରେ ପଶିପାରିବ ନାହିଁ। ତେଣୁ ସଂସାରକୁ ସୁଖମୟ କରିବା ପାଇଁ ହେଲେ ଏହାର ସବୁବସ୍ତୁକୁ ଭଲ କରିବାକୁ ଚେଷ୍ଟାକରିବା। ଏହା ପୂର୍ବରୁ ପ୍ରଥମେ ନିଜ ଅନ୍ତରକୁ ଶୁଦ୍ଧ ଓ ଦେବ ଭାବାପନ୍ନ କରିବାକୁ ହେବ। ନୈତିକତାକୁ ତ୍ୟାଗ କରିବା ନାହିଁ କିମ୍ବା ସଦ୍‌ଗୁଣରୁ ଦୂରେଇ ଯିବାନାହିଁ। ପରିଶେଷରେ ଆମକୁ ପରମାନନ୍ଦ ଓ ସମ୍ପୂର୍ଣ୍ଣ ସଫଳତା ପ୍ରାପ୍ତହେବ।
ଆମ ଅନ୍ତରର ବିଚାର ଆମକୁ ବାହ୍ୟକର୍ମ କରିବାକୁ ପ୍ରେରିତ କରେ। ବାରମ୍ବାର କରାଯାଉଥିବା କର୍ମ ଅଭ୍ୟାସରେ ପରିଣତ ହୋଇଯାଏ ଏବଂ ସେହି ଅଭ୍ୟାସ ହିଁ ଆମ ସ୍ବଭାବର ଅଭିନ୍ନଗୁଣ ହୋଇଯାଏ। ସେହି ସ୍ବଭାବ ଆମର ଚରିତ୍ର ନିର୍ମାଣ କରେ। ଆମ ଭବିଷ୍ୟତ ଓ ଭାଗ୍ୟ ସେହି ଚରିତ୍ରର ହିଁ ପ୍ରତ୍ୟକ୍ଷ ପରିଣାମ। ଆମ ଅନ୍ତରର ଚିନ୍ତାଧାରା ବା ଧ୍ୱନି ହେଉଛି ଆମ ଅନ୍ତିମ ପରିଣତି ବା ପ୍ରତିଧ୍ୱନିର ବୀଜ ସ୍ବରୂପ। ସତ୍‌ଭାବନା ଓ ମହତ୍‌ ଚିନ୍ତା ପୋଷଣ କଲେ ଆମେ ଜଣେ ମହାନ୍‌ ମନୁଷ୍ୟରେ ପରିଣତ ହୋଇ ଶ୍ରେଷ୍ଠତ୍ୱ ଅର୍ଜନ କରିବା ଏବଂ ଜୀବନ ସାଫଲ୍ୟମଣ୍ଡିତ ହୋଇଯିବ। ଜୀବନର ଅନ୍ୟ ସବୁକିଛିଠାରୁ ଅଧିକ ମୂଲ୍ୟବାନ ବସ୍ତୁଟି ହେଉଛି ସଦ୍‌ଗୁଣର ବିକାଶ। ସଦ୍‌ଗୁଣ ହିଁ ପରମାନନ୍ଦ ଲାଭର ସ୍ରୋତ।
ମୋ: ୯୨୩୮୬୧୫୪୭୮


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri