Categories: ଖେଳ

ଇଣ୍ଡିଆନ ସୁପର ଲିଗ୍‌ ଖେଳିବ ଇଷ୍ଟବେଙ୍ଗଲ

ମୁମ୍ବାଇ, ୨୮ା୯ (ପି.ଟି.)- ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ପ୍ରବେଶ କରିଛି ଦେଶର ଅନ୍ୟତମ ପୁରାତନ ଫୁଟ୍‌ବଲ କ୍ଲବ ଇଷ୍ଟବେଙ୍ଗଲ। ୨୦୨୦ ସିଜନରୁ ଦଳ ଏହି ବ୍ୟୟବହୁଳ ଟୁର୍ନାମେଣ୍ଟରେ ଭାଗ ନେବ। ଫୁଟ୍‌ବଲ ସ୍ପୋଟର୍‌ସ ଡେଭଲପମେଣ୍ଟ ଲିମିଟେଡ୍‌ (ଏଫ୍‌ଏସ୍‌ଡିଏଲ୍‌) ଅଧ୍ୟକ୍ଷା ନୀତା ଅମ୍ବାନୀ ଏହା ଘୋଷଣା କରିଛନ୍ତି। ସେ ଆଇଏସ୍‌ଏଲ୍‌ରେ ଇଷ୍ଟବେଙ୍ଗଲ ଏଫ୍‌ସିର ପ୍ରବେଶକୁ ସ୍ବାଗତ କରିଥିବାବେଳେ ଦେଶରେ ଏହି କ୍ଲବର ରହିଥିବା ଲକ୍ଷ ଲକ୍ଷ ସମର୍ଥକଙ୍କ ପାଇଁ ଏହା ଏକ ଖୁସିର ଖବର ବୋଲି ସେ କହିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ହସ୍ତକ୍ଷେପ ଦ୍ୱାରା ଏହା ସମ୍ଭବ ହୋଇପାରିଛି। ଇଷ୍ଟବେଙ୍ଗଲର ଇଣ୍ଡିଆନ ସୁପର ଲିଗ୍‌ର ୧୧ତମ ଦଳ ଭାବେ ତାଲିକାଭୁକ୍ତ ହୋଇଛି। ପୂର୍ବରୁ ମୋହନ ବାଗାନ ଆଇଏସ୍‌ଏଲ୍‌ରେ ଯୋଗ ଦେଇ ସାରିଥିଲା। ଅବଶ୍ୟ ଟୁର୍ନାମେଣ୍ଟର ୩ ଥର ଚାମ୍ପିୟନ ଏଟିକେ ସହ ଏହାର ମିଶ୍ରଣ ଘଟିବା ପରେ ଯାଇ ସମ୍ଭବ ହୋଇଥିଲା। ଚଳିତ ବର୍ଷ ଆଇଏସ୍‌ଏଲ୍‌ ନଭେମ୍ବରରୁ ଆରମ୍ଭ ହେବ। ଏଫ୍‌ଏସ୍‌ଡିଏଲ୍‌ ଖୁବ୍‌ଶୀଘ୍ର ଏହାର କାର୍ଯ୍ୟସୂଚୀ ଘୋଷଣା କରିବ। କୋଭିଡ୍‌-୧୯ ମହାମାରୀ ଯୋଗୁ ଦୀର୍ଘ ୩ ମାସ ଧରି ହେବାକୁ ଥିବା ଏହି ଟୁର୍ନାମେଣ୍ଟ ଗୋଆର ୩ଟି ଭେନ୍ୟୁରେ ନଭେମ୍ବର ମଧ୍ୟଭାଗରୁ ଖେଳାଯିବ। ଦେଶର ଦୁଇ ପୁରାତନ କ୍ଲବକୁ ସାମିଲ କରାଯିବା ଦ୍ୱାରା କେବଳ ଭାରତୀୟ ଫୁଟ୍‌ବଲ ନୁହେଁ ବିଶେଷ କରି ରାଜ୍ୟର ପ୍ରତିଭା ସମ୍ପନ୍ନ ଖେଳାଳିମାନେ ଉପକୃତ ହେବ। ଭାରତରେ ଫୁଟ୍‌ବଲ ଖେଳର ପ୍ରସାର କ୍ଷେତ୍ରରେ ପଶ୍ଚିମବଙ୍ଗର ବିଶେଷ ଅବଦାନ ରହି ଆସିଛି ବୋଲି ନୀତା କହିଛନ୍ତି। ଇଷ୍ଟବେଙ୍ଗଲ କ୍ଲବର ମୁଖ୍ୟ ଅଂଶୀଦାର ଶ୍ରୀ ସିମେଣ୍ଟର ମାଲିକ ତଥା ପରିଚାଳନା ନିର୍ଦ୍ଦେଶକ ହରି ମୋହନ ବାଙ୍ଗୁର କହିଛନ୍ତି, ଆଇଏସ୍‌ଏଲରେ ଶେଷ ମୁହୂର୍ତ୍ତରେ ଇଷ୍ଟବେଙ୍ଗଲକୁ ସାମିଲ କରାଯିବା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ବିଶେଷ ଭୂମିକା ରହିଛି। ଟୁର୍ନାମେଣ୍ଟ ଆଉ ଅଳ୍ପ ଦିନ ବାକି ରହିଥିବାରୁ ବର୍ତ୍ତମାନ ଆମକୁ ଦଳ ଚୂଡ଼ାନ୍ତ କରିବାକୁ ହେବ। ଜଣେ କୋଚ୍‌ଙ୍କୁ ନିଯୁକ୍ତି ଦେବାକୁ ପଡ଼ିବ। ଆମ ପାଇଁ ଏହା ଏକ ବଡ଼ ଚ୍ୟାଲେଞ୍ଜ ବୋଲି ସେ କହିଛନ୍ତି। ତେବେ ସେପ୍ଟେମ୍ବର ୩୦ ସୁଦ୍ଧା ଏହି ସମସ୍ୟାର ସମାଧାନ ହୋଇଯିବ ବୋଲି ସେ ଆଶା ପ୍ରକାଶ କରି କହିଛନ୍ତି।

Share