ନେପାଳରେ ଭୂକମ୍ପର ପ୍ରଚଣ୍ଡ ଝଟ୍‌କା! ରିକ୍ଟର ସ୍କେଲରେ ତୀବ୍ରତା ୪.୯

ନୂଆଦିଲ୍ଲୀ,୧୨।୧୧: ଆଜି ସକାଳେ ଭାରତର ପଡ଼ୋଶୀ ଦେଶ ନେପାଳରେ ଭୂକମ୍ପ ଅନୁଭୂତ ହୋଇଛି, ଯାହାଫଳରେ ପ୍ରଚ଼ଣ୍ଡ ଝଟକାରେ ପୃଥିବୀ ଥରି ଉଠିଛି। ଲୋକଙ୍କ ମଧ୍ୟରେ ମଧ୍ୟ ଆତଙ୍କର ବାତାବରଣ ଦେଖାଦେଇଛି। ଆଜି ସକାଳ ପ୍ରାୟ ସାଢ଼େ ୪ଟା ସମୟରେ ଆସିଥିବା ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୯ ମାପ କରାଯାଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ୨୭.୬୭୧ ଉତ୍ତର ଅକ୍ଷାଂଶ ଏବଂ ୮୭.୯୮୭ ପୂର୍ୱ ଦ୍ରାଘିମାରେ ମାଟିତଳେ ୭୩ କିଲୋମିଟର ଗଭୀରତାରେ ମିଳିଛି। ତଥାପି, ଭୂକମ୍ପରେ କୌଣସି ଧନଜୀବନ କ୍ଷତି ହୋଇଥିବା ନେଇ ଖବର ମିଳିନାହିଁ, କିନ୍ତୁ ଲୋକମାନଙ୍କୁ ସତର୍କ ରହିବା ପାଇଁ ଚେତାବନୀ ଦିଆଯାଇଛି। ଗତ ନଭେମ୍ୱର ୧ ତାରିଖରେ ଜାପାନରେ ଭୂକମ୍ପ ଆସିଥିଲା, ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୬ ମାପ କରାଯାଇଥିଲା। କିନ୍ତୁ ନା କୌଣସି କ୍ଷତି ହୋଇଥିଲା ଏବଂ ନା କୌଣସି ସୁନାମି ଆଲର୍ଟ ଜାରି କରାଯାଇଥିଲା।

ନେପାଳ ହିମାଳୟ ଅଞ୍ଚଳରେ ଇଣ୍ଡିଆନ ଏବଂ ୟୁରେସିଆନ ଟେକ୍ଟୋନିକ ପ୍ଲେଟ୍ଗୁଡ଼ିକ ଉପରେ ଅବସ୍ଥିତ, ଯାହା ପ୍ରତିବର୍ଷ ୪ ରୁ ୫ ସେଣ୍ଟିମିଟର ପରସ୍ପର ଆଡ଼କୁ ଖସୁଛି। ଇଣ୍ଡିଆନ ଟେକ୍ଟୋନିକ ପ୍ଲେଟ ଧୀରେ ଧୀରେ ୟୁରେସିଆନ ଟେକ୍ଟୋନିକ ପ୍ଲେଟ ତଳେ ପଶିଯାଉଛି। ଏହି ପ୍ଲେଟ୍ଗୁଡ଼ିକର ସଂଘର୍ଷ ଏବଂ ପଶିବା କାରଣରୁ ହିମାଳୟ ପର୍ୱତ ସୃଷ୍ଟି ହୋଇଛି, ସେଥିପାଇଁ ସମଗ୍ର ହିମାଳୟ ଏବଂ ନେପାଳ ଭୂକମ୍ପ ସମ୍ୱେଦନଶୀଳ ଜୋନ ଅନ୍ତର୍ଗତ ଦେଶଗୁଡ଼ିକର ତାଲିକାରେ ରହିଛି। ଯେତେବେଳେ ଉଭୟ ଟେକ୍ଟୋନିକ ପ୍ଲେଟ ପରସ୍ପର ସହ ଘଷି ହୁଅନ୍ତି, ସେତେବେଳେ ଘର୍ଷଣ ହେବା ଯୋଗୁଁ ଏହି ପ୍ଲେଟ୍ଗୁଡ଼ିକ ଅନେକ ସ୍ଥାନରେ ପରସ୍ପର ମଧ୍ୟରେ ଅଟକି ଯାଆନ୍ତି। ବର୍ଷ ବର୍ଷ ଧରି ସଂଘର୍ଷ ଏବଂ ଅଟକି ରହିବା କାରଣରୁ ସେଗୁଡ଼ିକ ଭିତରେ ଶକ୍ତି ଜମା ହୋଇଥାଏ, ଯାହା ଭୂକମ୍ପୀୟ ତରଙ୍ଗ ରୂପେ ବାହାରିଥାଏ।

ଯେତେବେଳେ ଉଭୟ ପ୍ଲେଟ ପରସ୍ପରର ଚାପକୁ ସହ୍ୟ କରିପାରନ୍ତି ନାହିଁ, ସେତେବେଳେ ହଠାତ୍ ଭାଙ୍ଗିଯାଆନ୍ତି ଏବଂ ପୁଣି ଖସିଯାଆନ୍ତି। ଏହି ସମୟରେ ଉଭୟଙ୍କ ମଧ୍ୟରେ ଜମା ହୋଇଥିବା ଶକ୍ତି ବାହାରକୁ ଆସିଥାଏ ଏବଂ ତରଙ୍ଗ ରୂପେ ପୃଥିବୀ ଆଡ଼କୁ ଆଗେଇଥାଏ, ଯାହାଦ୍ୱାରା କମ୍ପନ ଅନୁଭୂତ ହୋଇଥାଏ। ଏହି କମ୍ପନକୁ ହିଁ ଭୂକମ୍ପ କୁହାଯାଏ। ଯେହେତୁ ନେପାଳର ତଳେ ଟେକ୍ଟୋନିକ ପ୍ଲେଟ୍ଗୁଡ଼ିକ ଭୂପୃଷ୍ଠରୁ ବେଶି ଗଭୀରରେ ନାହିଁ, ସେଥିପାଇଁ ଭୂକମ୍ପ ବହୁତ ଜୋର୍ରେ ଆସିଥାଏ, ଯାହା ପ୍ରାୟତଃ କ୍ଷତିକାରକ ସାଧିତ ହୋଇଥାଏ। ଥରେ ଝଟକାରେ ଖସିବା ପରେ ଯେତେବେଳେ ଉଭୟ ପ୍ଲେଟ ପରସ୍ପର ତଳେ ପଶିଯାଆନ୍ତି ବା ଅଟକି ଯାଆନ୍ତି, ସେହି ସମୟରେ ହେଉଥିବା ସଂଘର୍ଷ ଧୀରେ ଧୀରେ ସମାପ୍ତ ହୋଇଥାଏ। ଏହି ପ୍ରକ୍ରିୟା ସମୟରେ ଅଫ୍ଟରଶକ (ପରବର୍ତ୍ତୀ ଝଟକା) ଲାଗୁଥାଏ।

ସୂଚନାଯୋଗ୍ୟ ଯେ ଭୂକମ୍ପର ତରଙ୍ଗଗୁଡ଼ିକୁ ରିକ୍ଟର ସ୍କେଲରେ ମାପ କରାଯାଇଥାଏ। ୨ କିମ୍ୱା ତା’ଠାରୁ କମ ତୀବ୍ରତା ବିଶିଷ୍ଟ ଭୂକମ୍ପକୁ ମାଇକ୍ରୋ ଭୂକମ୍ପ କୁହାଯାଏ, ଯାହା ଅନୁଭୂତ ହୋଇନଥାଏ, କିନ୍ତୁ ନିୟମିତ ଭାବେ ଆସିଥାଏ। ୪ ରୁ ୫ ତୀବ୍ରତା ବିଶିଷ୍ଟ ଭୂକମ୍ପର ଝଟକା ଜୋର୍ରେ ଲାଗିଥାଏ, କିନ୍ତୁ ଏଗୁଡ଼ିକ ଦ୍ୱାରା କ୍ଷତି ହେବାର ସମ୍ଭାବନା ନଥାଏ। ୫ ରୁ ୭ ମଧ୍ୟରେ ଥିବା ଭୂକମ୍ପ କ୍ଷତି ପହଞ୍ଚାଇପାରେ। କୋଠାବାଡ଼ି ଏବଂ ଘରଗୁଡ଼ିକୁ ଭାଙ୍ଗିଦେଇପାରେ। ରାସ୍ତାଘାଟ ଏବଂ କାନ୍ଥରେ ଫାଟ ସୃଷ୍ଟି କରିପାରେ। କିନ୍ତୁ ୭ ରୁ ଅଧିକ ତୀବ୍ରତାର ଭୂକମ୍ପ ପ୍ରାଣାନ୍ତକ ଏବଂ ବିଧ୍ୱଂସୀ ହୋଇପାରେ, ଯାହା ସମଗ୍ର ସହରକୁ ମାଟିର ସ୍ତୂପରେ ପରିଣତ କରିପାରେ। ଲୋକଙ୍କୁ ମୃତ୍ୟୁମୁଖକୁ ଠେଲିଦେଇପାରେ। ପ୍ରଶାନ୍ତ ମହାସାଗରରେ ୭ ରୁ ଅଧିକ ତୀବ୍ରତାର ଭୂକମ୍ପ ଆସିଥାଏ।

Share