ସକାଳୁ ସକାଳୁ ଏନକାଉଣ୍ଟର: କୁଖ୍ୟାତ ଅପରାଧୀଙ୍କ ଗୋଡ଼ରେ ବାଜିଲା ଗୁଳି…

ସମ୍ବଲପୁର, ୧୭।୫ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା  ବୁର୍ଲା ଥାନା ଅଞ୍ଚଳରେ ରବିବାର ଭୋର ସମୟରେ ଏନକାଉଣ୍ଟର ହୋଇଛି। ଜଣେ କୁଖ୍ୟାତ ଅପରାଧୀଙ୍କୁ ଏହି ଏନକାଉଣ୍ଟର ହୋଇଥିବାବେଳେ ତାଙ୍କ ୩ ସହଯୋଗୀଙ୍କୁ ପୋଲିସ କାବୁ କରିବାରେ ସଫଳ ହୋଇଛି। ନକାଉଣ୍ଟର ହୋଇଥିବା ଅଭିଯୁକ୍ତ ହେଲେ  ମନୀଷ ସାହୁ, ସେ ବହୁ ପରାଧିକ ମାମଲାରେ ସଂପୃକ୍ତ ।ପୋଲିସ ତାଙ୍କ ନିକଟରୁ ଏକ ପିସ୍ତଲ, ଗୋଟିଏ ଜୀବନ୍ତ ଗୁଳି, ୩ଟି ଖାଲି ଖୋକା, ଗୋଟିଏ ସୁଇଫ୍ଟ କାର (ଓଡି-୧୫-ଏସି-୩୦୧୮), ୫ଟି ମୋବାଇଲ ଫୋନ ଏବଂ ୧୦ କାର୍ଟୁନ ନିଷିଦ୍ଧ ନିଶା କଫ ସିରପ (କୋରେକ୍ସ) ଜବତ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ବୁର୍ଲା ପୋଲିସ ପ୍ଲାନେଟୋରିୟମ ଛକ ନିକଟରେ ଯାନବାହନ ଯାଞ୍ଚ କରୁଥିଲା। ଏହି ସମୟରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପଟୁ ଆସୁଥିବା ଏକ ସୁଇଫ୍ଟ କାରକୁ ପୋଲିସ ଅଟକାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ଚାଳକ ଗାଡ଼ି ଅଟକାଇ ନ ଥିବାରୁ ରାଇଟ୍ ଡାଇକ୍ ରୋଡ୍ ଦିଗକୁ ଦ୍ରୁତ ଗତିରେ ପଳାଇଥିଲେ।ପୋଲିସ ଟିମ୍ ତୁରନ୍ତ ଗାଡ଼ିର ପିଛା କରି ଫିଶେରୀ ଛକ ନିକଟରେ ଗାଡ଼ିକୁ ଅଟକାଇଥିଲେ। ଏହି ସମୟରେ ମନୀଷ ସାହୁ ଗାଡ଼ି ଭିତରୁ ଡେଇଁପଡ଼ି ପଳାଇବାକୁ ଉଦ୍ୟମ କରିଥିଲେ ଏବଂ ପୋଲିସ ଉପରେ ୩ ରାଉଣ୍ଡ ଗୁଳି ଚଳାଇଥିଲେ। ପୋଲିସ ଆତ୍ମରକ୍ଷାର୍ଥେ ପାଲଟା ୨ ରାଉଣ୍ଡ ଗୁଳି ଚଳାଇଥିଲେ।

ଏଥିରେ ମନୀଷ ସାହୁଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଥିଲା ଏବଂ ସେ ସେଠାରେ ପଡ଼ିଥିଲେ। ପରେ ପୋଲିସ ତାଙ୍କୁ ଉଦ୍ଧାର କରି ଗାଡ଼ିରେ ଥିବା ଅନ୍ୟ ୩ ସହଯୋଗୀଙ୍କୁ ଅଟକ କରିଥିଲେ।ଗୁରୁତର  ମନୀଷଙ୍କୁ ବୁର୍ଲା ଭିମସାର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସେ ବିପଦମୁକ୍ତ ଅବସ୍ଥାରେ ଥିବା ପୋଲିସ ସୂଚନା ଦେଇଛି।ପୋଲିସ ସୂଚନା ଅନୁସାରେ, ମନୀଷ ସାହୁଙ୍କ ନାମରେ ପୂର୍ବରୁ ଡକାୟତି, ରାହାଜାନୀ, ଆର୍ମସ ଆକ୍ଟ ଏବଂ ବେଆଇନ କୋରେକ୍ସ ବ୍ୟବସାୟ ସମ୍ପର୍କିତ ୧୪ରୁ ଅଧିକ ଗୁରୁତର ମାମଲା ରହିଛି।ଏହି ଘଟଣାରେ ବୁର୍ଲା ପୋଲିସ ଅବକାରୀ ଆଇନ ଏବଂ ଅନ୍ୟାନ୍ୟ ସମ୍ପର୍କିତ ଆଇନ ଅନୁଯାୟୀ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।

Share