Categories: ଗଞ୍ଜାମ

ବାଲ୍ୟ ବିବାହ ରୋକିଲା ପ୍ରଶାସନ

ଧରାକୋଟ,୨୪ା୬(ଡି.ଏନ.ଏ.)- ଧରାକୋଟ ବ୍ଲକ ଶରଧାପୁର ଗ୍ରାମର ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କ ବିବାହ ବନ୍ଦ କରିଛି ପ୍ରଶାସନ। ଜୁନ୍‌ ୨୫ରେ ତାଙ୍କ ବିବାହ ଶେରଗଡ଼ ଅନ୍ତର୍ଗତ ପଲ୍ଲୀପଦ୍ମନାଭପୁରରେ ହୋଇଥାନ୍ତା। ଖବର ପାଇ ବ୍ରହ୍ମପୁର ଚାଇଲ୍ଡ ଲାଇନ କୋର୍ଡିନେଟର ସାଇ ପ୍ରସାଦ ସାମଲ, କାଉନ୍‌ସିଲର ପ୍ରିୟଙ୍କା ବେହେରା, ଧରାକୋଟ ମହିଳା ଓ ଶିଶୁ ବିକାଶ ଅଧିକାରିଣୀ ସରୋଜବାଳା ଆଚାର୍ଯ୍ୟ, ସୁପରଭାଇଜର ରାଜଲକ୍ଷ୍ମୀ ପ୍ରଧାନ, ଧରାକୋଟ ଥାନାରୁ ଏଏସ୍‌ଆଇ ସୁରେଶ ଚନ୍ଦ୍ର ପାତ୍ର, ଅଙ୍ଗନୱାଡ଼ି କର୍ମୀ ସୁଶାନ୍ତି ମଳିକ ବୁଧବାର ମଧ୍ୟାହ୍ନରେ ଶରଧାପୁରରେ ପହଞ୍ଚତ୍ଥିଲେ। ନାବାଳିକାଙ୍କ ବାପା ମା’ଙ୍କୁ ବୁଝାସୁଝା ସହ ଗ୍ରାମର ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ଏକ ଚୁକ୍ତିନାମା ପତ୍ର ସ୍ବାକ୍ଷର ହୋଇଥିଲା। ନାବାଳିକାଙ୍କ ବୟସ ୧୫ ହୋଇଥିବାରୁ ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ ବିବାହ ନ କରାଇବାକୁ ସମସ୍ତ ଅଧିକାରୀଙ୍କ ସମ୍ମୁଖରେ ପରିବାର ବର୍ଗ କହିବା ସହ ଚୁକ୍ତିପତ୍ରରେ ବାପା ମା’ ସ୍ବାକ୍ଷର କରିଛନ୍ତି।