ଇ-ବିଧାନସଭା ହେବ ଷଷ୍ଠ ଅଧିବେଶନ

ଭୁବନେଶ୍ୱର,୧୨।୨ (ବ୍ୟୁରୋ): ଷୋଡ଼ଶ ବିଧାନସଭାର ଷଷ୍ଠ ଅଧିବେଶନ ସମ୍ପୂର୍ଣ୍ଣ ଇ-ବିଧାନସଭା ରୂପେ କାର୍ଯ୍ୟ କରିବ। ଏ ସମ୍ପର୍କରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୁରୁବାର ଏକ ଉଚ୍ଚସ୍ତରୀୟ ବୈଠକ ଡାକି ସମୀକ୍ଷା କରିଛନ୍ତି। ରାଜ୍ୟପାଳଙ୍କ ଅଭିଭାଷଣଠାରୁ ଆରମ୍ଭକରି ବଜେଟ ଉପସ୍ଥାପନ, ବିଧାନସଭା ସଦସ୍ୟମାନଙ୍କ ଅଣତାରକା ଚିହ୍ନିତ ପ୍ରଶ୍ନର ଉତ୍ତର ଏବଂ ସମୁଦାୟ ଅଧିବେଶନର ବିବରଣୀ ‘ନେଭା’ ମାଧ୍ୟମରେ କାର୍ଯ୍ୟକାରୀ ହେବ। ସୂଚନା ପ୍ରଯୁକ୍ତି ବିଭାଗର ଜଣେ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ସମ୍ପାଦନ କରିବା ପାଇଁ ମଧ୍ୟ ବୈଠକରେ ନିଷ୍ପତ୍ତି ନିଆଯାଇଛି। ତେବେ ଚଳିତ ଥର ଇ-ବିଧାନସଭା ସହ ଏହାର ସଦସ୍ୟମାନଙ୍କୁ ଆବଶ୍ୟକ କାଗଜପତ୍ର ମଧ୍ୟ ପ୍ରଦାନ କରାଯିବ, ଯଦ୍ଦ୍ବାରା ବିଧାନସଭା କାର୍ଯ୍ୟକ୍ରମ କୌଣସି ପରିସ୍ଥିତିରେ ବ୍ୟାହତ ହେବନାହିଁ। ମୋବାଇଲ ଆପ୍‌ ମାଧ୍ୟମରେ ମଧ୍ୟ ଏହା ଉପଲବ୍ଧ କରିବାକୁ ଅର୍ଥ ବିଭାଗ ସଚିବ ଅଶୋକ କୁମାର ମୀନା ମତ ଦେଇଛନ୍ତି। ବିଧାନସଭା ଗୃହ ମଧ୍ୟରେ ପ୍ରଥମେ କେବଳ ବିଧାୟକଙ୍କୁ ପ୍ରଶ୍ନୋତ୍ତର ସହ ଅନ୍ୟାନ୍ୟ ଆଲୋଚନା ନେଇ ଅବଗତି କରାଯିବ। ଆବଶ୍ୟକ ସ୍ଥଳେ ସୂଚନା ପ୍ରଯୁକ୍ତି ବିଦ୍ୟା ତରଫରୁ ସ୍ଥାନୀୟ ସର୍ଭର ସ୍ଥାପନ କରି ଏହି କାର୍ଯ୍ୟକ୍ରମକୁ ରୂପାୟିତ କରିବା ପାଇଁ ବାଚସ୍ପତି ବିଭାଗକୁ ପରାମର୍ଶ ଦେଇଛନ୍ତି। ଆସନ୍ତା ୧୮ତାରିଖରୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବ। ୧୭ ରେ ସର୍ବଦଳୀୟ ବୈଠକ ବସିବ ବୋଲି ବାଚସ୍ପତି ସୂଚନା ଦେଇଛନ୍ତି।