ଆଜିଠୁ ଇ-ବିଧାନସଭା ପ୍ରଶିକ୍ଷଣ

ଭୁବନେଶ୍ୱର,୬।୧୧(ବ୍ୟୁରୋ): ବିଧାନସଭାର ଶୀତ ଅଧିବେଶନ ଆସନ୍ତା ୨୦ ତାରିଖରୁ ଆରମ୍ଭ ହେଉଛି। ଏଥିପୂର୍ବରୁ ଶୁକ୍ରବାରଠାରୁ ଇ-ବିଧାନସଭା ନେଇ ପ୍ରଶିକ୍ଷଣ ଶିବିର ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ବିଧାନସଭା କର୍ମଚାରୀଙ୍କୁ ଟ୍ରେନିଂ ଦିଆଯିବ। ଡିସେମ୍ବର ୩୧ ଯାଏ ଚାଲିବାକୁ ଥିବା ଶୀତ ଅଧିବେଶନରେ ମୋଟ ୪୦ କାର୍ଯ୍ୟ ଦିବସ ରହିବ। ନଭେମ୍ବର ୩୦, ଡିସେମ୍ବର ୨୫ରେ ଅଧିବେଶନ ବନ୍ଦ ରହିବ। ଶନିବାର ଏବଂ ରବିବାର ମଧ୍ୟ ଗୃହକାର୍ଯ୍ୟ ଚାଲିବ। ଅଧିବେଶନର ପ୍ରଥମ ଦିନରେ ରାଜ୍ୟ ସରକାର ଅତିରିକ୍ତ ବଜେଟ୍‌ ଆଗତ କରିବେ। ୨୯ ତାରିଖରେ ଅତିରିକ୍ତ ବଜେଟ୍‌ ଉପରେ ବ୍ୟୟ ମଞ୍ଜୁର ବିଲ୍‌ ଗୃହରେ ଅନୁମୋଦନ କରିବାର କାର୍ଯ୍ୟକ୍ରମ ରହିଛି। ଏଥର ବିଧାନସଭା ଦୈନିକ ସାଢ଼େ ୪ ଘଣ୍ଟା ଚାଲିବ। ପ୍ରଶ୍ନକାଳ ରହିବ ନା ନାହିଁ ସେ ସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି ହୋଇନାହିଁ। ବିଧାୟକ, ବିଧାନସଭାର ସରକାରୀ କର୍ମଚାରୀ ଏବଂ ଖବରଦାତାଙ୍କ କୋଭିଡ୍‌ ଟେଷ୍ଟ କରାଯିବା ଉପରେ ପରାମର୍ଶ ନିଆଯିବ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି।