୫ ବର୍ଷ ପରେ ବି ସରିଲାନି ଦତ୍ତପୁର ସେତୁ କାର୍ଯ୍ୟ

ଝୁମ୍ପୁରୀ,୧୧ା୪(ସରୋଜ ନାୟକ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଶିଳାନ୍ୟାସ ହୋଇଥିଲା ବୈତରଣୀ ନଦୀରେ ଏକ ହାଇଲେଭଲ ସେତୁ। ଏହି ଶିଳାନ୍ୟାସକୁ ୫ ବର୍ଷ ଅତିକ୍ରମ କରିଥିଲେ ମଧ୍ୟ ଏବେବି କାର୍ଯ୍ୟ ଅଧାପନ୍ତରିଆ ଅବସ୍ଥାରେ ରହିଛି। ଏହିପରି ଏକ ଅସମ୍ପୂର୍ଣ୍ଣ ସେତୁ ଦେଖିବାକୁ ମିଳିଛି ଦଶରଥପୁର ବ୍ଲକ୍‌ ଅଧୀନ ଦତ୍ତପୁର ପଞ୍ଚାୟତର ଦତ୍ତପୁର ଘାଟଠାରେ।
ଯାଜପୁର ଜିଲାର ଦଶରଥପୁର ଓ ଭଦ୍ରକ ଜିଲାର ଧାମନଗର ବ୍ଲକ୍‌ବାସୀଙ୍କ ଗମନାଗମନ ପାଇଁ ନିର୍ମାଣ କରାଯାଇଥିବା ଏହି ସେତୁ ଉପରେ ପ୍ରାୟ ୧୦ରୁ ଊର୍ଦ୍ଧ୍ୱ ପଞ୍ଚାୟତର ଲୋକ ନିର୍ଭର କରୁଛନ୍ତି। ସେତୁ ନିର୍ମାଣ କାର୍ଯ୍ୟ ଯାଜପୁରର ବିରଜା କନଷ୍ଟ୍ରକଶନ୍‌ କମ୍ପାନୀ ଟେଣ୍ଡର ମାଧ୍ୟମରେ କାର୍ଯ୍ୟାଦେଶ ନେଇ କାର୍ଯ୍ୟ କରୁଛି। ସେତୁର ବ୍ୟୟବରାଦ ପ୍ରାୟ ୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ସେତେବେଳେ ହୋଇଥିବାବେଳେ ଏବେ ଏହି ସେତୁ ନିର୍ମାଣ ପାଇଁ ପୁଣି ଡେଭିଏସନ୍‌ କରାଯାଇ ପ୍ରାୟ ୨ ଗୁଣ ଅର୍ଥ ରାଜ୍ୟ ସରକାର ମଞ୍ଜୁର କରିଛନ୍ତି। ମାତ୍ର ୧୦୦ମିଟର ବ୍ୟବଧାନରେ ନିର୍ମିତ ଏହି ସେତୁର ଏପରି ବିଳମ୍ବ କାର୍ଯ୍ୟ କ’ଣ ପାଇଁ ହେଉଛି ତାହା ଅଞ୍ଚଳବାସୀ ବୁଝିପାରୁନାହାନ୍ତି। ସେତୁ ନିର୍ମାଣ ଅଞ୍ଚଳ ଦତ୍ତପୁର ପଞ୍ଚାୟତ ଅଧୀନରେ ରହିଛି। ଏହି ଅଞ୍ଚଳରେ ପ୍ରତିନିଧିତ୍ୱ କରୁଥିବା ବାଚସ୍ପତି ତଥା ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ କାହିଁକି ସେତୁ ନିର୍ମାଣ କାର୍ଯ୍ୟ କରାଯାଇପାରୁନାହିଁ ତାହାକୁ କେବେବି ସମୀକ୍ଷା କରିନାହାନ୍ତି। ସେତୁ ନିର୍ମାଣ ନ ହେବାରୁ ପ୍ରତିଦିନ ଶହଶହ ଲୋକ ଗମନାଗମନ ପାଇଁ ଏଠାରେ ବାଉଁଶଚାରା ଉପରେ ନିର୍ଭର କରୁଛନ୍ତି। ଅତି ବିପଦସଙ୍କୁଳ ଅବସ୍ଥାରେ ଏହି ବାଉଁଶଚାରାରେ ସ୍କୁଲ, କଲେଜର ଛାତ୍ରୀଛାତ୍ରଙ୍କ ସହ ରୋଗୀ, ବ୍ୟବସାୟୀ ଓ ସାଧାରଣ ଲୋକେ ନିଜ ଜୀବନକୁ ପାଣି ଛଡ଼ାଇ ଯିବାଆସିବା କରୁଛନ୍ତି। ଲୋକଙ୍କ ବାରମ୍ବାର ଦାବିପରେ ମଧ୍ୟ ଏହି ସେତୁର ନିର୍ମାଣ କାର୍ଯ୍ୟ ଅତି କଚ୍ଛପ ଗତିରେ ଚାଲିଥିବାରୁ ଲୋକେ କ୍ଷୋଭପ୍ରକାଶ କରିଛନ୍ତି। ତେଣୁ ତୁରନ୍ତ ଏହି ସେତୁ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ସୁଶାନ୍ତ କୁମାର ସାହୁ, କାଳନ୍ଦୀ ଚରଣ ମହାନ୍ତି, ଅର୍ଦ୍ଦାଉଳିଆ ଗ୍ରାମର ଭିକାରୀ ଚରଣ ସାହୁ ପ୍ରମୁଖଙ୍କ ସହ ଶତାଧିକ ଗ୍ରାମବାସୀ ଦାବି କରିଛନ୍ତି।