ଆଇନର ଆଶ୍ରୟ ନେଲେ ଦୂତୀ

ଭୁବନେଶ୍ୱର,୩।୯(କ୍ରୀଡ଼ା ପ୍ରତିନିଧି): ୨୦୧୬ ରିଓ ଏବଂ ୨୦୨୦ ଟୋକିଓ ଅଲିମ୍ପିକ୍ସରେ ଭାଗ ନେବା ସହ ଏସିଆନ ଗେମ୍ସରେ ୨ଟି ରୌପ୍ୟ ପଦକ ଜିତି ରାଜ୍ୟକୁ ଗର୍ବିତ କରିଥିବା ସ୍ପ୍ରିଣ୍ଟ କୁଇନ୍‌ ଦୂତୀ ଚାନ୍ଦ ଏବେ ନିଜକୁ ଅସହଜ ମନେକରୁଛନ୍ତି। ତାଙ୍କ ପାରିବାରିକ କନ୍ଦଳକୁ ଢାଲ କରି ଏକ ଓ୍ବେବ୍‌ ଚ୍ୟାନେଲ ତାଙ୍କ ଚରିତ୍ର ସଂହାର କରିବା ସହ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି। ଏଥିପାଇଁ ସେ ଆଇନର ଆଶ୍ରୟ ନେଇଛନ୍ତି। ”ମୁଁ ଖେଳରେ ଏକାଗ୍ର ରହି ରାଜ୍ୟ ଓ ଦେଶକୁ ଗୌରବାନ୍ବିତ କରିବାକୁ ଚେଷ୍ଟା କରୁଛି। ମାତ୍ର ମୋ ନାମକୁ ନେଇ ନକାରାତ୍ମକ ଖବର ପରିବେଷଣ ଏବଂ ବ୍ଲାକ୍‌ମେଲ କରାଯିବା ମୋତେ ଖୁବ୍‌ ମର୍ମାହତ କରିଛି ଏବଂ ଏହା ମୋ ଖେଳ ଉପରେ ପ୍ରଭାବ ପକାଇଛି“ ବୋଲି ଗୁରୁବାର ଏକ ଖବରଦାତା ସମ୍ମିଳନୀରେ ଦୂତୀ ପ୍ରକାଶ କରିଛନ୍ତି। ଦୂତୀ ଓ୍ବେବ୍‌ ଚ୍ୟାନେଲର ନାମ ନେଇ ନ ଥିଲେ, ମାତ୍ର ୩ ଜଣଙ୍କ ନାମ ନେଇଥିଲେ। ଏମାନେ ମୋ ଗାଁକୁ ଯାଇ ବିଭିନ୍ନ ପ୍ରଲୋଭନ ଦେଖାଇ ମୋ ବିରୋଧରେ ମା’ ବାପାଙ୍କ ନିକଟରୁ କିଛି ତଥ୍ୟ ସଂଗ୍ରହ କଲେ। ମୁଁ ଟୋକିଓରେ ଥିବା ସମୟରେ ସେମାନେ ମୋ ନିକଟକୁ ଭିଡିଓ ପଠାଇ ଦେଖିବାକୁ କହିଲେ। ଯେହେତୁ ମୋ ମା’ ଓ ବାପା ମୋ ବିରୋଧରେ କିଛି କଥା କହିଥିଲେ ତାକୁ ପ୍ରକାଶନ କରିବାକୁ ଧମକ ଦେଇ ମୋ ନିକଟରୁ ଅର୍ଥ ଦାବି କଲେ। ମୁଁ ରାଜି ନ ହେବାରୁ ଗୋଟିଏ ପରେ ଗୋଟିଏ ଭିଡିଓ ପଠାଇ ମୋତେ ମାନସିକ ସ୍ତରରେ ଚାପଗ୍ରସ୍ତ କଲେ। ମୋ ଚରିତ୍ର ସଂହାର କରି ସୋସିଆଲ ମିଡିଆରେ ମୋତେ ବଦନାମ କରିଥିବାରୁ ମୁଁ ବାଧ୍ୟହୋଇ ସେମାନଙ୍କ ନାମରେ ଭୁବନେଶ୍ୱର ମହିଳା ଥାନାରେ ଏକ ଫୌଜଦାରି ମକଦ୍ଦମା କରିଛି। ଏହାଛଡ଼ା ମୋ ମାନସମ୍ମାନ ହାନି ଘଟିଥିବାରୁ ଉପରୋକ୍ତ ୩ ଜଣଙ୍କ ବିରୋଧରେ ୫ କୋଟି ଟଙ୍କାର ମାନହାନି ମକଦ୍ଦମା ମଧ୍ୟ ରୁଜୁ କରିଛି ବୋଲି ୧୦୦ ମିଟର ରେସ୍‌ରେ ଜାତୀୟ ରେକର୍ଡର ଅଧିକାରିଣୀ ଦୂତୀ କହିଛନ୍ତି। ଆଇନ ଉପରେ ମୋର ବିଶ୍ୱାସ ଅଛି। ନିଶ୍ଚିତଭାବେ ମୋତେ ନ୍ୟାୟ ମିଳିବ ବୋଲି ଆଶା ରଖିଛି। ରାଜ୍ୟ ସରକାର ମୋତେ ଆଜି ପର୍ଯ୍ୟନ୍ତ ସବୁଥିରେ ସମର୍ଥନ କରି ଆସିଛନ୍ତି। ଏଥିରେ ମଧ୍ୟ ମୋତେ ସମର୍ଥନ ମିଳିବ ବୋଲି ଦୃଢ଼ ବିଶ୍ୱାସ ରହିଛି। ଯଦି ଆକ୍ରୋଶମୂଳକ ଭାବେ ମୋ ବ୍ୟକ୍ତିଗତ ଜୀବନକୁ ନେଇ ନକାରାତ୍ମକ ଖବର ପରିବେଷଣ କରାଯାଏ ତେବେ ମୁଁ ଖେଳ ଜାରି ରଖିବା ଅସମ୍ଭବ ହୋଇପଡ଼ିବ। ତେଣୁ ବାଧ୍ୟ ହୋଇ ମୁଁ ଖେଳ ଛାଡ଼ିବା ସମ୍ପର୍କରେ ଚିନ୍ତା କରିବି ବୋଲି ଦୁଃଖର ସହ ଦୂତୀ କହିଛନ୍ତି। ଖବରଦାତା ସମ୍ମିଳନୀରେ ଦୂତୀଙ୍କ ଆଇନଗତ ପରାମର୍ଶଦାତା ନର୍ମଦା ନନ୍ଦା ଓ କୋଚ ଶିବ ପ୍ରସାଦ ମିଶ୍ର ଉପସ୍ଥିତ ଥିଲେ।