ଦୁଷ୍ମନ୍ତ ଦାସ ଆତ୍ମହତ୍ୟା ଘଟଣା: ହାଇକୋର୍ଟରେ ମାମଲା ଦାଏର

କଟକ ଅଫିସ,୧୭ା୯: ଜଗତ୍‌ସିଂହପୁର ଜିଲା କୁଜଙ୍ଗ ଥାନା ଅଧୀନ ପଙ୍କପାଳ ଗ୍ରାମର ଦୁଷ୍ମନ୍ତ ଦାସ ଆତ୍ମହତ୍ୟା ଘଟଣାକୁ ନେଇ ଗୁରୁବାର ହାଇକୋର୍ଟରେ ମାମଲା ଦାଏର ହୋଇଛି। ଏହି ଘଟଣାରେ ହାଇକୋର୍ଟ ହସ୍ତକ୍ଷେପ କରି ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ତଦନ୍ତକାରୀ ଦଳ(ଏସ୍‌ଆଇଟି) କିମ୍ବା କୌଣସି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଦ୍ୱାରା ତଦନ୍ତ ନିମନ୍ତେ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ଆଇନଜୀବୀ ପଦ୍ମାଳୟା ମହାପାତ୍ର ନିବେଦନ କରିଛନ୍ତି। ଏହି ମାମଲାରେ ମୁଖ୍ୟ ଶାସନ ସଚିବ, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ, ଏସ୍‌ସିବି ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲର ଅଧୀକ୍ଷକ, କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ, ପୋଲିସ କମିଶନର, କ୍ୟାପିଟାଲ ଓ ମଙ୍ଗଳାବାଗ ଥାନା ପୋଲିସକୁ ପକ୍ଷଭୁକ୍ତ କରାଯାଇଛି।
ମାମଲା ବିବରଣୀରୁ ପ୍ରକାଶ, ଦୁଷ୍ମନ୍ତ ୨୦୨୦ ମାର୍ଚ୍ଚ ୨୨ରେ ସଡ଼କ ଦୁର୍ଘଟଣାର ଶିକାର ହେବାରୁ ଗୋଡରେ ଗଭୀର ଆଘାତ ଲାଗିଥିଲା। ଚିକିତ୍ସାଲାଗି ତାଙ୍କୁ ୨୩ ତାରିଖରେ ଏସ୍‌ସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ପ୍ଲାଷ୍ଟିକ ସର୍ଜରି ବିଭାଗରେ ଭର୍ତ୍ତି କରାଯାଇଥିଲା। ସେ ଜୁଲାଇ ୧୫ରେ ମେଡିକାଲରୁ ଡିସ୍‌ଚାର୍ଜ ହୋଇଥିବାବେଳେ ତାଙ୍କର ୨ଥର ଅସ୍ତ୍ରୋପଚାର କରାଯାଇଥିଲା। ବାରମ୍ବାର ସେ ଏସ୍‌ସିବି ମେଡିକାଲ ଯାଇଥିବାବେଳେ ତାଙ୍କୁ ମେଡିକାଲ କର୍ତ୍ତୃପକ୍ଷ ଫିଜିଓଥେରାପି ସହ ଔଷଧ ଖାଇବାକୁ ପରାମର୍ଶ ଦେଇଥିଲେ। ହେଲେ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ଉଚ୍ଚସ୍ତରୀୟ ହସ୍ପିଟାଲକୁ ରେଫର କରାଯାଇ ନ ଥିଲା। ସେ ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିବାକୁ ଯାଇ ନିରାଶ ହୋଇଥିଲେ। ତାଙ୍କ ବାମ ଗୋଡର ଚିକିତ୍ସା ଭୁଲ୍‌ବଶତଃ କରାଯାଇଥିବାନେଇ ସେ ଗତ ଜୁଲାଇ ୨୦ରେ ସ୍ବାସ୍ଥ୍ୟ ବିଭାଗକୁ ପତ୍ର ଲେଖିଥିଲେ। ଏହି ପତ୍ର ଜଗତ୍‌ସିଂହପୁର ଜିଲାପାଳ, ସ୍ବାସ୍ଥ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ନିକଟକୁ ପଠାଇଥିଲେ। ଅନ୍ୟପକ୍ଷରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ୨ଟି ହସ୍ପିଟାଲ ମାଗଣା ଚିକିତ୍ସା ଯୋଗାଇଦେବାକୁ ମନା କରିଥିଲେ। ସେ ପୁଣି ଗତ ଅଗଷ୍ଟ ୧୬ରେ ଏସ୍‌ସିବିରେ ଭର୍ତ୍ତି ହୋଇଥିଲେ। ସେଠାରେ ଚିକିତ୍ସା ଯୋଗାଇ ଦିଆଯାଇ ନ ଥିବା ସେ ଅଭିଯୋଗ କରିଥିଲେ। ଅଗଷ୍ଟ ୩୧ରେ ସେ ଟୁଇଟ୍‌ ଯୋଗେ ଅଭିଯୋଗ କରିଥିଲେ। ଗତ ୬ ତାରିଖରେ ଦୁଷ୍ମନ୍ତଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ହେଉ ନ ଥିବାରୁ ତାଙ୍କୁ ଏସ୍‌ସିବି ମେଡିକାଲ ପକ୍ଷରୁ ଏମ୍‌ସକୁ ରେଫର କରାଯାଇଥିଲା। ଗତ ୮ ତାରିଖରେ ସେ ବିଧାନସଭା ନିକଟରେ ବିଷ ପିଇବା ସହ ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଚିକିତ୍ସାଲାଗି ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ପରେ ଏସ୍‌ସିବି ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।