ଲଗାଣ ବର୍ଷାରେ ଚିତ୍ରକୋଣ୍ଡା ଅବସ୍ଥା ବେହାଲ

ଚିତ୍ରକୋଣ୍ଡା, ୧୮।୮(ଡି.ଏନ୍‌.ଏ.): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ମାଲକାନଗିରି ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ବର୍ଷା କମିବା ପରେ ବୁଧବାର ସ୍ଥିତି ଧୀରେ ଧୀରେ ସୁଧୁରୁଛି। ତଥାପି ଅଧିକାଂଶ ଅଞ୍ଚଳ ଏବେ ବି ପାଣି ଘେରରେ ରହିଛି। ବିଭିନ୍ନ ପଞ୍ଚାୟତରେ ୧୫ରୁ ଊର୍ଦ୍ଧ୍ୱ ଘର ଭାଙ୍ଗି ଯାଇଥିବା ବେଳେ ବହୁ ପାଚେରୀ ଓ କାନ୍ଥ ଭାଙ୍ଗି ଯାଇଛି।
ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଭୁକ୍ତ ୧୮ଟି ଗ୍ରାମପଞ୍ଚାୟତ ଅଞ୍ଚଳରେ ଦୀର୍ଘ ୧୦ ଦିନ ହେଲା ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଥିଲା। ଗତ ୫ ଦିନ ହେଲା ଲଗାଣ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା। ବହୁସ୍ଥାନରେ ଗଛ ପଡି ରାସ୍ତା ଅବରୋଧ ହୋଇଥିବା ବେଳେ ସ୍ଥାନୀୟ ଜନସାଧାରଣ, ପୋଲିସ ଓ ଚିତ୍ରକୋଣ୍ଡା ବନାଞ୍ଚଳ କର୍ମଚାରୀମାନଙ୍କ ଦ୍ୱାରା ସେଗୁଡିକୁ ହଟାଯାଇଥିବା ଜଣାପଡ଼ିଛି।