Categories: ଖେଳ

ରାଜସ୍ଥାନ ୟୁନାଇଟେଡ୍‌କୁ ହରାଇଲା ଓଡ଼ିଶା ଏଫ୍‌ସି

କୋକ୍ରାଝର, ୧୨ା୮: ଡୁରାଣ୍ଡ କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟରେ ଓଡ଼ିଶା ଏଫ୍‌ସି ଆଇ-ଲିଗ୍‌ ପ୍ରାଞ୍ଚାଇଜ୍‌ ରାଜସ୍ଥାନ ୟୁନାଇଟେଡ୍‌ ଏଫ୍‌ସିକୁ ୨-୧ ଗୋଲ୍‌ରେ ପରାସ୍ତ କରିଛି। ଦଳର ଏହା ହେଉଛି ପ୍ରଥମ ବିଜୟ। କ୍ୱାର୍ଟରଫାଇନାଲ ଦୌଡ଼ରେ ଥିବା ଓଡ଼ିଶା, ରାଜସ୍ଥାନ ୟୁନାଇଟେଡ୍‌ ଓ ଇଣ୍ଡିଆନ ଆର୍ମି ପ୍ରତ୍ୟେକ ୩ ପଏଣ୍ଟ ଲେଖାଏଁ ଅର୍ଜନ କରିଥିବାରୁ ଗ୍ରୁପ୍‌ ‘ଏଫ’ରେ ଶୀର୍ଷ ସ୍ଥାନ ପାଇଁ ଏହି ୩ ଦଳ ମଧ୍ୟରେ ଲଢେଇ ହେବ। ଶୁକ୍ରବାର ମ୍ୟାଚରେ ପ୍ରଥମାର୍ଦ୍ଧ ଖେଳ ଗୋଲଶୂନ୍ୟ ରହିଥିଲା। ୪୮ତମ ମିନିଟ୍‌ରେ ଚନ୍ଦ୍ର ମୋହନ ମୁର୍ମୁଙ୍କ ଗୋଲ୍‌ ସହାୟତାରେ ସୁପର କପ୍‌ ବିଜେତା ଦଳ ଅଗ୍ରଣୀ ଲାଭ କରିଥିଲା। ମାତ୍ର ଏହି ଖୁସୀ ବେଶି ସମୟ ରହି ନ ଥିଲା। ୩ ମିନିଟ୍‌ ପରେ ରାଚାର୍ଡସନ ଡେନ୍‌ଜିଲଙ୍କ ଗୋଲ୍‌ ସହାୟତାରେ ରାଜସ୍ଥାନ ୟୁନାଇଟେଡ୍‌ ମ୍ୟାଚକୁ ବରାବର ସ୍ଥିତିକୁ ନେଇ ଆସିଥିଲା। ଦ୍ୱିତୀୟାର୍ଦ୍ଧର ବଦଳ ଖେଳାଳି ମାଥ୍ୟୁ ଓଫୋରି ଡୁଙ୍ଗା ବକ୍ସ ଭିତରେ ରାହୁଲ ମୁଖୀଙ୍କୁ ଫାଉଲ ମାରିବାରୁ ଓଡ଼ିଶାକୁ ଏକ ପେନାଲ୍‌ଟି ମିଳିଥିଲା। ଆଫୋବା ସିଂ ଏହାକୁ ଗୋଲରେ ପରିଣତ କରି ଓଡ଼ିଶାକୁ ଅଗ୍ରଣୀ କରାଇଥିଲେ। ରାଜସ୍ଥାନ ଦଳ ଗୋଲ ଦେବାକୁ ବହୁ ଉଦ୍ୟମ କରି ବିଫଳ ହୋଇଥିଲା। ଫଳରେ ଓଡ଼ିଶା ୨-୧ ଗୋଲ୍‌ରେ ବିଜୟୀ ହୋଇଥିଲା।

Share