ସ୍କୁଲରେ ତାଲା, ପାଠପଢ଼ା ବ୍ୟାହତ

ଖୋର୍ଦ୍ଧା,୨୪।୯(ପ୍ରଭାତ ପାଣିଗ୍ରାହୀ): ୩ଦଫା ଦାବି ନେଇ ଦୁଇ ସପ୍ତାହରୁ ଊର୍ଦ୍ଧ୍ୱ ଦିନ ହେଲା ଧାରଣାରେ ବସିଛନ୍ତି ଖୋର୍ଦ୍ଧା ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ। ସେପଟେ ଶିକ୍ଷକଙ୍କ ଆନ୍ଦୋଳନ ଯୋଗୁ ବିଦ୍ୟାଳୟରେ ତାଲା ଝୁଲୁଥିବା ବେଳେ ପିଲାଙ୍କ ପାଠପଢା ଠପ୍‌ ହୋଇଯାଇଛି। ପିଲାମାନେ ସ୍କୁଲକୁ ଆସି ଫେରୁଥିବା ଦେଖିବାକୁ ମିଳିଛି। ଶିକ୍ଷକଙ୍କ ଆନ୍ଦୋଳନ ଏବଂ ପିଲାଙ୍କ ପାଠପଢା ବ୍ୟାହତ ନେଇ ଉଦ୍‌ବେଗ ପ୍ରକାଶ କରିଛି ରାଜ୍ୟ ଅଭିଭାବକ ମହାସଂଘ। ଏନେଇ ମହାସଂଘର କର୍ମକର୍ତ୍ତା ଜିଲାର ବିଭିନ୍ନ ବିଦ୍ୟାଳୟ ବୁଲି ଅଭିଭାବକ ଏବଂ ଧାରଣାରତ ଶିକ୍ଷକଙ୍କ ସହ ଆଲୋଚନା କରିଥିଲେ। ସରକାର ଶିକ୍ଷକଙ୍କ ଦାବିପ୍ରତି ଗୁରୁତ୍ୱ ଦେବା ସହ ତୁରନ୍ତ ବିଦ୍ୟାଳୟ ଖୋଲିବା ବ୍ୟବସ୍ଥା ପାଇଁ ମହାସଂଘ ସଭାପତି ବାସୁଦେବ ଭଟ୍ଟ ଦାବି କରିଛନ୍ତି। ଶନିବାର ବର୍ଷା ସତ୍ତ୍ୱେ ଶିକ୍ଷୟିତ୍ରୀ, ଶିକ୍ଷକମାନେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଜାରି ରଖିଛନ୍ତିି। ରାଜ୍ୟ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ଉପସଭାପତି ଓ ଜିଲା ସଭାପତି ଅଗାଧୁ ସେଠୀ, ବ୍ଲକ ସଭାପତି ସ୍ବପ୍ନେଶ୍ୱର ପ୍ରଧାନ, ସମ୍ପାଦକ ମୃତ୍ୟୁଞ୍ଜୟ ମହାପାତ୍ର ଓ ମିଳିତ ଶିକ୍ଷକ ସଂଘର କାର୍ଯ୍ୟକାରୀ ଓ ଏକ୍ସ କ୍ୟାଡର ସଭାପତି ପ୍ରସନ୍ନ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଚାଲିଛି ଆନ୍ଦୋଳନ। ଶନିବାର ପୂର୍ବାହ୍ନରେ ପୁରୁଣା ପେନ୍‌ସନ୍‌ ଶିକ୍ଷକ ସଂଘର ଜିଲା ସଭାପତି ରତ୍ନାକର ରାଉତରାୟ, ବ୍ଲକ ସଭାପତି ଅଭିରାମ ବେହେରା, ଶିକ୍ଷକ ନେତା ସନ୍ତୋଷ ମହାପାତ୍ର, ଓ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ଓଡ଼ିଶା କୋଷାଧ୍ୟକ୍ଷ ସୁରେଶ ଚନ୍ଦ୍ର ବିଶ୍ୱାଳ ଧାରଣାସ୍ଥଳରେ ପହଞ୍ଚି ଶିକ୍ଷୟିତ୍ରୀ ଶିକ୍ଷକଙ୍କ ସହ ଆଲୋଚନା କରିବା ସହିତ ଆନ୍ଦୋଳନକୁ ସମର୍ଥନ ଜଣାଇଥିଲେ। ଶିକ୍ଷା ବ୍ୟବସ୍ଥାରେ ଯାହା କ୍ଷତି ହୋଇଛି ସେଥିପାଇଁ ସରକାର ଦାୟୀ ରହିବେ ବୋଲି ନେତୃମଣ୍ଡଳୀ କହିଛନ୍ତି।