ସେତୁ ପାଲଟିଛି ମାଛ ମାର୍କେଟ

ଯାଜପୁର ଟାଉନ,୨୭ା୧୦(ଡି.ଏନ.ଏ.): ଏବେ ଯାଜପୁରଟାଉନର ସବୁଠାରୁ ବଡ଼ମାଛ ମାର୍କେଟ ହେଉଛି ଗାନ୍ଧୀଛକ ନିକଟସ୍ଥ କିଲ୍ଲାଘାଟ ସେତୁ। ଏ ସେତୁଟି ଉପରେ ଭଦ୍ରକ ଜିଲା ସମେତ ପଣସା ପଞ୍ଚାୟତବାସୀ ନିର୍ଭର କରିଥାନ୍ତି। ଏବେ ସହର ଏହି ଅଞ୍ଚଳକୁ ବ୍ୟାପ୍ତ ହେଉଛି। ବହୁ ସରକାରୀ ଅଧିକାରୀମାନେ ସେତୁ ଆରପଟ ସଦର ବ୍ଲକ ଅଧୀନ ପଣସା ପଞ୍ଚାୟତର ମୋଟରଙ୍ଗାପାଳ, ବିନ୍ଧାଣ ଆଦି ସ୍ଥାନରେ ଘରଭଡ଼ା ନେଇ ରହୁଛନ୍ତି। ଭଦ୍ରକରୁ ଯାଜପୁରଟାଉନ ରାସ୍ତାର ଦୂରତା କମ୍‌ ପଡୁଥିବାରୁ ଏହି ରାସ୍ତା ଦେଇ ଅନେକ ପର୍ଯ୍ୟଟକ ଓ ଉଭୟ ଜିଲା ବାସିନ୍ଦା ଯାତାୟାତ କରିଥାନ୍ତି। ରାସ୍ତା ନିର୍ମାଣ ପାଇଁ ବିଭିନ୍ନ ପ୍ରକାର ସାମଗ୍ରୀ ଏବଂ ବାଲି ବୋଝେଇ ଗାଡି ଗୁଡିକ ରାସ୍ତା ଦେଇ ଭଦ୍ରକ ଜିଲାକୁ ଯାଇଥାଏ। କିନ୍ତୁ ବିଡ଼ମ୍ବନାର ବିଷୟ ହେଲା ଏଠାର ପ୍ରାୟ ୩୦ଜଣ ମାଛ ବ୍ୟବସାୟୀଙ୍କୁ ପୌର ପ୍ରଶାସନ କି ପଞ୍ଚାୟତ ପ୍ରଶାସନ ଅବା ନିୟନ୍ତ୍ରିତ ବଜାର କମିଟି କେଉଁଠାରେ ମଧ୍ୟ ଥଇଥାନ କଲେନାହିଁ। ଫଳରେ ସେମାନେ କେତେବେଳେ ବୈତରଣୀ ବନ୍ଧ ଉପରେ ତ ଆଉ କେତେବେଳେ କିଆନାଳୀ ଡକ ଉପରେ। ପୁଣି କେତେବେଳେ ମୋଟରଙ୍ଗାପାଳ ଗାଁର ଖାଲୁଆ ସ୍ଥାନରେ ତ ଆଉ କେତେବେଳେ ବାଳାଶ୍ରମ ପଡିଆରେ। ପୁଣି କେତେବେଳେ ଗାନ୍ଧୀଛକ ରାସ୍ତାରେ। ବର୍ଷ ବର୍ଷ ଧରି ମାଛ ଦୋକାନୀମାନେ ଏଠି ସେଠୀ ହୋଇ ବଡ ହୀନସ୍ତା ହେଉଛନ୍ତି। ଏଥିପୂର୍ବରୁ ରାସ୍ତା ସମ୍ପ୍ରସାରଣ ପାଇଁ ସେମାନଙ୍କୁ ମୋଟରଙ୍ଗାପାଳ ମୌଜା ନିକଟରେ ଏକ ସ୍ଥାନ ଦେଖାଇ ଦିଆଯାଇଥିବା ବେଳେ ସେଠାରେ ବନ୍ୟା ପାଣି ପଶିବା ଓ ବର୍ଷା ଯୋଗୁ କାଦୁଅ ନସର ପସର ହେବା ଯୋଗୁ ସେମାନେ ବାଧ୍ୟହୋଇ ଯାଜପୁର-ଭଦ୍ରକ ରାସ୍ତାର କିଲାଘାଟ ସେତୁ ଉପରେ ବଶୁଛନ୍ତି। ବୁଧବାର, ଶୁକ୍ରବାର, ରବିବାରରେ ଏରାସ୍ତାରେ ଯିବା ଅସମ୍ଭବ ହୋଇପଡିଥାଏ। ମାଛ କିଣିବା ପାଇଁ ଗ୍ରାହକମାନେ ସେତୁର ୭୫ ଭାଗ ଅଞ୍ଚଳରେ ଗାଡି ପାର୍କିଂ କରିବା ଯୋଗୁ ଯାତାୟାତ ସମସ୍ୟା ହୋଇଥାଏ। ପ୍ରତିଦିନ ବଡ ବଡ ଗାଡି ଯାତାୟାତ କରିବା ଯୋଗୁ ଅଞ୍ଚଳବାସୀ ଓ ଆମ୍ବୁଲାନ୍ସ ବଡ ହଇରାଣ ହେଉଛନ୍ତି। କଲିକତା ଏବଂ ଅନ୍ୟଆଡୁ ବିରଜାମନ୍ଦିର ଆସୁଥିବା ପର୍ଯ୍ୟଟକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ଦିଗରେ ପ୍ରଶାସନ ଶୀଘ୍ର ପଦକ୍ଷେପ ଗ୍ରହଣ ପୂର୍ବକ ମାଛ, ମାଂସ ଓ ଚିକେନ ବ୍ୟବସାୟୀଙ୍କ ପାଇଁ ସ୍ବତନ୍ତ୍ର ନିତିଦିନିଆ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ପାଇଁ ଦାବି ହୋଇଛି।