ସୀମାନ୍ତରେ ବିବାଦ ବଢ଼ାଉଛି ଦ୍ୱୈତ ଭୋଟର କାର୍ଡ

ନନ୍ଦପୁର,୧୬ା୧୧(ତୁଷାର କାନ୍ତ ମହାନ୍ତି): ଭୋଟର ପରିଚୟ ପତ୍ର ପ୍ରସ୍ତୁତି ଓ ଯାଞ୍ଚ ପ୍ରକ୍ରିୟାରେ ଥିବା ତ୍ରୁଟିପୂର୍ଣ୍ଣ ବ୍ୟବସ୍ଥା ଯୋଗୁ ଜଣେ ବ୍ୟକ୍ତି ୨ ରାଜ୍ୟର କାର୍ଡ ତିଆରି କରିପାରୁଛନ୍ତି। ଫଳରେ ସେମାନଙ୍କୁ ଉଭୟ ରାଜ୍ୟରେ ଭୋଟ ଦେବାକୁ ସହଜ ହେଉଛି। ନିକଟରେ ଶେଷ ହୋଇଥିବା ଆନ୍ଧ୍ର ମଣ୍ଡଳ ପରିଷଦ ଟେରିଟୋରିଆଲ୍‌ କନ୍‌ଷ୍ଟିଚୁଏନ୍ସି(ଏମ୍‌ପିଟିସି) ବା ସମିତି ସଭ୍ୟ ଓ ଜିଲା ପରିଷଦ ଟେରିଟୋରିଆଲ୍‌ କନ୍‌ଷ୍ଟିଚୁଏନ୍ସି(ଜେଡ୍‌ପିଟିସି) ବା ଜିଲା ପରିଷଦ ସଦସ୍ୟ ନିର୍ବାଚନରେ କୋରାପୁଟ ଜିଲା ସୀମାନ୍ତ ଗ୍ରାମବାସୀ ଭୋଟ ଦେଇଥିବାବେଳେ ଆସନ୍ତା ୨୬, ୨୯ ଓ ଡିସେମ୍ବର ୨ରେ ଆନ୍ଧ୍ରର ସରପଞ୍ଚ ଏବଂ ଓ୍ବାର୍ଡ ସଭ୍ୟ ନିର୍ବାଚନ ହେବ। ଉଭୟ ରାଜ୍ୟରେ ଭୋଟର କାର୍ଡ ହାତେଇ ଭୋଟ ଦିଆଯାଉଥିବାରୁ ଏହା ପ୍ରଶାସନିକ ବିବାଦ ମଧ୍ୟ ସୃଷ୍ଟି କରୁଛି। ତେଣୁ ଭୋଟର କାର୍ଡ ପ୍ରସ୍ତୁତି ବ୍ୟବସ୍ଥାରେ ସଂସ୍କାର କରାଯାଇ ୱାନ୍‌ ନେଶନ ୱାନ କାର୍ଡ ବ୍ୟବସ୍ଥାର ପ୍ରବର୍ତ୍ତନ କରାଗଲେ ଏହି ସମସ୍ୟାର ସମାଧାନ ହୋଇପାରିବ ବୋଲି କୁହାଯାଉଛି। କୋରାପୁଟ ଜିଲା ପ୍ରଶାସନ, ଓଡ଼ିଶା ରାଜ୍ୟ ସରକାର ଓ ରାଜ୍ୟ ନିର୍ବାଚନ କମିଶନର ଏସମ୍ପର୍କରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ନିୟମରେ ପରିବର୍ତ୍ତନ ଆଣିବାକୁ ଚାପ ସୃଷ୍ଟି କରିବା ଜରୁରୀ ବୋଲି ଇନ୍‌ଟାକ ସଦସ୍ୟ ସୁନୀଲ ବିଶ୍ୱାଳ କହିଛନ୍ତି।
ବର୍ତ୍ତମାନର ଭୋଟର ପୋର୍ଟାଲର ବ୍ୟବସ୍ଥା ଅନୁସାରେ ଜଣେ ବ୍ୟକ୍ତି ଗୋଟିଏ ରାଜ୍ୟରେ ଥିବା ତାଙ୍କର ଭୋଟର ପରିଚୟ ପତ୍ରରେ ଥିବା ନାମରେ ସାମାନ୍ୟ ପରିବର୍ତ୍ତନ ଆଣି ଅନ୍ୟ ରାଜ୍ୟରେ ଆଉ ଏକ ଭୋଟର ପରିଚୟ ପତ୍ର ତିଆରି କରିପାରୁଛି। କୋରାପୁଟ ଜିଲା ନନ୍ଦପୁର ବ୍ଲକ ସୀମାନ୍ତ ରାଇପାହାଡ଼ ଗ୍ରାମରୁ ସଂଗୃହୀତ ଦ୍ୱୈତ୍ୟ ଭୋଟର କାର୍ଡକୁ ଦେଖିଲେ ଏହା ସ୍ପଷ୍ଟ ବାରି ହୋଇପଡ଼ୁଛି। ଜଣେ ବ୍ୟକ୍ତି ଭୀମାନା ଗେମେଲ ଭୋଟର କାର୍ଡ କ୍ରମାଙ୍କ ଓଆର/୧୨/୦୮୪/୩୬୮୫୬୩ ପ୍ରକାରେ ଓଡ଼ିଶାର ଭୋଟର କାର୍ଡ ହାତେଇ ଥିବା ବେଳେ ନାମରେ ସାମାନ୍ୟ ପରିବର୍ତ୍ତନ କରି ଭୀମନ୍ନା ଗେମ୍ମେଲି ଭାବେ ଭୋଟର କାର୍ଡ କ୍ରମାଙ୍କ ୟୁଏମ୍‌ଏକ୍ସ ୧୪୦୭୦୩୦ ପ୍ରକାରେ ଆନ୍ଧ୍ରର ଭୋଟର କାର୍ଡ ହାସଲ କରିଛନ୍ତି। ଏହାଦ୍ୱାରା ସେ ଦୁଇ ରାଜ୍ୟରେ ଭୋଟ ଦେବା ସହ ସରକାରୀ ଯୋଜନାର ଲାଭ ନେଉଛନ୍ତି। ସେହିପରି ମଣିମା ଗେମେଲ ଜେଏଲ୍‌ଏନ୍‌୨୦୪୬୩୦୮(ଓଡ଼ିଶା) ଓ ୟୁଏମ୍‌ଏକ୍ସ ୦୪୩୨୦୪୭(ଆନ୍ଧ୍ର) ଉଭୟ ରାଜ୍ୟରେ ଭୋଟର ଭାବେ ତାଲିକାଭୁକ୍ତ ହୋଇ ୨ରାଜ୍ୟରେ ଭୋଟ ଦେବାର ସୁବିଧା ନେଉଛନ୍ତି। ତେଣୁ ଭୋଟର କାର୍ଡ ପ୍ରସ୍ତୁତିରେ ସ୍ବଚ୍ଛତା ରହିବା ଜରୁରୀ ହୋଇପଡ଼ିଛି ବୋଲି କୋରାପୁଟ ଜିଲାର ପୂର୍ବତନ ପଞ୍ଚାୟତ ଅଧିକାରୀ ସୁଦେଶ ପଟ୍ଟନାୟକ ମତପ୍ରକାଶ କରିଛନ୍ତି। ଆଇନଜୀବୀ ଅନୁପ ପାତ୍ର ଭାରତୀୟ ସମ୍ବିଧାନ ଓ ଜନପ୍ରତିନିଧି ଆଇନ ୧୯୫୦ର ଧାରା ୧୭ ଓ ୧୮ ଅନୁଯାୟୀ ଜଣେ ବ୍ୟକ୍ତି ଏକାଧିକ ନିର୍ବାଚନ ମଣ୍ଡଳୀରେ କିମ୍ବା ୨ଟି ରାଜ୍ୟରେ ଭୋଟର ଭାବେ ନାମ ପଞ୍ଜୀକରଣ କରିବା ଏକ ଦଣ୍ଡନୀୟ ଅପରାଧ ବୋଲି କହିଛନ୍ତି। ରାଜ୍ୟ ଓ କୋରାପୁଟ ଜିଲା ପ୍ରଶାସନ ଆଇନର ବ୍ୟବହାର କରିପାରିବେ ବୋଲି ମତ ରଖିଛନ୍ତି। ତେଣୁ ନିର୍ବାଚନ ଆୟୋଗ ସ୍ବତନ୍ତ୍ର ସଘନ ସଂଶୋଧନ(ଏସ୍‌ଆଇଆର୍‌) ଜରିଆରେ ତୁରନ୍ତ ସଂଶୋଧନ ବ୍ୟବସ୍ଥା ଲାଗୁ କରନ୍ତୁ। ସମସ୍ତ ଭାରତୀୟଙ୍କ ପାଇଁ ୱାନ ନେଶନ ୱାନ କାର୍ଡ ବ୍ୟବସ୍ଥା ଲାଗୁ କରାଯିବା ଜରୁରୀ। ଏହାଦ୍ୱାରା ସୀମାନ୍ତରେ ବହୁ ବର୍ଷ ଧରି ଲାଗି ରହିଥିବା ଭୋଟର ବିବାଦର ଚିରସ୍ଥାୟୀ ଅନ୍ତ ଘଟିବ ବୋଲି ଆଇନଜୀବୀ ପାତ୍ର ଦାବି କରିଛନ୍ତି।

Dharitri – Odisha’s No.1 Odia Daily

Share