ଜମିରୁ ଶୁଖୁନି ପାଣି

ବନ୍ତ,୨୬ା୧୨(ଡି.ଏନ.ଏ.) ଭଦ୍ରକ ଜିଲା ବନ୍ତ ବ୍ଲକ ଅଞ୍ଚଳର ଶତାଧିକ ଏକର ଜମିରେ ପାଣି ଜମି ରହିଛି। ଫଳରେ ଚାଷୀ ଧାନ ଅମଳ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ସରକାରଙ୍କ ପକ୍ଷରୁ ମଣ୍ଡି ଖୋଲିବାରେ ବିଳମ୍ବ ହେବାରୁ ଚାଷୀ ଚିନ୍ତାରେ ପଡ଼ିଛନ୍ତି।
ପ୍ରଥମ ସପ୍ତାହରେ ବାତ୍ୟା ‘ଜୱାଦ’ ଯୋଗୁ ଏହି ବ୍ଲକରେ ବର୍ଷାର ପ୍ରଭାବ ଦେଖାଯାଇଥିଲା। ଫଳରେ ଚାଷ ଜମିରେ ପାଣି ରହିଛି। ଗତ ଖରିଫ ଋତୁରେ ଡିସେମ୍ବର ୨୦ରୁ ସରକାରୀ ମଣ୍ଡି ଖୋଲାଯାଇ ଧାନ କ୍ରୟ ଆରମ୍ଭ ହୋଇଥିଲା। ମାତ୍ର ଚଳିତ ଖରିଫ ଋତୁରେ ଧାନ କ୍ରୟ ପୂର୍ବରୁ ପ୍ୟାକ୍ସ(ସମବାୟ ସମିତି) କର୍ମଚାରୀ ଧାରଣାରେ ବସିଥିବାରୁ ମଣ୍ଡି ଖୋଲି ପାରୁନାହିଁ। ଏହି ପରିପେକ୍ଷୀରେ ଜିପିଏଲ୍‌ଏଫ୍‌ଙ୍କୁ ଧାନକ୍ରୟ ଦାୟିତ୍ୱ ପ୍ରଦାନ ପାଇଁ ସରକାରଙ୍କ ପକ୍ଷରୁ ଚିଠି ହୋଇଛି। କିଛି ଦିନ ତଳେ ବ୍ଲକରେ ଅନୁଷ୍ଠିତ ତାଲିମ କାର୍ଯ୍ୟକ୍ରମରେ ପ୍ୟାକ୍ସମାନେ ଯୋଗ ଦେଇ ନ ଥିଲେ। କେବଳ ୩ ଏସ୍‌ଏଚ୍‌ଜି ଆସିଥିଲେ। ଗତବର୍ଷ ଏହି ବ୍ଲକରେ ୧୦ ପ୍ୟାକ୍ସ ଓ ୭ ଏସ୍‌ଏଚ୍‌ଜି ଧାନ କ୍ରୟ କରିଥିଲେ। ଚଳିତ ବର୍ଷ ସେହି ୧୦ ପ୍ୟାକ୍ସ ଓ ଏସ୍‌ଏଚ୍‌ଜି ଧାନ କ୍ରୟ କରିବା କଥା। ମାତ୍ର ଗୋପିନାଥପୁର, ରାମପୁର ପଞ୍ଚାୟତରେ ପୂର୍ବ ଏସ୍‌ଏଚ୍‌ଜି ଧାନ କିଣିବାକୁ ମନା କରିବାରୁ ନୂଆ ଏସ୍‌ଏଚ୍‌ଜିଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ସେହିପରି ରାମଚନ୍ଦ୍ରପୁର ପଞ୍ଚାୟତରେ କେଉଁ ଏସ୍‌ଏଚ୍‌ଜି ଧାନ କିଣିବ ସେନେଇ ସ୍ପଷ୍ଟ ସୂଚନା ନାହିଁ ା ଆଡିଆ ପଞ୍ଚାୟତରେ ନୂଆ ଏସ୍‌ଏଚ୍‌ଜି ଧାନ କିଣିବା ନେଇ ପ୍ରସ୍ତାବ ଯାଇଛି। ତେବେ ଚଳିତ ବର୍ଷ ୮ ଏସ୍‌ଏଚ୍‌ଜି ଧାନ କିଣିବେ ବୋଲି ଜଣାପଡ଼ିଛି। ଆସନ୍ତା ୨୭ ସୁଦ୍ଧା ସରକାରଙ୍କ ପକ୍ଷରୁ ଧାନ କିଣିବା ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ଜମିରୁ ପାଣି ଶୁଖି ନ ଥିବା ଯୋଗୁ ଆଉ ୫ରୁ ୬ଦିନ ଧାନକ୍ରୟ ତାରିଖ ଘୁଞ୍ଚାଇବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ତେବେ ଅଦ୍ୟାବଧି ମଣ୍ଡିରୁ ଧାନ କିଣିବା ପାଇଁ କୌଣସି ମିଲର ଠିକ୍‌ ହୋଇ ନ ଥିବା ସୂଚନା ମିଳିଛି। ଏ ସମ୍ପର୍କରେ ବ୍ଲକ ଯୋଗାଣ ଅଧିକାରୀ ଅଶୋକ କୁମାର ବେହେରାଙ୍କୁ ପଚାରିବାରୁ ଖୁବ୍‌ଶୀଘ୍ର ମଣ୍ଡି ଖୋଲାଯାଇ ଧାନ କିଣା ହେବ ବୋଲି କହିଛନ୍ତି।