ନିଶାମୁକ୍ତ ଓଡ଼ିଶା ସହ ସାଇବର ସୁରକ୍ଷା: ଛାତ୍ରୀଛାତ୍ରଙ୍କୁ ପୋଲିସର…

ଛତ୍ରପୁର, ୨୪।୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁରସ୍ଥିତ ପ୍ରତିଭା ଆବାସିକ ବିଶ୍ୱବିଦ୍ୟାଳୟ ପରିସରରେ ସୋମବାର ‘ନିଶାମୁକ୍ତ ଓଡ଼ିଶା ଅଭିଯାନ’ ସହ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

ଏଥିରେ ଗଞ୍ଜାମ ପୋଲିସ ଜିଲାର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଚିନ୍ମୟ ନାୟକ, ଛତ୍ରପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଏବଂ ସାଇବର ଥାନା ଆଇଆଇସି ଜ୍ୟୋତିରଞ୍ଜନ ବେହେରା ଯୋଗଦେଇ ଛାତ୍ରୀଛାତ୍ରଙ୍କୁ ନିଶାଦ୍ରବ୍ୟର କୁପ୍ରଭାବ ଓ ସାଇବର ଠକେଇରୁ ସୁରକ୍ଷା ସମ୍ପର୍କରେ ସଚେତନ କରିଥିଲେ। ଅନଲାଇନ୍ ଠକେଇ, ‘ଡିଜିଟାଲ ଆରେଷ୍ଟ’, ଅଜଣା ଲିଙ୍କ୍‌ରେ କ୍ଲିକ୍ ନକରିବା ଏବଂ ଓଟିପି କାହା ସହିତ ସେୟାର ନକରିବା ନେଇ ଛାତ୍ରୀଛାତ୍ରଙ୍କୁ ସତର୍କ କରାଯାଇଥିଲା। ମୋବାଇଲ ଫୋନ୍‌ର ଅସାବଧାନ ବ୍ୟବହାର ଯୋଗୁ ବିଶେଷକରି ଯୁବପିଢ଼ି ଅନଲାଇନ୍ ଗେମ୍ ଓ ଅନ୍ୟାନ୍ୟ ଡିଜିଟାଲ କାରବାରରେ ଆର୍ଥିକ କ୍ଷତିର ଶିକାର ହେଉଥିବା ନେଇ ମଧ୍ୟ ସଚେତନ କରାଯାଇଥିଲା।

ବାପାମାଆଙ୍କ ଅଜାଣତରେ ଅନେକ ସମୟରେ ଯୁବପିଢ଼ି କୁଚକ୍ରୀଙ୍କ କବଳରେ ପଡ଼ୁଥିବା ଦେଖାଯାଉଛି। ଏଭଳି କୌଣସି ସମସ୍ୟାର ସମ୍ମୁଖୀନ ହେଲେ ଭୟ ନକରି ତୁରନ୍ତ ବାପାମାଆଙ୍କୁ ଜଣାଇବା ସହ ପୋଲିସର ସହାୟତା ନେବାକୁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦିଆଯାଇଥିଲା।

ସେହିପରି ଅଳ୍ପ କିଛି ଟଙ୍କାର ପ୍ରଲୋଭନରେ ନାବାଳକ ଓ ନାବାଳିକାମାନେ ନିଶାଦ୍ରବ୍ୟର କାରବାର କିମ୍ବା ସେବନ ପ୍ରତି ଆକୃଷ୍ଟ ହେଉଥିବା ନେଇ ଅଧିକାରୀମାନେ ସତର୍କ କରିଥିଲେ। ଏଭଳି ବେଆଇନ ନିଶା କାରବାରରେ ସମ୍ପୃକ୍ତ ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ସହ ସେମାନଙ୍କ ସମ୍ପର୍କରେ ପୋଲିସକୁ ସୂଚନା ଦେବାକୁ ଛାତ୍ରୀଛାତ୍ରଙ୍କୁ ପ୍ରୋତ୍ସାହିତ କରାଯାଇଥିଲା।ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ଚିନ୍ମୟ ଦାଶ ଏବଂ ଆଇନଜୀବୀ ଡ. ପ୍ରଶାନ୍ତ କୁମାର ଶତପଥୀଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ନିଶାମୁକ୍ତ ସମାଜ ଗଠନ ସହ ସାଇବର ଅପରାଧରୁ ଯୁବପିଢ଼ିଙ୍କୁ ସୁରକ୍ଷିତ ରଖିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।

Dharitri – Odisha’s No.1 Odia Daily

Share