ଦିଗପହଣ୍ଡି,୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ଶକ୍ତିଶ୍ରୀ ମହିଳା ସଶକ୍ତି କରଣ ୟୁନିଟ , ଜାତୀୟ ସେବା ସଂସ୍ଥା(ଏନଏସଏସ) ଶାଖା ଏବଂ ଈଶ୍ୱରୀୟ ବିଶବିଦ୍ୟାଳୟ ଦିଗପହଣ୍ଡି ଶାଖାର ମିଳିତ ଆନୁକୁଲ୍ୟରେ, ଗୁରୁବାର କଲେଜ ପରିସରରେ ନିଶାମୁକ୍ତ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। କଲେଜର ଶକ୍ତିଶ୍ରୀ ୟୁନିଟର ସଂଯୋଜିକା ତଥା ଅଧ୍ୟାପିକା ଡ଼. ନିର୍ମଳା ମହାନ୍ତି ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଆୟୋଜିତ ସଭାରେ କଲେଜ ଅଧ୍ୟକ୍ଷ ଡ଼.ଅସିତ କୁମାର ଷଡଙ୍ଗୀ ସଭାପତ୍ୱ କରି ‘ଆମ ସଂକଳ୍ପ ନିଶା ନୁହେଁ ଜୀବନ’ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଛାତ୍ରୀଛାତ୍ର ବିଶେଷ କରି ଯୁବ ସମାଜକୁ ନିଶାଦ୍ରବ୍ୟ ଓ ଅପମିଶ୍ରିତ ମାଦକଦ୍ରବ୍ୟ ସେବନରୁ ଦୂରେଇ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଏହି ସଚେତନତା ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ । ଅପମିଶ୍ରିତ ନିଶା ସେବନ ଦ୍ୱାରା ଲୋକେ ପଙ୍ଗୁ ହୋଇଯାଆନ୍ତି। ଯୁବ ଛାତ୍ର ସମାଜ ନିଶା ସେବନ ଦାରା ସେମାନଙ୍କ ବିକାଶ ଓ ଦେଶର ଅର୍ଥନୀତିରେ ପ୍ରତିକୂଳ ପ୍ରଭାବ ପକାଇଥାଏ। ତେଣୁ ସେମାନେ ନିଶା ସେବନ ଠାରୁ ଦୂରେଇ ରହିବା ଆବଶ୍ୟକ ବୋଲି ସଭାରେ ମତପ୍ରକାଶ ପାଇଥିଲା। ଦିଗପହଣ୍ଡି ସ୍ଥିତ ଇଶ୍ୱରୀୟ ବିଶ ବିଦ୍ୟାଳୟର କେନ୍ଦ୍ର ସଞ୍ଚାଳିକା ବି.କେ ଅରୁନ୍ଧତୀ ଅତିଥି ଭାବେ ଯୋଗଦେଇ ମହିଳା ସଶକ୍ତି କରଣ ଓ ନିଶାମୁକ୍ତି ସମ୍ପର୍କରେ ଉଦବୋଧନ ଦେବା ସହ ଉପସ୍ଥିତ ଛାତ୍ରୀଛାତ୍ର, ଅଧ୍ୟାପିକା ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ପ୍ରତିଜ୍ଞା କରାଇଥିଲେ। ଅଧ୍ୟାପକ ହିମାଂଶୁ ଶେଖର ମିଶ୍ର,ସନ୍ତୋଷ କୁମାର ସାହୁ, ଡ଼.କୈଳାସ ଚନ୍ଦ୍ର ଦିୱାନ ବେହେରା ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ଥିଲେ। ଇଶ୍ୱରୀୟ ବିଶବିଦ୍ୟାଳୟ ଦିଗପହଣ୍ଡି ଶାଖା ଚିକିତ୍ସା ବିଭାଗ ପକ୍ଷରୁ ସଚେତନତାଧର୍ମୀ ନାଟକ ପରିବେଷଣ କରାଯାଇଥିଲା। ଅଧ୍ୟାପିକା ଡ଼. ଶାଲିନି ସାକସେନା, ଅଞ୍ଜଳି ମଣ୍ଡଳ,ସସ୍ମିତା ସ୍ବାଇଁ,ଅଧ୍ୟାପକ ସତ୍ୟନାରାୟଣ ମିଶ୍ର, ଶୁଭାଶିଷ ପାଣିଗ୍ରାହୀ, ମାନସ ରଞ୍ଜନ ସାହୁ ଏବଂ ଈଶ୍ୱରୀୟ ବିଶବିଦ୍ୟାଳୟର ଶିକ୍ଷୟତ୍ରୀ ବୃନ୍ଦ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।