ପୁଣି ବୁଡ଼ାଇବ: ସତର୍କ ରହିବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୯।୧୦(ବ୍ୟୁରୋ): ବର୍ଷାଦିନ ଚାଲିଯିବା ପରେ ଗୋଟିଏ ପରେ ଗୋଟିଏ ଲଘୁଚାପ ରାଜ୍ୟକୁ ଭିଜେଇ ଚାଲିଛି। ସୋମବାର ସନ୍ଧ୍ୟା ସୁଦ୍ଧା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ । ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲାରେ ବର୍ଷା ହେବ। କେତେକ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି। ଏପରି କି ଲଘୁଚାପ ଯୋଗୁ ଦକ୍ଷିଣ ଓଡ଼ିଶାର କେତେକ ନଦୀରେ ବନ୍ୟା ଆଶଙ୍କା ରହିଛି। ଖାଲୁଆ ଅଞ୍ଚଳ ଜଳମଗ୍ନ ହେବା ସହ ଭୂସ୍ଖଳନର ଚେତାବନୀ ଦିଆଯାଇଛି। ଲଘୁଚାପଜନିତ ବର୍ଷା ଉପରେ ନଜର ରଖିବା ସହ ପରିସ୍ଥିତିକୁ ମୁକାବିଲା କରିବାକୁ ସମସ୍ତ ପଦକ୍ଷେପ ନେବାକୁ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଲଘୁଚାପ ଯୋଗୁ ୧୯ ତାରିଖ ରାତିରୁ ୨୪ ତାରିଖ ଯାଏ ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ଲାଗିରହିବ।
ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ୧୯ ତାରିଖ ରାତିରୁ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ ଓ ଗଜପତି ଜିଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ୨୦ ତାରିଖରେ ଗଞ୍ଜାମ ଓ ଗଜପତି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ନିଂ ଜାରି କରାଯାଇଛି।

ଏଥିସହିତ ମାଲକାନଗିରି, କୋରାପୁଟ, ରାୟଗଡ଼ା ଏବଂ ପୁରୀରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୨୧ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି, ପୁରୀ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲାରେ ପ୍ରବଳ ବର୍ଷା ହେବ। ସେହିପରି ୨୨ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡା, ଗଞ୍ଜାମ ଓ ଗଜପତି ବାଲେଶ୍ୱର, ଭଦ୍ରକ ଏବଂ କେନ୍ଦ୍ରାପଡ଼ା ଜିଲାର କେକେତ ସ୍ଥାନରେ ପ୍ରବଳ ବର୍ଷା ହେବ। ଏନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ନିଂ ଜାରି କରାଯାଇଛି। ସମୁଦ୍ର ଉପକୂଳରେ ଘଣ୍ଟାକୁ ୪୦ରୁ ୫୦ କି.ମି. ବେଗରେ ପବନ ବହିବ। ଆସନ୍ତା ୨୨ ତାରିଖ ଯାଏ ସମୁଦ୍ରକୁ ନ ଯିବା ଲାଗି ମତ୍ସ୍ୟଜୀବୀମାନଙ୍କୁ ସତର୍କ କରାଯାଇଛି। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଆନ୍ଧ୍ର ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏଥିଯୋଗୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା ସମେତ ମୟୂରଭଞ୍ଜ, ଢେଙ୍କନାଳ, ମାଲକାନଗିରି, କୋରାପୁଟ ଏବଂ ରାୟଗଡ଼ା ଜିଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଲଗାତର ଲଘୁଚାପ ଯୋଗୁ ମୌସୁମୀ ପ୍ରତ୍ୟାବର୍ତ୍ତନରେ ବିଳମ୍ବ ହୋଇଛି।