ରାଜ୍ୟରେ ମରୁଡ଼ିର ପଦଧ୍ୱନି

ଭୁବନେଶ୍ୱର,୩୧। ୭(ବ୍ୟୁରୋ): ରାଜ୍ୟରେ ମୌସୁମୀ ଦାଉ ସାଧିଲାଣି। ଗତ ଦୁଇ ସପ୍ତାହରୁ ଊର୍ଦ୍ଧ୍ୱ ହେବ ବର୍ଷାର ନାଁ ଗନ୍ଧ ନାହିଁ। କେଉଁଠି କେମିତି କାଁ ଭାଁ ବର୍ଷା ହେଉଥିବା ବେଳେ ରାଜ୍ୟର ଅଧା ଜିଲାରେ ଏବେ ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି। ୧୫ ଜିଲାରେ ପରିସ୍ଥିତି ସଙ୍ଗିନ ହେଲାଣି। ଧାନ ବିଲ ଫାଟି ଆଁ କଲାଣି। ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଆସନ୍ତା ସପ୍ତାହକ ମଧ୍ୟରେ ବର୍ଷା ନ ହେଲେ ଚାଷ ଉଜୁଡିବା ସମ୍ଭାବନା ସୃଷ୍ଟି ହେଲାଣି।
ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ରାଜ୍ୟରେ ଜୁନ୍‌ ପହିଲାରୁ ଜୁଲାଇ ୩୦ ପର୍ଯ୍ୟନ୍ତ ସ୍ବାଭାବିକ ଠାରୁ ୧୪ ପ୍ରତିଶତ କମ୍‌ ବର୍ଷା ହୋଇଛି। ଏହି ସମୟ ମଧ୍ୟରେ ସ୍ବାଭାବିକ ଭାବେ ରାଜ୍ୟରେ ୫୫୧.୧ ପ୍ରତିଶତ ସ୍ଥାନରେ ୩୭୪.୪ ପ୍ରତିଶତ ବର୍ଷା ହୋଇଛି। ପୁରୀ ଜିଲାରେ ୫୦ ପ୍ରତିଶତ କମ୍‌ ହୋଇଥିବା ବେଳେ ବାଲେଶ୍ୱରରେ ୩୮, ଭଦ୍ରକ ୨୭, କଟକ ୩୯, ଜଗତ୍‌ସିଂହପୁର ୩୦, ଯାଜପୁର ୪୨, କେନ୍ଦ୍ରାପଡ଼ା ୪୩, ଖୋର୍ଦ୍ଧା ୪୬, କେନ୍ଦୁଝର ୨୩, ସୁବର୍ଣ୍ଣପୁର ୩୩, ମୟୂରଭଞ୍ଜରେ ୨୨, ନୟାଗଡ଼ ୨୧, ବଲାଙ୍ଗୀର, ନୂଆପଡ଼ା ଏବଂ ଝାରସୁଗୁଡ଼ାରେ ୧୭ ପ୍ରତିଶତ କମ୍‌ ବର୍ଷା ହୋଇଛି। କୌଣସି ଜିଲାରେ ଅଧିକ ବର୍ଷା ହୋଇ ନ ଥିବା ବେଳେ ଅନ୍ୟ ଜିଲାଗୁଡ଼ିକରେ ୧ରୁ୧୭ ପ୍ରତିଶତ କମ୍‌ ବର୍ଷା ହୋଇଥିବା କୁହାଯାଇଛି। ସେହିପରି ଜୁନ୍‌ ୧୧ରେ ମୌସୁମୀ ପ୍ରବେଶ କରିବା ପରେ ସେହି ମାସରେ ୨୭ ପ୍ରତିଶତ ଅଧିକ ବର୍ଷା ହୋଇଥିଲା। କିନ୍ତୁ ଜୁଲାଇ ୨୫ ତାରିଖ ସୁଦ୍ଧା ୧୪ ପ୍ରତିଶତ କମ୍‌ ବର୍ଷା ହୋଇଛି। ଜୁନ୍‌ ମାସରେ ୨ଟି ଲଘୁଚାପ ହୋଇଥିବା ବେଳେ ଜୁଲାଇରେ ଆଦୌ ଲଘୁଚାପ ହୋଇନାହିଁ। ଏପରି କି ମୌସୁମୀ ମଧ୍ୟ ଦୁର୍ବଳ ରହିଛି। ଆସନ୍ତା ୩ ତାରିଖ ଯାଏ ରାଜ୍ୟରେ ବର୍ଷା ହେବାର କୌଣସି ସୂଚନା ଦେଖା ଯାଉ ନ ଥିବାରୁ ପରିସ୍ଥିତି ଆହୁରି ବିଗିଡିବା ଅନୁମାନ କରାଯାଇଛି। ତେବେ ଆସନ୍ତା ଅଗଷ୍ଟ ୪ ତାରିଖରେ ଉତ୍ତର ପଶ୍ଚିମ ବଙ୍ଗୋପ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି, ଯାହା ଚାଷୀଙ୍କ ପାଇଁ ଆଶ୍ୱସ୍ତି ଆଣିପାରେ।