ହେଲମେଟ୍‌ ନ ପିନ୍ଧି ଗାଡି ଚଳାଇଲେ ବାତିଲ ହେବ ଡ୍ରାଇଭିଂ ଲାଇସେନ୍ସ

ଭୁବନେଶ୍ୱର,୧୯ା୧୧(ବ୍ୟୁରୋ)-ଟ୍ରାଫିକ ନିୟମ କଡାକଡି ସତ୍ତ୍ୱେ ରାଜ୍ୟରେ ବଢି ଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ। ଏଥିରୁ ଅଧିକାଂଶ ମୃତ୍ୟୁ ବାଇକ ଆରୋହୀଙ୍କର ଘଟୁଛି। ସେଥିମଧ୍ୟରୁ ଅଧିକାଂଶ ହେଲମେଟ୍‌ ପିନ୍ଧିନଥିବାରୁ ମୃତ୍ୟୁ ହେଉଥିବା ଲକ୍ଷ୍ୟ କରାଯାଇଛି। ତେଣୁ ବାଇକ ଚଳାଇବା ସମୟରେ ହେଲମେଟ୍‌ ପିନ୍ଧିବା ନେଇ ରାଜ୍ୟ ସରକାର ନିୟମ କଡାକଡି କରିଛନ୍ତି। ଗାଡି ଚଳାଇବା ସମୟରେ ହେଲମେଟ୍‌ ପିନ୍ଧିନଥିଲେ ଚାଳକଙ୍କ ଲାଇସେନ୍ସ ବାତିଲ କରାଯିବ। ଏମ୍‌ଭି ଆକ୍ଟ ମାଧ୍ୟମରେ ଚାଳକଙ୍କ ଲାଇସେନ୍ସ ୩ମାସ ଯାଏଁ ବାତିଲ କରାଯିବା ପାଇଁ ନିଷ୍ପତି ନିଆଯାଇଛି। ଏନେଇ ପରିବହନ ବିଭାଗ ସଚିବ ମଧୁସୂଦନ ପାଢୀ ପୋଲିସ ଡିଜି ଓ ପରିବହନ କମିଶନର୍‌ଙ୍କୁ ଚିଠି ଲେଖିଛନ୍ତି। ୨୦୧୯ ଓ ୨୦୨୦ ଜାନୁଆରୀରୁ ଅକ୍ଟୋବର ମାସ ମଧ୍ୟରେ ହେଲମେଟ୍‌ ଆଇନର ଉଲ୍ଲଂଘନ ପାଇଁ କେତେଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯାଇଛି ତାହାର ଏକ ଜିଲାସ୍ତରୀୟ ରିପୋର୍ଟ ଦାଖଲ କରିବା ପାଇଁ ପରିବହନ ବିଭାଗ ସଚିବ ନିର୍ଦ୍ଦେଶ ଦେଇଛନ୍ତି।