ଯାତ୍ରୀ ପ୍ରତୀକ୍ଷାଳୟରେ ପାନୀୟଜଳ ପ୍ରକଳ୍ପ ଅଚଳ, ଛାତରେ ଝୁଲୁଛି ଅକାମୀ ପଙ୍ଖା, ଆଶ୍ରୟ ନେବା ପାଇଁ…

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ତାତି ବଢ଼ୁଛି। ଗ୍ରୀଷ୍ମ ପ୍ରବାହ ସହିତ ଗୁଳୁଗୁଳି ଅନୁଭୂତ ହେଉଛି। ଏଭଳି ସ୍ଥିତିରେ ବରଗଡ଼ ସହର ପେଣ୍ଠସ୍ଥଳୀରେ ରହିଥିବା ସରକାରୀ ବସଷ୍ଟାଣ୍ଡରେ ସର୍ବନିମ୍ନ ମୌଳିକ ସେବା ଅପହଞ୍ଚ ହୋଇପଡ଼ିଛି। ଏଠାରେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ନିତିଦିନିଆ ଘଟଣା ହୋଇପଡ଼ିଛି। କେବଳ ସେତିକି ନୁହେଁ, ଉକ୍ତ ସରକାରୀ ବସଷ୍ଟାଣ୍ଡରେ ରହିଥିବା ଯାତ୍ରୀ ପ୍ରତୀକ୍ଷାଳୟରେ ଥଣ୍ଡା ପାନୀୟଜଳ ପ୍ରକଳ୍ପ ଅଚଳ ହୋଇପଡ଼ିଥିବା ବେଳେ ସେଠାରେ ଲାଗିଥିବା ଅନେକ ପଙ୍ଖା ମଧ୍ୟ ଅକାମୀ ହୋଇ ଛାତରେ ଝୁଲୁଛି। ଫଳରେ ପ୍ରତୀକ୍ଷାଳୟକୁ ଆଶ୍ରୟ ନେବା ପାଇଁ ଆସୁଥିବା ଯାତ୍ରୀମାନଙ୍କୁ ନାହିଁ ନ ଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେବାକୁ ପଡୁଛି।
ବରଗଡ଼ ସରକାରୀ ବସଷ୍ଟାଣ୍ଡ ଦେଇ ଜିଲା ତଥା ଜିଲା ବାହାରକୁ ଅନେକ ବସ୍‌ ଚଳାଚଳ କରୁଛି। ଏହା ସହିତ ଗ୍ରାମାଞ୍ଚଳକୁ ଲକ୍ଷ୍ମୀବସ୍‌ ମଧ୍ୟ ନିୟମିତ ଯାତାୟାତ କରୁଥିବାବେଳେ ରାଜ୍ୟ ବାହାରକୁ ମଧ୍ୟ ଏଠାରୁ ଯାତ୍ରୀବାହୀ ବସ୍‌ଗୁଡ଼ିକ ଯିବା ଆସିବା କରୁଛି। ଫଳରେ ଏଠାକୁ ଆସୁଥିବା ଯାତ୍ରୀମାନଙ୍କ ସୁବିଧା ପାଇଁ ସରକାରୀ ବସଷ୍ଟାଣ୍ଡ୍‌ ପରିସରରେ ୨୦୨୧-୨୨ ଆର୍ଥିକ ବର୍ଷରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅନୁଦାନ ପାଣ୍ଠିରୁ ୧୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏକ ଯାତ୍ରୀ ପ୍ରତୀକ୍ଷାଳୟ ନିର୍ମିତ ହୋଇଛି। ୨୦୨୩ ଅକ୍ଟୋବର ୧୯ତାରିଖରେ ଏହି ପ୍ରତୀକ୍ଷାଳୟ ଉଦ୍‌ଘାଟିତ ହୋଇଥିଲା। ତେବେ ଉଦ୍‌ଘାଟନୀକୁ ପ୍ରାୟ ଅଢ଼େଇ ବର୍ଷ ପୂରିଥିବାବେଳେ ରକ୍ଷଣାବେକ୍ଷଣ ଅଭାବରୁ ପ୍ରତୀକ୍ଷାଳୟ ଅବ୍ୟବସ୍ଥା ଘେରରେ ପଡ଼ି ରହିଛି।
ପ୍ରତୀକ୍ଷାଳୟକୁ ନିୟମିତ ସଫା କରାଯାଉ ନାହିଁ। ଫଳରେ ଚତୁଃପାର୍ଶ୍ୱରେ କୁଢ଼କୁଢ଼ ମଇଳା, ଆବର୍ଜନା ଏବଂ ଅବ୍ୟବହୃତ ସାମଗ୍ରୀ ପଡ଼ି ରହିଛି। ସେହିପରି ଏଠାରେ ୪ଟି ପଙ୍ଖା(ସିଲିଂ ଫ୍ୟାନ) ଲାଗିଥିଲା। ମାତ୍ର ସେଥିରୁ ଗୋଟିଏ ପଙ୍ଖାକୁ ହଟାଇ ଦିଆଯାଇ ଥିବାବେଳେ ବର୍ତ୍ତମାନ କେବଳ ଗୋଟିଏ ପଙ୍ଖା ଚାଲୁଛି। ଅନ୍ୟ ୨ଟି ପଙ୍ଖା ଅକାମୀ ହୋଇ ଝୁଲି ରହିଛି। କେବଳ ସେତିକି ନୁହେଁ, ପ୍ରତୀକ୍ଷାଳୟ ପରିସରରେ ରହିଥିବା ଥଣ୍ଡା ପାନୀୟଜଳ ପ୍ରକଳ୍ପଟି ଅଚଳ ହୋଇପଡ଼ିଛି। ଫଳରେ ପ୍ରତୀକ୍ଷାଳୟକୁ ଆସୁଥିବା ଯାତ୍ରୀମାନଙ୍କୁ ପାନୀୟଜଳ ପାଇଁ ଡହଳବିକଳ ହେବାକୁ ପଡୁଥିବାବେଳେ ପଙ୍ଖା ଅଚଳ ଥିବାରୁ ଗୁଳୁଗୁଳି, ଗ୍ରୀଷ୍ମ ପ୍ରବାହରେ ସେଠାରେ ଆଶ୍ରୟ ନେବାକୁ ବାଧ୍ୟ ହେଉଛନ୍ତି। ସେହିପରି ବସଷ୍ଟାଣ୍ଡ ପରିସରରେ ରହିଥିବା ଶୌଚାଳୟ କଥା ନ କହିବା ଭଲ, ମାସ ମାସ ଧରି ଅପରିଷ୍କୃତ ଭାବେ ପଡ଼ି ରହିଛି। ଲୋକଙ୍କ ସେବାରେ ତାହା ଆସିବା ତ ଦୂରର କଥା, ସେଠାରୁ ନାକଫଟା ଦୁର୍ଗନ୍ଧ ବାହାରୁଥିବାରୁ ଶୌଚାଳୟକୁ ପ୍ରବେଶ କରିବା କଷ୍ଟସାଧ୍ୟ ହୋଇ ପଡୁଥିବାବେଳେ ସେବା ବଦଳରେ ଉକ୍ତ ଶୌଚାଳୟଟି ସଂକ୍ରାମକ ରୋଗର ବାହକ ସାଜିଛି ବୋଲି ସାଧାରଣରେ ଆଲୋଚନା ହେଉଛି।

Dharitri – Odisha’s No.1 Odia Daily

Share