ମାସେ ହେବ ବିଦ୍ୟାଳୟରେ ପାନୀୟ ଜଳ ସମସ୍ୟା

ନିରାକାରପୁର,୪।୩(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଟାଙ୍ଗୀ ଶିକ୍ଷା ସର୍କଲ ଅନ୍ତର୍ଗତ ନିରାକାରପୁର ପଞ୍ଚାୟତସ୍ଥିତ ଚିତ୍ରକୂଟ ବିହାରରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘ ମାସେ ହେବ ପାନୀୟ ଜଳର ଉକତ୍ଟ ସମସ୍ୟା ଦେଖାଯାଉଛି। ପାଣି ନ ଥିବାରୁ ଛାତ୍ରୀଛାତ୍ର, ଶିକ୍ଷକ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ଅସୁବିଧା ନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି। ଫଳରେ ଶୁକ୍ରବାର ଛାତ୍ରୀଛାତ୍ର, ଶିକ୍ଷକ ଓ ଅଭିଭାବକମାନେ ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ପଦ୍ମପୁରରୁ ମଞ୍ଜରିଆ ମୁଖ୍ୟ ରାସ୍ତା ଉପରେ ଧାରଣା ଦେଇଥିଲେ। ପରେ ବ୍ଲକ ପ୍ରଶାସନ ପକ୍ଷରୁ ଶନିବାର ପାଣି ମିଳିବା ପ୍ରତିଶ୍ରୁତି ମିଳିବା ପରେ ଧାରଣା ହଟିଥିଲା।
ସୂଚନା ଅନୁଯାୟୀ, ଉକ୍ତ ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ସହିତ ଅଙ୍ଗନଓ୍ବାଡି କେନ୍ଦ୍ର ଚାଲୁଛି। ବିଦ୍ୟାଳୟରେ ମୋଟ ୬୮ଜଣ ଛାତ୍ରୀଛାତ୍ର ପଢୁଥିବା ବେଳେ ସେଥିରେ ୧୮ଜଣ ଅଙ୍ଗନଓ୍ବାଡି ପିଲା ରହିଛନ୍ତି। ତେବେ ଚଳିତ ବର୍ଷ ଜାନୁୟାରୀ ୩୦ରୁ ସ୍କୁଲକୁ ଏକମାତ୍ର ଭରସା ଥିବା ନଳକୂପଟି ଖରାପ ହୋଇଯାଇଥିଲା। ଫଳରେ ପିଲାମାନେ ପାଣି ଟୋପେ ପାଇପାରୁ ନ ଥିବାବେଳେ ମଧ୍ୟାହ୍ନଭୋଜନ ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ସ୍କୁଲ ଶିକ୍ଷକମାନେ ସୂଚନା ଦେଇଛନ୍ତି। ଏନେଇ ସରପଞ୍ଚଙ୍କଠାରୁ ଆରମ୍ଭ କରି ବ୍ଲକ ଶିକ୍ଷାଧିକାରୀଙ୍କ ନିକଟକୁ ଲିଖିତ ଅଭିଯୋଗ କରାଯାଇଥିଲେ ମଧ୍ୟ କେହି ଶୁଣି ନ ଥିଲେ। ଫଳରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରୁ ଛାତ୍ରୀଛାତ୍ରଙ୍କ ସହ ରାସ୍ତାରେ ବସିବାକୁ ବାଧ୍ୟ ହେଲୁ ବୋଲି ବିଦ୍ୟାଳୟର ପରିଚାଳନା କମିଟି ଅଧ୍ୟକ୍ଷ ମନୋଜ କୁମାର ପ୍ରଧାନ କହିଛନ୍ତି। ରାସ୍ତା ଅବରୋଧ ଯୋଗୁ ଯାତାୟାତରେ ବାଧାପ୍ରାପ୍ତ ହୋଇଥିଲା। ଏନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସଂଯୁକ୍ତା ଦେଈଙ୍କୁ ପଚାରିବାରେ ଫେବୃୟାରୀ ୧୩ରେ ୧୫ ଦିନ ହେଲା ସ୍କୁଲର ପାନୀୟ ସମସ୍ୟା ନେଇ ସରପଞ୍ଚ, ବ୍ଲକ ଶିକ୍ଷାଧିକାରୀ ଏବଂ ଅନ୍ୟମାନଙ୍କୁ ଲିଖିତ ଅଭିଯୋଗ କରିଥିଲି। ହେଲେ କେହି କର୍ଣ୍ଣପାତ କରି ନ ଥିଲେ ବୋଲି ସେ କହିଛନ୍ତି। ଫଳରେ ଆମେ ପାଣି ପାଇଁ ନାନା ହଇରାଣ ହେଉଛୁ। ଏନେଇ ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ସାବିତ୍ରୀ ସାହୁଙ୍କୁ ପଚାରିବାରେ ବିଡିଓଙ୍କୁ କହି ସପ୍ଲାଇ ପାଣି ଦେଇଛୁ। ସେମାନେ ସରପଞ୍ଚଙ୍କୁ କହି ତାକୁ ଶର୍ଟଆଉଟ୍‌ କରନ୍ତୁ ବୋଲି କହିଛନ୍ତି। ପ୍ରାୟ ୨ଘଣ୍ଟା ପରେ ଖବରପାଇ ବ୍ଲକ ପ୍ରଶାସନ ପକ୍ଷରୁ ବିଡିଓଙ୍କ ନିର୍ଦ୍ଦେଶରେ ୨ଜଣ ମେକାନିକଙ୍କୁ ନଳକୂପ ସଜାଡ଼ିବାକୁ ତୁରନ୍ତ ସ୍କୁଲକୁ ପଠାଯାଇଥିଲା। ମେକାନିକଦ୍ୱୟ ଆସି ନଳକୂପ ଦେଖିବା ସହ ଶନିବାର ସୁଦ୍ଧା ମରାମତି ହୋଇଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ସମସ୍ତେ ରାସ୍ତାରୁ ଉଠିଥିଲେ।

Share