ପାନୀୟ ଜଳ ପ୍ରକଳ୍ପରୁ ମିଳୁନି ପିଇବା ପାଣି: ୧୦୩ରୁ ୨୨ ଅଚଳ, ବଢ଼ୁଛି ଜନ ଅସନ୍ତୋଷ

ଦିଗପହଣ୍ଡି, ୨୩ ଜୁନ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକର ୨୫ଟି ପଞ୍ଚାୟତ ଅଧୀନ ବିଭିନ୍ନ ଗ୍ରାମରେ ସ୍ଥାପିତ ୧୦୩ଟି ପାନୀୟ ଜଳ ପ୍ରକଳ୍ପ ମଧ୍ୟରୁ ୨୨ଟି ଦୀର୍ଘଦିନ ଧରି ଅଚଳ ଅବସ୍ଥାରେ ପଡ଼ି ରହିଛି। ଫଳରେ ଲୋକମାନେ ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଥିବା ବେଳେ ଜନଅସନ୍ତୋଷ ଦିନକୁ ଦିନ ବଢ଼ିବାରେ ଲାଗିଛି।

ପଦ୍ମନାଭପୁର ପଞ୍ଚାୟତର ଭୂଷୁଣ୍ଡା ଗ୍ରାମରେ ଥିବା ୨୦ ହଜାର ଲିଟର କ୍ଷମତା ବିଶିଷ୍ଟ ‘ବସୁଧା’ ପାନୀୟ ଜଳ ପ୍ରକଳ୍ପର ଓଭରହେଡ୍ ଟ୍ୟାଙ୍କକୁ ନୂତନ ଭାବେ ରଙ୍ଗ କରାଯାଇ ନବକଳେବର ଦିଆଯାଇଥିଲେ ମଧ୍ୟ ପ୍ରକଳ୍ପରୁ ଲୋକଙ୍କୁ ପାଣି ମିଳୁନାହିଁ। ପ୍ରାୟ ୧୦ ବର୍ଷ ପୂର୍ବରୁ ନିର୍ମିତ ଏହି ପ୍ରକଳ୍ପ ଅଚଳ ହୋଇପଡ଼ିଥିବା ବେଳେ ଗ୍ରାମବାସୀ କୂଅ ଓ ନଳକୂପ ଉପରେ ନିର୍ଭର କରୁଛନ୍ତି। ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ଦିଗରେ ବିଭାଗୀୟ ଅଧିକାରୀଙ୍କ ତତ୍ପରତା ନ ଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ସେହିପରି କରପଡ଼ା, ନିମଖଣ୍ଡିପେଣ୍ଠ, ଆଙ୍କୋରଡ଼ା ଓ ଗୋକର୍ଣ୍ଣପୁର ପଞ୍ଚାୟତର ମେଘଝୋଳି, ରାଜପୁର ଓ ପିତାମ୍ବରପୁର ଗ୍ରାମର ପାନୀୟ ଜଳ ପ୍ରକଳ୍ପ ମଧ୍ୟ ଦୀର୍ଘଦିନ ଧରି ଅଚଳ ହୋଇପଡ଼ିଛି।

ଏନେଇ ଦିଗପହଣ୍ଡି ବ୍ଲକ ପଞ୍ଚାୟତରାଜ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗର ସହକାରୀ ଯନ୍ତ୍ରୀ ଇଂ. ଭୀମା ରାଓ କହିଛନ୍ତି ଯେ, କରପଡ଼ା ଗ୍ରାମର ପ୍ରକଳ୍ପରେ ପାଣି ଉପଲବ୍ଧ ଥିଲେ ମଧ୍ୟ ମୋଟର ଚାଳନା ପାଇଁ ନିଯୁକ୍ତ କର୍ମଚାରୀଙ୍କୁ ଦୀର୍ଘବର୍ଷ ହେଲା ନିର୍ଦ୍ଧାରିତ ୩୨୦୦ ଟଙ୍କା ପ୍ରଦାନ କରାଯାଉ ନ ଥିବାରୁ ସେ ନିୟମିତ ଭାବେ ମୋଟର ଚଳାଉ ନାହାନ୍ତି।

ରାଜପୁର ଗ୍ରାମରେ ବୋର୍‌ୱେଲ ଖୋଳାଯାଇଥିଲେ ମଧ୍ୟ ଜଳସ୍ତର ନ ଥିବାରୁ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରୁନାହିଁ। ମେଘଝୋଳି ଗ୍ରାମରେ ମେଗା ପାନୀୟ ଜଳ ପ୍ରକଳ୍ପର ପାଇପ ବିଛାଯାଇଥିଲେ ମଧ୍ୟ ଗ୍ୟାପ୍ କ୍ଲୋଜିଂ କାମ ଶେଷ ହୋଇନଥିବାରୁ ଜଳ ଯୋଗାଣ ଆରମ୍ଭ ହୋଇପାରୁନାହିଁ। ଏନେଇ ସମ୍ପୃକ୍ତ ଠିକା ସଂସ୍ଥାକୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନଥିବାରୁ ବିଭାଗ କ୍ଷୋଭ ପ୍ରକାଶ କରିଛି।

ଅନ୍ୟପକ୍ଷରେ ପିତାମ୍ବରପୁର ଗ୍ରାମର ପ୍ରକଳ୍ପକୁ ଅଧାପନ୍ତରିଆ ଭାବେ ଛାଡ଼ି ଦିଆଯାଇଥିବା ବେଳେ ଭୂତଳରେ ପାଇପ ବିଛାଯାଇନାହିଁ ଏବଂ ପ୍ୟାନେଲ ବୋର୍ଡ ଚୋରି ହୋଇଯାଇଥିବାରୁ ପ୍ରକଳ୍ପଟି ଦୟନୀୟ ଅବସ୍ଥାରେ ପଡ଼ି ରହିଛି।

ପ୍ରକଳ୍ପଗୁଡ଼ିକର ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ପର୍ଯ୍ୟାପ୍ତ ଆର୍ଥିକ ଅନୁଦାନ ମିଳୁନଥିବାରୁ ଅନେକ ପ୍ରକଳ୍ପ ଅଚଳ ହୋଇପଡ଼ିଥିବା ବିଭାଗ ପକ୍ଷରୁ କୁହାଯାଇଛି। ତେବେ ଖରାଦିନରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣରେ ଏଭଳି ଅବ୍ୟବସ୍ଥାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

Dharitri – Odisha’s No.1 Odia Daily

Share