ଟାଙ୍କିରୁ ମିଳୁନି ପାନୀୟ ଜଳ

ମାର୍ଶାଘାଇ, ୩ା୯(ଡି.ଏନ.ଏ.): ରାଜ୍ୟ ସରକାର ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ମାଧ୍ୟମରେ ପ୍ରତ୍ୟେକ ଘରକୁ ପାଇପ ଯୋଗେ ବିଶୁଦ୍ଧ ପାଣି ଯୋଗାଇଦେବାର ବ୍ୟବସ୍ଥା କରାଯାଉଛି। ହେଲେ କେଉଁଠି ବିଦ୍ୟୁତ ସମସ୍ୟା ତ କେଉଁଠାରେ ଓଭରହେଡ଼ ପାଣି ଟାଙ୍କିକୁ ବୋରିଂରୁ ପାଣି ଯିବାରେ ସମସ୍ୟା ଯୋଗୁ ଲୋକେ ପାଣି ପିଇବାରୁ ବଞ୍ଚତ୍ତ ହେଉଛନ୍ତି। ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଯମପଡା ଗଁାରେ ୨୦୧୧-୧୨ ମସିହା ଆର୍ଥିକ ବର୍ଷରେ ପ୍ରାୟ କୋଡିଏ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଓଭରହେଡ଼ ପାଣି ଟାଙ୍କି କରାଯାଇଥିଲା। ଏହି ପାଣି ଟାଙ୍କି ପ୍ରଥମ ଦିନରୁ ଲୋକଙ୍କ କାମରେ ଆସୁ ନ ଥିବା ଅଭିଯୋଗ ହେଉଛି। ଗ୍ରାମର ୩ଶହରୁ ଊର୍ଦ୍ଧ୍ୱ ପରିବାରଙ୍କୁ ପାନୀୟ ଜଳ ଯୋଗାଇ ଦେବାର ଲକ୍ଷ୍ୟ ନେଇ ୫୦ ହଜାର ଲିଟର କ୍ଷମତା ବିଶିଷ୍ଟ ଓଭରହେଡ଼ ଟାଙ୍କି ନିର୍ମାଣ କରାଯାଥିଲା। ଦୀର୍ଘ ୧୦ ବର୍ଷରୁ ଊର୍ଦ୍ଧ୍ୱ ହେବ ଟାଙ୍କି ନିର୍ମାଣ ସରି ଯାଇଥିବା ବେଳେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଉଦାସୀନତା ହେତୁ ଦିନଟିଏ ବି ଜଳ ଯୋଗାଣ ସମ୍ଭବ ହୋଇପାରିନାହିଁ ବୋଲି ରାଜ୍ୟ ଖଦି ଓ ଗ୍ରମୋଦ୍ୟାଗ ବୋର୍ଡର ପୂର୍ବତନ ସଭାପତି ତେଜେଶ୍ୱର ପରିଡା ଅଭିଯୋଗ କରିଛନ୍ତି। ତୁରନ୍ତ ଏହି ପାଣି ଟାଙ୍କିକୁ କାର୍ଯ୍ୟକ୍ଷମ କରିବାକୁ ସେ ଦାବି କରିଛନ୍ତି। ଏ ସମ୍ପର୍କରେ କେନ୍ଦ୍ରାପଡା ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ବସନ୍ତ ସେଠୀଙ୍କୁ ପଚାରିବାରେ ପୁରୁଣା ବୋରିଂ ଜାଗାରେ ମାସକ ତଳେ ନୂଆ ବୋରିଂ ହୋଇଛି। ପାଇପ, ଭାଲବ ଆଦି ମରାମତି ପାଇଁ ଟେଣ୍ଡର ପ୍ରକ୍ରିୟା ସରିଛି। ଖୁବ୍‌ଶୀଘ୍ର ଲୋକଙ୍କୁ ପାନୀୟ ଜଳ ଓଭର ହେଡ଼ ଟାଙ୍କି ଜରିଆରେ ଯୋଗାଇ ଦିଆଯିବ।