ଦିଗପହଣ୍ଡି,୧୩।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆଡ଼ପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିକଟରେ ସୋମବାର ଭୋରରେ ଏକ ଅଭାବନୀୟ ଘଟଣା ଘଟିଛି। ଆଡ଼ପଡ଼ା ଗ୍ରାମରେ ରହୁଥିବା କରାଖଣ୍ଡି ଗ୍ରାମର ନଟବର ପ୍ରଧାନ(୭୫) ଭୋର ପ୍ରାୟ ସାଢେ ୫ ଟାରେ ସ୍ବାସ୍ଥ୍ୟକେନ୍ଦ୍ର ନିକଟ ଚା’ ଦୋକାନ ଗଛ ତଳେ ଚା’ ପିଉଥିଲେ। ସେତିକିବେଳେ ଗଛରେ ମାଙ୍କଡ ଡେଇଁବାରୁ ଏକ ବିରାଟକାୟ ଗଛଡ଼ାଳ ଭାଙ୍ଗି ତାଙ୍କ ମୁଣ୍ଡରେ ପଡ଼ିଥିଲା। ଫଳରେ ନଟବର ଗୁରୁତର ହୋଇପଡିଥିଲେ।
ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।