ଅମରପାଲି,୩୦ା୧୦(ପୀତାମ୍ବର ସାହୁ): ବାତ୍ୟା ଅର୍ଣ୍ଣବ ପ୍ରଭାବରେ ହୋଇଥିବା ଲଗାଣ ବର୍ଷା ଓ ପବନ ଯୋଗୁ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡରେ ବ୍ୟାପକ ଧାନଫସଲ କ୍ଷତିଗ୍ରସ୍ତ ହୋଇଛି। ଅମଳ ପାଇଁ ପ୍ରସ୍ତୁତ ପାଚିଲା ଧାନଗଛ ସବୁ ଜମିରେ ଲୋଟିପଡ଼ିଥିବା ବେଳେ ବର୍ଷା ପାଣି ଜମି ରହିବା ଯୋଗୁ ଧାନ ଗଜା ହୋଇଯିବା ଆଶଙ୍କା ଦେଖାଦେଇଛି।
ପ୍ରାରମ୍ଭରେ ରୋଗପୋକ ଓ ପରେ ବର୍ଷା ଅଭାବରୁ ଫସଲ ବଞ୍ଚାଇବା ପାଇଁ ଧାରକରଜ କରିଥିବା ଚାଷୀମାନେ ଏବେ ଅମଳ ସମୟର ଏହି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ସମ୍ପୂର୍ଣ୍ଣ ହତାଶ ହୋଇପଡ଼ିଛନ୍ତି। ଅମରପାଲି, ଖଣ୍ଡହତା, କେନଝିରିଆପାଲି, କର୍ଡାପାଲ, କୁଡ଼ାପଡ଼ା ଓ ଗୋପପାଲି ଆଦି ଗ୍ରାମର ଚାଷୀମାନଙ୍କ କହିବା ଅନୁଯାୟୀ, ଅସମୟ ବର୍ଷା ଓ ପବନ ଯୋଗୁ ଛିଡ଼ା ଫସଲ ସହ କାଟି ରଖାଯାଇଥିବା ଧାନ ମଧ୍ୟ ପାଣିରେ ବୁଡ଼ି ନଷ୍ଟ ହେବାକୁ ବସିଛି।
ଏହି କ୍ଷତିଗ୍ରସ୍ତ ଅଞ୍ଚଳଗୁଡ଼ିକରେ ତୁରନ୍ତ ସରକାରୀ ସ୍ତରରେ କ୍ଷୟକ୍ଷତି ଆକଳନ କରାଯାଇ ଉଚିତ୍ କ୍ଷତିପୂରଣ ଯୋଗାଇ ଦେବାକୁ କୃଷକମାନେ ଦାବି କରିଛନ୍ତି।