ଡ୍ରେନ୍‌, ଶୌଚାଳୟ ସମସ୍ୟାରେ ସ୍ଥାନୀୟ ବାସିନ୍ଦା

ବ୍ରହ୍ମପୁର ଅଫିସ,୨।୩ ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ୩୨ ନଂ. ୱାର୍ଡ, ଯାହାକି ବର୍ତ୍ତମାନ ୩୪ ନଂ. ୱାର୍ଡରେ ପରିଣତ ହୋଇଛି। ଏହି ୱାର୍ଡରେ ଭୋଟର ସଂଖ୍ୟା ୬୦୩୫। ପୁରୁଷ ୩୦୦୩ ଓ ମହିଳା ଭୋଟର ସଂଖ୍ୟା ୩୦୩୨ ରହିଛି। ଏହି ୱାର୍ଡରେ ଗୋଇଲୁଣ୍ଡି, ଗୋଇଲୁଣ୍ଡି ବଡ ସାହି, ଶାନ୍ତି ନଗର, ଭାବା ନଗର, ବିଦ୍ୟାନଗର, ଶ୍ରୀନଗର, ବାଗଦେବୀ ମୁଖ୍ୟ ରାସ୍ତା ଓ ଭାବା ନଗର ୩ୟ ଲାଇନ ରହିଛି। ତେବେ ଉକ୍ତ ୱାର୍ଡରେ ଡ୍ରେନ୍‌ ସମସ୍ୟା ସାଙ୍ଗକୁ ଶୌଚାଳୟ ମୁଖ୍ୟ ସମସ୍ୟା ରହିଛି। ଦୀର୍ଘ ଦିନ ଧରି ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଶୌଚାଳୟ ନିର୍ମାଣ ନିମନ୍ତେ ଦାବି ହୋଇ ଆସୁଥିଲେ ସୁଦ୍ଧା ବର୍ତ୍ତମାନ ତାହା ନିର୍ମାଣ ହୋଇପାରି ନାହିଁ। ୱାର୍ଡରେ ଥିବା ଏକ ପୋଖରୀ ନିକଟରେ ଶୌଚାଳୟ ନିର୍ମାଣ ନିମନ୍ତେ ଶିଳାନ୍ୟାସ ସହ କାର୍ଯ୍ୟ ଆରମ୍ଭ ହୋଇଥିଲା। କିନ୍ତୁ କୌଣସି କାରଣରୁ ବର୍ତ୍ତମାନ ଏହି ଶୌଚାଳୟ ଅର୍ଦ୍ଧନିର୍ମିତ ଅବସ୍ଥାରେ ରହିଛି। ଯାହାଦ୍ୱାରା ସ୍ଥାନୀୟ ବାସିନ୍ଦା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଏପରି କି ଏହି ୱାର୍ଡରେ ମୋ ପାଇଖାନା ମୋ ସ୍ବାଭିମାନ ଯୋଜନାରେ ପାଇଖାନା ନିର୍ମାଣ କରାଯାଇଛି। କିନ୍ତୁ ଏଠାରେ ପାନୀୟ ଜଳ ସୁବିଧା ନ ଥିବାରୁ ଏହା ବ୍ୟବହାର ଉପଯୋଗୀ ହୋଇପାରୁ ନାହିଁ। ଏଭଳି ଭାବେ ୱାର୍ଡରେ ଥିବା ପୋଖରୀଟି ପରିଷ୍କାର ପରିଚ୍ଛନ୍ନ ରଖାଯାଉ ନ ଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଯାହାଦ୍ୱାରା ପୋଖରୀ ଉପରେ ନିର୍ଭର କରୁଥିବା ବାସିନ୍ଦା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।