ବରଗଡ଼,୨୭।୪(ପ୍ରେମାନନ୍ଦ ଖମାରୀ) : ବରଗଡ଼ ସହରକୁ ବିକଶିତ କରିବା ଲକ୍ଷ୍ୟ ନେଇ ପର୍ଯ୍ୟାୟକ୍ରମେ ଜବରଦଖଲ ଉଚ୍ଛେଦ କରାଯାଉଛି। ଏହି କ୍ରମରେ କେଉଁଠି ରାସ୍ତା ପ୍ରଶସ୍ତୀକରଣ ତ ଆଉ କେଉଁଠାରେ ରାସ୍ତାପାର୍ଶ୍ୱରେ ଡ୍ରେନ୍ ନିର୍ମାଣ ଚାଲିଛି। ମାତ୍ର ସହରର ବିଭିନ୍ନ ଗଳିକନ୍ଦିର ଅବସ୍ଥାକୁ ଦେଖିଲେ ଏଠାରେ ବିକାଶ ବାଟବଣା ହୋଇପଡ଼ିଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି। ରାସ୍ତାରେ ରହିଥିବା ଅନେକ ଡ୍ରେନ୍ ବାଲି, ମାଟି, ଆବର୍ଜନା ଆଦିରେ ପୋତି ହୋଇଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ନୂତନ ଡ୍ରେନ୍ ନିର୍ମାଣ ଅଧାବାଟରେ ଅଟକି ଯାଇଛି। ଫଳରେ ଏତେ ଟାଣଖରାରେ ମଧ୍ୟ ସହରସ୍ଥିତ ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ଡ୍ରେନ୍ ଅର୍ଥାତ୍ ନର୍ଦ୍ଦମା ପାଣି ବହୁଛି। ସହରସ୍ଥିତ ୱାର୍ଡ ନଂ-୨ ଓ ୪ର ଲୋକେ ନିର୍ଭର କରୁଥିବା ସ୍ଥାନୀୟ ଲମ୍ବା ବିଲ୍ଡିଂ ଛକରୁ ସମଲେଶ୍ୱରୀ ମନ୍ଦିର ପଟକୁ ଯାଇଥିବା ଏକ ରାସ୍ତାରେ ଏଭଳି ସମସ୍ୟା ଦେଖାଯାଇଛି। ଦୀର୍ଘ ୩ମାସ ହେଲା, ଏଠାରେ ଏହି ସମସ୍ୟା ଲାଗି ରହିଛି। ମାତ୍ର ପୌର ପରିଷଦ ଏହାର ସ୍ଥାୟୀ ସମାଧାନ କରି ପାରି ନ ଥିବାରୁ ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନା ଅନୁଯାୟୀ, ଉକ୍ତ ରାସ୍ତା ପାର୍ଶ୍ୱରେ ଡ୍ରେନ୍ ରହିଥିଲେ ହେଁ ସେଠାରୁ ନର୍ଦ୍ଦମା ପାଣି ନିଷ୍କାସିତ ହୋଇପାରି ନ ଥିଲା। ଫଳରେ ସେଠାରୁ ଏକ ନୂତନ ଡ୍ରେନ୍ ନିର୍ମାଣ କରାଯାଇଥିଲା। ନୂତନ ଡ୍ରେନ୍ ନିର୍ମାଣ ଅଧାରେ ଅଟକି ରହିଛି। ଅନ୍ୟପଟେ ରାସ୍ତାରେ ରହିଥିବା ପୁରୁଣା ଡ୍ରେନ୍ରେ ବାଲି, ମାଟି, ଆବର୍ଜନା ଆଦି ଭରି ରହିଛି। ଫଳରେ ନର୍ଦ୍ଦମା ତଥା ଡ୍ରେନ୍ ପାଣି ନିଷ୍କାସିତ ହୋଇପାରୁ ନାହିଁ ଏବଂ ତାହା ରାସ୍ତା ଉପରେ ପ୍ରବାହିତ ହେବା ସହିତ ଜମି ରହୁଛି। ଏଥିପାଇଁ ମଶା, ମାଛି ସମେତ ଅନେକ ରୋଗ ଜୀବାଣୁ ଉପଦ୍ରବ କରୁଛନ୍ତି। କେବଳ ସେତିକି ନୁହେଁ, ସହରର ବିଭିନ୍ନ ସ୍ଥାନରେ କୁଢ଼କୁଢ଼ ମଇଲା, ଆବର୍ଜନା ସ୍ତୂପଭଳି ମଧ୍ୟ ଦୀର୍ଘଦିନ ଧରି ପଡ଼ି ରହୁଛି। ଏଥିରୁ ସହରରେ ପରିମଳ ବ୍ୟବସ୍ଥା କିଭଳି ରହିଛି, ତାହା ଆପେ ବାରି ହୋଇ ପଡୁଛି। ତେବେ ତୁରନ୍ତ ଏହାର ସ୍ଥାୟୀ ସମାଧାନ କରା ନ ଗଲେ ପଡ଼ାବାସୀ ଆଗକୁ ବିଭିନ୍ନ ସଂକ୍ରାମକ ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ରହିଛି। ଏହି ଦୃଷ୍ଟିରୁ ଏ ଦିଗରେ ପ୍ରଶାସନ ପକ୍ଷରୁ ତ୍ୱରିତ୍ ପଦକ୍ଷେପ ନେବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।