ପ୍ରଦ୍ମଶ୍ରୀ ଡା. ଅଶୋକ ମହାପାତ୍ରଙ୍କ ପରଲୋକ: ଖେଲିଗଲା ଶୋକର ଛାୟା

ନୂଆଦିଲ୍ଲୀ,୨।୧୧: ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ତଥା ପ୍ରଦ୍ମଶ୍ରୀ ଡାକ୍ତର ଅଶୋକ ମହାପାତ୍ରଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ବ୍ରେନ ଷ୍ଟ୍ରୋକ ପରେ ଦିଲ୍ଲୀ ଏମ୍ସରେ ସେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧିନ ଅବସ୍ଥାରେ ତାଙ୍କୁ ମୃତ୍ୟୁ ଘଟିଛି। ତାଙ୍କ ମୃତ୍ୟୁରେ ଚିକିତ୍ସା କ୍ଷେତ୍ରରେ ଶୋକର ଛାୟା ଖେଳିଯାଇଛି।
ସୂଚନାଯୋଗ୍ୟ, ଭୁବନେଶ୍ୱର ଏମ୍ସର ପ୍ରତିଷ୍ଠାତା ନିର୍ଦ୍ଦେଶକ ଥିଲେ ଡାକ୍ତର ଅଶୋକ ମହାପାତ୍ର। ଏହାସହ ସେ ନୂଆଦିଲ୍ଲୀ ଏମ୍ସର ନ୍ୟୁରୋସର୍ଜରୀ ବିଭାଗର ପୂର୍ବତନ ମୁଖ୍ୟ, ସଞ୍ଜୟ ଗାନ୍ଧୀ ପୋଷ୍ଟଗ୍ରାଜୁଏଟ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ (SGPGIMS) ଲକ୍ଷ୍ନୌର ପୂର୍ବତନ ନିର୍ଦ୍ଦେଶକ ଏବଂ ଶିକ୍ଷା ଓ ଅନୁସନ୍ଧାନ (SOA) ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ତଥା ମୁଖ୍ୟ ପରାମର୍ଶଦାତା ଥିଲେ।
ଭାରତର ପ୍ରଥମ ୧୬ ଘଣ୍ଟିଆ ଜଟିଳ ଅସ୍ତ୍ରୋପଚାର ଦ୍ୱାରା ଯୋଡା ମୁଣ୍ଡ ଥିବା ଶିଶୁ ଜଗା ଓ କାଳିଆଙ୍କୁ ଅଲଗା କରିବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ତାଙ୍କୁ ୨୦୨୪ ମସିହାରେ ଚିକିତ୍ସା କ୍ଷେତ୍ରରେ ଅବଦାନ ପାଇଁ ଭାରତ ସରକାରଙ୍କ ଦ୍ୱାରା ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା।

 

Dharitri – Odisha’s No.1 Odia Daily

Share