ବଣାଇଁ,୧୫ା୫(ପ୍ରଦୀପ ତ୍ରିପାଠୀ): ଗୁରୁବାର ରାତିରେ ଓଏମ୍ସି ଖଣ୍ଡାଧାର ଲୌହଖଣିରେ ଏକ ଅଘଟଣ ଘଟିଥିବାର ସୂଚନା ମିଳିଥିଲା। ସମ୍ପ୍ରତ୍ତି ଏହି ଖଣି ଆଦାନୀ କମ୍ପାନୀକୁ ମିଳିଥିବା ବେଳେ କମ୍ପାନୀ ପୁଣି ସବ୍ ଲିଜ୍ ଧାତ୍ରୀ ମାଇନ୍ସ ରିସୋସୋର୍ସ ଠିକାସଂସ୍ଥାକୁ ଦେଇଛି। ଡମ୍ପିଂୟାର୍ଡରେ ଠିକାସଂସ୍ଥା ଧାତ୍ରୀ ମାଇନ୍ସ ରିସୋର୍ସେସ ପ୍ରାଇଭେଟ୍ ଲିମିଟେଡ୍ରେ ଲାଗିଥିବା ଏକ ଡୋଜର ସହିତ ଚାଳକ ଅବିନାଶ କେରକେଟା ଗତ ରାତି ପ୍ରାୟ ୨୫୦ ଫୁଟ ତଳକୁ ଡୋଜର ସହ ଖସି ଯାଇଥିଲେ। ଆଜି ସକାଳେ ଏହି ଖବର ପାଇ ଘଟଣାସ୍ଥଳରେ ଲହୁଣିପ ପୋଲିସ ଓ ଅଗ୍ନିଶମ ବିଭାଗ ଦୀର୍ଘ ସମୟ ଧରି ଖୋଜିବା ପରେ ଏବେ ଡୋଜର ଚାଳକ ଅବିନାଶଙ୍କ ମୃତଦେହ ପଥର ତଳୁ ଠାବ କରିବା ପରେ ଉଦ୍ଧାର କରିଥିବା ସୂଚନା ହସ୍ତଗତ ହୋଇଛି। ମୃତକ ବରସୁଆଁ ତଳବଜାର ବାସିନ୍ଦା କିଶୋର କେରକେଟା ଏବଂ ମା’ ସୁଷମା କେରକେଟାଙ୍କ ବଡ଼ ପୁଅ ଅବିନାଶ କେରକେଟା ବୋଲି ଜଣାପଡ଼ିଛି।
ଘଟଣାସ୍ଥଳକୁ ଘର ଲୋକଙ୍କୁ ଖଣି କର୍ତ୍ତୃପକ୍ଷ ଛାଡ଼ି ନ ଥିବାରୁ ଲୋକମାନେ ଉତ୍ତ୍ୟକ୍ତ ହେବାର ଦେଖିବାକୁ ମିଳିଥିଲା। ପୂର୍ବରୁ ୨୪ ଘଣ୍ଟା ଡିଉଟି କରି ସାରିବା ପରେ ମଧ୍ୟ ତାକୁ ଜୋର ଜବରଦସ୍ତ କାମ କରିବାକୁ ବାଧ୍ୟ କରାଯାଇ ଥିଲା। ଯାହା ଫଳରେ ଏହି ଅଘଟଣ ଘଟିଛି ବୋଲି ସାଥୀ ଶ୍ରମିକମାନେ ଆଲୋଚନା କରିବାର ଶୁଣିବାକୁ ମିଳିଥିଲା। ଏହା ସମ୍ପୂର୍ଣ୍ଣ ଖଣି କର୍ତ୍ତୃପକ୍ଷଙ୍କ ଅବହେଳା ବୋଲି ସାଧାରଣରେ ଆଲୋଚନା ହେଉଥିବା ସହିତ ଏବେ ଶ୍ରମିକ ଓ ମୃତକର ପରିବାର ଖଣି କାର୍ଯ୍ୟାଳୟକୁ ଘେରାଉ କରି ରଖିଛନ୍ତି।