ଦଶଦିନରେ ଦୁଇଗୁଣ ସଂକ୍ରମଣ: ଭୁବନେଶ୍ୱରରେ ୬୦୦ ଟପିଲା କରୋନା ଆକ୍ରାନ୍ତ ସଂଖ୍ୟା

ଭୁବନେଶ୍ୱର, ୧୧।୭ (ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଏବେ କରୋନା ସଂକ୍ରମଣ ମାଡ଼ି ଚାଲିଛି। ଜୁଲାଇ ଆରମ୍ଭରୁ କୋଭିଡ୍‌-୧୯ ଉଗ୍ର ହେବାରେ ଲାଗିଛି। ଶେଷ ୨୪ ଘଣ୍ଟାରେ ଆଉ ୪୫ ପଜିଟିଭ ଚିହ୍ନଟ ହୋଇଛନ୍ତି। ୩୫ଜଣ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୧୦ଜଣ ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି। ଏହାକୁ ମିଶାଇ ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ୬୦୨ରେ ପହଞ୍ଚତ୍ଛି। ବିଶେଷକରି ଜୁଲାଇ ୧୦ଦିନରେ ସଂକ୍ରମଣ ଦ୍ୱିଗୁଣିତ ହୋଇଛି। ୧ ତାରିଖ ସୁଦ୍ଧା ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୨୦ ରହିଥିବାବେଳେ ୧୦ ତାରିଖରେ ୬ଶହ ଡେଇଁଛି। ଅର୍ଥାତ୍‌ କେବଳ ୧୦ଦିନରେ ୨୮୨ଜଣ ସଂକ୍ରମିତ ହୋଇଛନ୍ତି। ଏଥିମଧ୍ୟରୁ ୧୭୧ କ୍ୱାରାଣ୍ଟାଇନ୍‌ ମାମଲା ଥିବାବେଳେ ୧୧୧ଟି ସ୍ଥାନୀୟ ସଂକ୍ରମିତ ରହିଥିବା ଜଣାପଡ଼ିଛି। ଯଦି ସଂକ୍ରମଣ ଏପରି ଭାବେ ବଢ଼ିବ, ତେବେ ଜୁଲାଇ ଶେଷସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୨ହଜାର ଟପିଯାଇଥିବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି।
ଅନ୍ୟପକ୍ଷରେ ପ୍ରତିଦିନ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର କୋଭିଡ୍‌ ତଥ୍ୟକୁ ତର୍ଜମା କଲେ ସ୍ଥାନୀୟ ଆକ୍ରାନ୍ତଙ୍କ ହାର ବଢ଼ୁଥିବାରୁ ଆଗାମୀ ସ୍ଥିତି ଅସମ୍ଭାଳ ହୋଇପଡିବ ବୋଲି ଜଣାପଡୁଛି। ଶୁକ୍ରବାର ମିଳିଥିବା ତଥ୍ୟ ଅନୁସାରେ, ନୂଆ ଚିହ୍ନଟଙ୍କ ମଧ୍ୟରୁ ୧୦ ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି। ସେମାନେ ହେଲେ ବଡ଼ଗଡ଼ ବ୍ରିଟ୍‌ କଲୋନୀର ଜଣେ ୪୫ ବର୍ଷୀୟ ବ୍ୟକ୍ତି, ପଟିଆ ନୀଳକଣ୍ଠେଶ୍ୱର ମନ୍ଦିର ଅଞ୍ଚଳର ଜଣେ ୭୧ ବର୍ଷର ବୃଦ୍ଧ, ଶୈଳଶ୍ରୀ ବିହାରରୁ ଜଣେ ୭୩ ବର୍ଷୀୟ ବୃଦ୍ଧା, ଶୁକ ବିହାରରୁ ୨ଜଣ ( ୨୫ବର୍ଷୀୟ ଯୁବକ ଓ ୪୫ ବର୍ଷୀୟ ମହିଳା), ନୀଳାଦ୍ରିବିହାରରୁ ଜଣେ ୫୪ ବର୍ଷୀୟ ପୁରୁଷ, ବିଜେବିନଗର ଲୁଇସ୍‌ ରୋଡ୍‌ରୁ ଜଣେ ୨୭ ବର୍ଷୀୟ ଯୁବକ, ପଳାଶୁଣି ନିକଟ ଜିଜିପି କଲୋନୀରୁ ଜଣେ ୨୦ ବର୍ଷୀୟ ଯୁବତୀ ଓ ଘାଟିକିଆ ଖଣ୍ଡଗିରିବାରିରୁ ଜଣେ ୮୩ ବର୍ଷୀୟ ବୃଦ୍ଧ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେହିଭଳି ୧୦ ସ୍ଥାନୀୟ ଆକ୍ରାନ୍ତ ଭାବେ ସୂର୍ଯ୍ୟନଗରରୁ ଚିହ୍ନଟ ହୋଇଥିବା ୨୯ ବର୍ଷୀୟ ଯୁବକ ଜଣକ ହେଉଛନ୍ତି ଦାନ୍ତ ଡାକ୍ତର। ସେ ଘରୋଇ କ୍ଲିନିକ୍‌ରେ ରୋଗୀଙ୍କୁ ଚିକିତ୍ସା କରୁଥିବା ବିଏମ୍‌ସି ତଥ୍ୟରୁ ଜଣାପଡିଛି।
ଅନ୍ୟପକ୍ଷରେ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ୩୫ଜଣଙ୍କ ମଧ୍ୟରୁ ୨୧ଜଣ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି। ସେହିଭଳି କେନ୍ଦ୍ରୀୟ ମେଡିକାଲ ଏମ୍‌ସ ଭୁବନେଶ୍ୱରର ୧୧ଜଣ କର୍ମଚାରୀ, ଡୁମୁଡୁମାରୁ ଚିହ୍ନଟ ୨ଜଣଙ୍କର କୋଲକାତା ଗସ୍ତ ବିବରଣୀ ରହିଛି ଓ କଳିଙ୍ଗନଗରରୁ ଚିହ୍ନଟ ଜଣେ ବ୍ୟକ୍ତି ଏକ ଘରୋଇ ହସ୍ପିଟାଲର ଆଟେଣ୍ଡାଣ୍ଟ ବୋଲି ଜଣାପଡିଛି। ଏହାବ୍ୟତୀତ ୨୪ ଘଣ୍ଟାରେ ଭୁବନେଶ୍ୱରରୁ ଆଉ ୬ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ଭୁବନେଶ୍ୱରରେ ୩୦୮ଜଣ ସୁସ୍ଥ ଥିବାବେଳେ ୨୮୬ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି।