ମାଲକାନଗିରିରୁ ଉଡ଼ିବ ଡବଲ ଇଞ୍ଜିନ ବିମାନ

ମାଲକାନଗିରି, ୧୩।୭(ଗୌରିଶଙ୍କର ପଣ୍ଡା): ମାଲକାନଗିରି ବିମାନବନ୍ଦରକୁ ଏବେ କେବଳ ଛୋଟ ବିମାନ ଚଳାଚଳ କରାଯିବ ନାହିଁ। ଆଗକୁ ପ୍ରାୟ ୧୨୦ ଆସନ ବିଶିଷ୍ଟ ଡବଲ ଇଞ୍ଜିନ ଯାତ୍ରୀବାହୀ ବିମାନ ଚଳାଚଳ ପାଇଁ ବିମାନବନ୍ଦରର ରନୱେ ସମ୍ପ୍ରସାରଣ କରାଯିବ। ଏହାକୁ ନେଇ ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

ବର୍ତ୍ତମାନ ୧୬୨୦ ମିଟର ଲମ୍ବ ଏବଂ ୩୦ ମିଟର ଚଉଡ଼ା ରନୱେକୁ ଆହୁରି ୩୦୦ ମିଟର ବୃଦ୍ଧି କରାଯିବ। ଏଥିପାଇଁ ଡିପିଆର୍‌ ପ୍ରସ୍ତୁତ କରାଯାଇ ସରକାରଙ୍କ ଅନୁମୋଦନ ପାଇଁ ପଠାଯାଇଛି। ରନୱେ ସମ୍ପ୍ରସାରଣ ପାଇଁ ପ୍ରାୟ ୫୧ କୋଟି ଟଙ୍କା ବ୍ୟୟର ପ୍ରସ୍ତାବ ରହିଥିବାବେଳେ ଏହାକୁ ରାଜ୍ୟର ଅନ୍ୟତମ ପ୍ରମୁଖ ବିମାନବନ୍ଦରରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଛି। ବର୍ତ୍ତମାନ ବିମାନବନ୍ଦରର ଅଧିକାଂଶ କାମ ଶେଷ ହୋଇଥିଲେ ମଧ୍ୟ ସୁରକ୍ଷା ବ୍ୟବସ୍ଥା, ସଂଯୋଗୀକରଣ ରାସ୍ତା ଓ କିଛି ପ୍ରଶାସନିକ ଅନୁମୋଦନ ଅପେକ୍ଷାରେ ରହିଛି।

ସବୁକିଛି ସମ୍ପୂର୍ଣ୍ଣ ହେଲେ ମାଲକାନଗିରିରୁ ଭୁବନେଶ୍ୱର, ହାଇଦ୍ରାବାଦ, ରାୟପୁର ଓ ବିଶାଖାପଟଣାକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବା ସମ୍ଭାବନା ରହିଛି। ଜିଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ କହିବା ଅନୁସାରେ, ଆଖପାଖ ଜିଲାଗୁଡ଼ିକରେ ଏଭଳି ବୃହତ୍‌ ବିମାନବନ୍ଦର ନ ଥିବାରୁ ମାଲକାନଗିରି ବିମାନବନ୍ଦର କେବଳ ଜିଲା ନୁହେଁ ସମଗ୍ର ଦକ୍ଷିଣ ଓଡ଼ିଶା ପାଇଁ ଏକ ନୂଆ ବିକାଶର ଦ୍ୱାର ଖୋଲିବ।

ବ୍ୟବସାୟ, ପର୍ଯ୍ୟଟନ, ଶିଳ୍ପ, ଶିକ୍ଷା ଓ ଚିକିତ୍ସା କ୍ଷେତ୍ରରେ ଏହାର ସକାରାତ୍ମକ ପ୍ରଭାବ ପଡ଼ିବା ସହ ଜିଲାର ଆର୍ଥିକ ବିକାଶକୁ ମଧ୍ୟ ନୂଆ ଗତି ମିଳିବ। ଉଲ୍ଲେଖଯୋଗ୍ୟ, ୨୦୨୪ ମସିହାରେ ବିମାନବନ୍ଦରର ଉଦ୍‌ଘାଟନ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ନିୟମିତ ବିମାନ ସେବା ଆରମ୍ଭ ହୋଇନାହିଁ। ତେବେ ସମ୍ପ୍ରସାରଣ ଯୋଜନା ଘୋଷଣା ପରେ ଜିଲାବାସୀଙ୍କ ଆଶା ବଢ଼ିଛି। ଯଥାଶୀଘ୍ର ବିମାନ ସେବା ଆରମ୍ଭ ହୋଇ ମାଲକାନଗିରି ରାଜ୍ୟର ପ୍ରମୁଖ ବିମାନ ମାନଚିତ୍ରରେ ସ୍ଥାନ ପାଇବ ବୋଲି ସମସ୍ତଙ୍କ ଆଶା ରହିଛି।

Share