ଗୁରୁତର ନ ଥିଲେ କଟକ, ଭୁବନେଶ୍ୱର ପଠାଅ ନାହିଁ

ଭୁବନେଶ୍ୱର,୧୬।୯(ବ୍ୟୁରୋ):ରାଜଧାନୀ ଭୁବନେଶ୍ୱରରେ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟାରେ ବୃଦ୍ଧି ଘଟି ଚାଲିଛି। କଟକ ଓ ଭୁବନେଶ୍ୱର ଏକ ପ୍ରକାର ହଟ୍‌ସ୍ପଟ୍‌ ପାଲଟିଛି। ଏପରି ସ୍ଥଳେ ଅନ୍ୟ ଜିଲାଗୁଡିକରୁ କମ୍‌ ଲକ୍ଷଣ ଥିବା କରୋନା ରୋଗୀଙ୍କୁ ଜିଲା ପ୍ରଶାସନ ଭୁବନେଶ୍ୱରକୁ ମନଇଚ୍ଛା ପଠାଇ ଦେଉଛନ୍ତି। ଗୁରୁତର ହୋଇ ନ ଥିବା ରୋଗୀଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର ନ କରିବାକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜିଲା ମେଡିକାଲ ଅଫିସରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରୋଗୀଙ୍କୁ ସ୍ଥାନାନ୍ତର କରିବା ପୂର୍ବରୁ ଭୁବନେଶ୍ୱର କୋଭିଡ୍‌ ହସ୍ପିଟାଲ ମେଡିକାଲ ଅଫିସରଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେବାକୁ କୁହାଯାଇଛି।
ଘରୋଇ ହସ୍ପିଟାଲ ଦ୍ୱାରା ବିଭିନ୍ନ ଜିଲାରେ କୋଭିଡ୍‌ ହସ୍ପିଟାଲ ଖୋଲାଯାଇଛି। ମାତ୍ର ସେହି ସବୁ ହସ୍ପିଟାଲରେ ବେଡ୍‌ ଖାଲି ପଡୁଛି। ଏ ବାବଦରେ ସରକାରଙ୍କ ଠାରୁ ଅର୍ଥ ନେଉଥିଲେ ମଧ୍ୟ ଉକ୍ତ ହସ୍ପିଟାଲଗୁଡିକରେ ରୋଗୀଙ୍କୁ ଚିକିତ୍ସା କରାଯାଉ ନାହିଁ। ଏହାକୁ ଦୃଷ୍ଟିରେ ରଖି ଜିଲାସ୍ତରରେ ଥିବା ବିଭିନ୍ନ କୋଭିଡ୍‌ ହସ୍ପିଟାଲଗୁଡିକୁ ବ୍ୟବହାର କରିବା ପାଇଁ ପରାମର୍ଶ ଦିଆଯାଇଛି।
ଏଥିସହିତ ଯେଉଁମାନଙ୍କର କୌଣସି ଲକ୍ଷଣ ନାହିଁ ସେମାନେ ଘରେ ଆଇସୋଲେଶନରେ ରହି ଚିକିତ୍ସିତ ହେବାକୁ କୁହାଯାଇଛି। ଏ ନେଇ ଜିଲା ମେଡିକାଲ ଅଫିସର ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ କୁହାଯାଇଛି। କଟକ ଓ ଭୁବନେଶ୍ୱରରେ ଥିବା କୋଭିଡ୍‌ ହସ୍ପିଟାଲଗୁଡିକରେ ପ୍ରାୟ ୨୦ ପ୍ରତିଶତ ସ୍ଥାନୀୟ କରୋନା ରୋଗୀ ଥିବା ବେଳେ ଅନ୍ୟସବୁ ବେଡ୍‌ଗୁଡିକରେ ରାଜ୍ୟର ବିଭିନ୍ନ ଭାଗରୁ ଆସିଥିବା ରୋଗୀମାନେ ରହିଛନ୍ତି। ଭଲ ଚିକିତ୍ସା ପାଇବା ଆଶାରେ ପୁରୀ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦ୍ରାପଡା ଓ ଯାଜପୁର ଭଳି ଜିଲାଗୁଡିକରୁ ଅଧିକାଂଶ ରୋଗୀ ଭୁବନେଶ୍ୱର ଓ କଟକ ସହରରେ ଥିବା ବିଭିନ୍ନ ହସ୍ପିଟାଲକୁ ଚକିତ୍ସା ପାଇଁ ଆସୁଥିବା ଜଣାପଡିଛି। ଦ୍ୱୈତ ନଗରୀରେ ଭିଡ଼ କମାଇବାକୁ ଏଭଳି ପରାମର୍ଶ ଦିଆଯାଇଛି।