ଓ୍ବାଶିଂଟନ,୨୦ା୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା କଡ଼ା ନୂଆ ପ୍ରବାସ ନିୟମ ଲାଗୁ କରାଯିବା ପରେ ମେଟା ଏବଂ ମାଇକ୍ରୋସଫ୍ଟ ଭଳି ପ୍ରମୁଖ ଟେକ୍ କମ୍ପାନୀଗୁଡ଼ିକ ସେମାନଙ୍କର H-1B ଭିଜାଧାରୀ କର୍ମଚାରୀମାନଙ୍କୁ ଆମେରିକା ନ ଛାଡିବାକୁ ପରାମର୍ଶ ଦେଇଛନ୍ତି। କମ୍ପାନୀଗୁଡ଼ିକ ଚେତାବନୀ ଦେଇଛନ୍ତି ଯେ, ଛାଡିବା ଫଳରେ ପୁନଃପ୍ରବେଶରେ ଅସୁବିଧା ହୋଇପାରେ। ସେମାନେ ଦେଶରେ ନ ଥିବା କର୍ମଚାରୀମାନଙ୍କୁ ସେପ୍ଟେମ୍ବର ୨୧ ତାରିଖମଧ୍ୟରାତ୍ରି ପୂର୍ବରୁ ଫେରି ଆସିବାକୁ ଅନୁରୋଧ କରିଛନ୍ତି।
ନ୍ୟୁୟର୍କର ପ୍ରସିଦ୍ଧ ଇମିଗ୍ରେସନ ଓକିଲ ସାଇସର ମେହେଟ୍ଟା ‘X’ରେ ଏକ ପୋଷ୍ଟରେ କହିଛନ୍ତି, ଯେଉଁ H-1B ଭିଜାଧାରୀମାନେ ବ୍ୟବସାୟ କିମ୍ବା ଛୁଟି ପାଇଁ ଆମେରିକା ବାହାରେ ଅଛନ୍ତି ସେମାନେ ସେପ୍ଟେମ୍ବର ୨୧ ତାରିଖ ମଧ୍ୟରାତ୍ରି ପୂର୍ବରୁ ପ୍ରବେଶ କରିପାରିବେ ନାହିଁ, ସେମାନେ ଫସିଯିବେ। ଭାରତରେ H-1B ଭିଜା ଧାରୀମାନେ ସମୟସୀମା ହରାଇ ପାରନ୍ତି କାରଣ ଭାରତରୁ ସିଧାସଳଖ ବିମାନଗୁଡ଼ିକ ସମୟସୀମାରେ ପହଞ୍ଚିପାରିବେ ନାହିଁ। ମେହେଟ୍ଟା ଆହୁରି ମଧ୍ୟ କହିଛନ୍ତି, ଭାରତରେ H-1B ଭିଜାଧାରୀମାନେ ୨୧ ସେପ୍ଟେମ୍ବର ୨୦୨୫ ମଧ୍ୟରାତ୍ରି ପୂର୍ବରୁ କାଲିଫର୍ନିଆରେ ପହଞ୍ଚିପାରିବେ।
କାଟୋ ଇନଷ୍ଟିଚ୍ୟୁଟ୍ର ଇମିଗ୍ରେସନ ଅଧ୍ୟୟନ ନିର୍ଦ୍ଦେଶକ ଡେଭିଡ ବିୟର ‘X’ ରେ ଏକ ପୋଷ୍ଟରେ କହିଛନ୍ତି ଯେ, ଭାରତୀୟ H-1B କର୍ମଚାରୀମାନେ ଆମେରିକାରେ ବହୁ ଅବଦାନ ଦେଇଛନ୍ତି, ଯେଉଁଥିରେ ଶହ ଶହ କୋଟି ଟିକସ, କୋଟି କୋଟି ଡଲାର ଫି’ ଏବଂ ଟ୍ରିଲିୟନ ଡଲାର ସେବା ଅନ୍ତର୍ଭୁକ୍ତ।


