ବିଶ୍ବରେ ଚହଳ! ଇରାନକୁ ଖୋଲା ଧମକ ଦେଲେ ଟ୍ରମ୍ପ, ହର୍ମୁଜ୍‌ ନ ଖୋଲିଲେ ବୋମାମାଡ଼…

ଓ୍ବାଶିଂଟନ,୬ା୫: ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ ପୁନର୍ବାର ଇରନକୁ ଧମକ ଦେଇଛନ୍ତି। ତୁରନ୍ତ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ ନ ଖୋଲିରେ ଅଧିକ ବୋମାମାଡ଼ ହେବ ବୋଲି ଆମେରିକା ରାଷ୍ଟ୍ରପତି କହିଛନ୍ତି । ଟ୍ରୁଥ୍ ସୋସିଆଲରେ, ଟ୍ରମ୍ପ କହିଛନ୍ତି ଯେ ଯଦି ଇରାନ “ପୂର୍ବନିର୍ଦ୍ଧାରିତ ସର୍ତ୍ତାବଳୀକୁ ଗ୍ରହଣ କରେ,” ତେବେ ‘ଅପରେସନ୍ ଏପିକ୍ ଫ୍ୟୁରି’ ବନ୍ଦ କରାଯିବ। ଏହା ବ୍ୟତୀତ, ଆମେରିକାର ଅବରୋଧ ହଟାଇ ଦିଆଯାଇପାରିବ ଏବଂ ହର୍ମୁଜ୍ ପ୍ରଣାଳୀ ସମସ୍ତ ରାଷ୍ଟ୍ର ପାଇଁ ଖୋଲାଯିବ । ଟ୍ରମ୍ପ ଆହୁରି କହିଛନ୍ତି ଯେ, ଇରାନ ସହ ଯୁଦ୍ଧ ଖୁବ୍‌ଶୀଘ୍ର ବନ୍ଦ ହେବା ସହ ତୈଳ ଓ ପ୍ରାକୃତିକ ଗ୍ୟାସ୍‌ ପରିବହନ ପୁନର୍ବାର ଆରମ୍ଭ ହୋଇପାରେ। ତେବେ ଇରାନ ଚୁକ୍ତିନାମାକୁ ଗ୍ରହଣ କରିବା ଉପରେ ସବୁକିଛି ନିର୍ଭର କରୁଛି ବୋଲି ଟ୍ରମ୍ପ୍‌ କହିବା ସହ ଅଧିକ ବିବରଣୀ ଦେଇନାହାନ୍ତି। ଯଦି ତେହରାନ୍‌ ଚୁକ୍ତିନାମାରେ ରାଜି ନ ହୁଏ, ତେବେ ବୋମାମାଡ଼ ଆରମ୍ଭ ହେବ ବୋଲି ସେ କହିଛନ୍ତି।

ଏହି ସମୟରେ, ଇରାନର IRGC ନୌସେନା ଏକ ବିବୃତ୍ତି ଜାରି କରି ସୂଚିତ କରିଛି ଯେ “ଆକ୍ରମଣକାରୀ ଶକ୍ତି ଦ୍ୱାରା ସୃଷ୍ଟି ହୋଇଥିବା ବିପଦକୁ ଦୂର କରାଯାଇପାରିଲେ” ହର୍ମୁଜ୍ ପ୍ରଣାଳୀକୁ ପୁନଃ ଖୋଲାଯାଇପାରିବ। ଇରାନ ବହିର୍ବ୍ୟାପାର ମନ୍ତ୍ରୀ ଆବ୍ବାସ ଆରାଘଚି ବେଜିଂ ଗସ୍ତରେ ଯାଇଥିବାବେଳେ ଏକ ବିସ୍ତୃତ ଯୁଦ୍ଧବିରତି ପାଇଁ ଚାଇନା ପ୍ରତିପକ୍ଷ ଓ୍ବାଙ୍ଗ୍‌ ୟି ବୁଧବାର ତାଙ୍କୁ କହିଛନ୍ତି। ଯୁଦ୍ଧକୁ ନେଇ ଚାଇନା ଅତ୍ୟନ୍ତ ବିଚଳିତ ବୋଲି ୟି ଆରାଘଚିଙ୍କୁ ଜଣାଇଥିଲେ। ତେହରାନ୍‌ ଅଣୁଅସ୍ତ୍ର ପ୍ରସ୍ତୁତ କରିବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିବାରୁ ଚାଇନା ଏହାର ପ୍ରଶଂସା କରିବା ସହ ଯଥାଶୀଘ୍ର ସମ୍ଭବ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ ଖୋଲିବା ପାଇଁ କହିଛି।

ଇରାନ ବିରୋଧରେ ଆମେରିକା ଚଳାଇଥିବା ଯୁଦ୍ଧ ବନ୍ଦ ପାଇଁ ତେହରାନ୍‌ ଅଣୁଅସ୍ତ୍ର ବିକାଶ ବନ୍ଦ କରିବା ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କର ମୁଖ୍ୟ ଦାବି ଥିଲା। ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ରେ ସ୍ବାଭାବିକ ସ୍ଥିତି ଫେରିବା ଓ ସୁରକ୍ଷିତ ଜାହାଜ ଚଳାଚଳକୁ ନେଇ ଅନ୍ତର୍ଜାତୀୟ ସମୁଦାୟ ମଧ୍ୟରେ ଏକ ସମାନ ଉଦ୍‌ବେଗ ରହିଛି। ଅନ୍ତର୍ଜାତୀୟ ସମୁଦାୟର ଦୃଢ଼ ଆହ୍ବାନ ଉପରେ ସମ୍ପୃକ୍ତ ପକ୍ଷମାନେ ଯଥାଶୀଘ୍ର ସକାରାତ୍ମକ ପ୍ରତିକ୍ରିୟା ଦେବେ ବୋଲି ବେଜିଂ ଆଶାବାଦୀ ରହିଥିବା ୟି ଇରାନ ପ୍ରତିପକ୍ଷଙ୍କୁ କହିଥିଲେ। ଇରାନକୁ ଚାଇନାର ଆହ୍ବାନ ପରେ ଟ୍ରମ୍ପ୍‌ ତେହରାନ୍‌କୁ ଧମକ ଦେଇଛନ୍ତି।

 

Dharitri – Odisha’s No.1 Odia Daily