ଗହୀରମଥାରେ ୩୦୦ ଡଲ୍‌ଫିନଙ୍କ ଜଳକ୍ରୀଡ଼ା

ରାଜନଗର,୧୨।୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଜଳରାଶିରେ ୩୦୦ ଡଲ୍‌ଫିନ  ଜଳକ୍ରୀଡ଼ା କରୁଥିବା ଦେଖିବାକୁ ମିଳିଛି। ଏକଦା ଡଲ୍‌ଫିନଙ୍କ ଜଳକ୍ରୀଡ଼ା ସ୍ଥାନ ଭାବେ ଓଡ଼ିଶାର ଚିଲିକା ପରିଚିତ ଥିଲା। ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଡଲ୍‌ଫିନଙ୍କ ସଂଖ୍ୟା ବୃଦ୍ଧି ପ୍ରାଣୀବିଜ୍ଞାନୀଙ୍କ ମଧ୍ୟରେ ଉତ୍ସାହ ଭରି ଦେଇଛି। ୨୦୧୫ରେ ପ୍ରଥମ କରି ଭିତରକନିକାରେ ପ୍ରବାହିତ ନଦୀ ନାଳ ଓ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଡଲ୍‌ଫିନଙ୍କ ଗଣନା କରାଯାଇଥିଲା। ପ୍ରଥମ ଗଣନାରେ ଇରାୱାର୍ଡ, ବଟଲନୋଜ, ହମ୍ପ୍‌ବ୍ୟାକ, ଫିନ୍‌ଲେସ ପରିପଏସ ଓ ଗାଙ୍ଗେଟିକ ପ୍ରଭୃତି ୫ ପ୍ରଜାତିର ୨୭୦ ଡଲ୍‌ଫିନଙ୍କୁ ଚିହ୍ନଟ କରାଯାଇଥିଲା। ରାଜନଗର ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ଚଳିତବର୍ଷ ଭିତରକନିକାରେ ଜାନୁୟାରୀ ୧୭ ପୂର୍ବାହ୍ନରେ ୯ଟି ଟିମ ଡଲ୍‌ଫିନ ଗଣନା କରିଥିଲେ। ପାଗ ଅନୁକୂଳ ନ ଥିବାରୁ ପୁନଶ୍ଚ ୩ ଦିନିଆ ଡଲ୍‌ଫିନ ଗଣନା କରାଯାଉଛି। ଜାନୁୟାରୀ ୨୯, ଫେବୃୟାରୀ ୫ରେ ଗଣନା ସରିଥିବା ବେଳେ ଶୁକ୍ରବାର ଶେଷ ପର୍ଯ୍ୟାୟ ଗଣନା କରାଯିବାର ଥିଲା। ଯେଉଁଦିନର ରିପୋର୍ଟ ସବୁଠୁ ଭଲ ଆସିବ, ସେଦିନର ରିପୋର୍ଟକୁ ଆଧାର କରି ସଂଖ୍ୟା ସ୍ଥିର କରାଯିବ। ଦ୍ୱିତୀୟ ପର୍ଯ୍ୟାୟ ଡଲ୍‌ଫିନ ଗଣନା ସମୟରେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ସାତଭାୟାଠାରୁ ଏକକୁଳା ମଧ୍ୟରେ ପାଖାପାଖି ହବାଳିଖଟି ନିକଟରେ ଏକକାଳୀନ ୩୦୦ ଡଲ୍‌ଫିନ ଜଳକ୍ରୀଡା କରୁଥିବା ଟିମ୍‌ ଗଣନା କରିଥିଲେ। ଜଳବାୟୁର ପରିବର୍ତ୍ତନ ଯୋଗୁ ଡଲ୍‌ଫିନଙ୍କ ବଂଶ ହ୍ରାସ ପାଉଥିବା ନେଇ ଆଶଙ୍କା ପ୍ରକାଶ ପାଉଥିଲା। ବର୍ତ୍ତମାନ ଗଣନାକାରୀ ଗୋଟିଏ ସ୍ଥାନରେ ଏକକାଳୀନ ୩୦୦ ଡଲ୍‌ଫିନଙ୍କ ଜଳକ୍ରୀଡ଼ା ଦେଖି ଏମାନଙ୍କ ସଂଖ୍ୟା ବୃଦ୍ଧି ପାଇବା ନେଇ ଆଶା ପ୍ରକାଶ କରୁଥିବା ଜଣାପଡୁଛି।