ଆଜିଠୁ ଚିଲିକାରେ ଡଲ୍‌ଫିନ୍‌ ଗଣନା

ବାଲୁଗଁା,୨୧ା୧୨(ଡି.ଏନ୍‌.ଏ.: )ବାଲୁଗଁା ବନ୍ୟପ୍ରାଣୀ ବିଭାଗ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିିଏ)ଙ୍କ ମିଳିତ ଆନୁକୂଲ୍ୟରେ ବୁଧବାରଠାରୁ ୩ ଦିନ ବ୍ୟାପୀ ସମଗ୍ର ଚିଲିକାରେ ଇରାଓ୍ବାଡ଼ି ପ୍ରଜାତିର ଡଲଫିନ ଗଣନା କରାଯିବ। ଏଥିପାଇଁ ବିଭାଗୀୟ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଅପରାହ୍ନରେ ବାଲୁଗଁା ଚିଲିକା କୂଳ ସ୍ଥିତ ବନ୍ୟପ୍ରାଣୀ ବିଭାଗୀୟ କାର୍ଯ୍ୟାଳୟ ପରିସରରେ ଗଣନାକାରୀଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ବନ୍ୟପ୍ରାଣୀ ବିଭାଗୀୟ ଏସିଏଫ୍‌ ପ୍ରଶାନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ସିଡିଏର ସିନିୟର ସାଇଣ୍ଟିଷ୍ଟ୍‌ ଗୁରୁଦୀପ ରସ୍ତୋଗୀ, ପ୍ରଦୀପ୍ତ ରଞ୍ଜନ ମୁଦୁଲି, ବିନୋଦ ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ଡଲଫିନ୍‌ ଗଣନା ଦିଗରେ ତାଲିମ୍‌ ପ୍ରଦାନ କରିଥିଲେ। ୧୯୧୫ମସିହାରେ ଚିଲିକାରେ ପ୍ରଥମ କରି ଏହି ଇରାଓ୍ବାଡ଼ି ପ୍ରଜାତିର ଡଲଫିନ୍‌କୁ ଚିହ୍ନଟ କରାଯାଇଥିଲା। ଉକ୍ତ ସମୟରୁ ଅଦ୍ୟାବଧି ଚିଲିକାରେ ଡଲଫିନ୍‌ ୧୬୦ରୁ ଊର୍ଦ୍ଧ୍ୱ ଦୃଷ୍ଟିଗୋଚର ହୋଇଥିବା ବିଗତ ବର୍ଷ ଗଣନାରୁ ଜଣାପଡ଼ିଛି। ଏହି ଗଣନା ଲାଇନ ଟ୍ରାଞ୍ଜାକ୍ଟ ପ୍ରଣାଳୀ ଅର୍ଥାତ୍‌ ଚିଲିକାର ଯେଉଁ ଅଞ୍ଚଳରେ ଡଲ୍‌ଫିନ୍‌ ଦୃଷ୍ଟିଗୋଚର ହୋଇଥାନ୍ତି, ସେଠାରେ ଗଣନାକାରୀଙ୍କ ଡ଼ଙ୍ଗା ଏକ ସରଳରେଖା ଦେଇ ଗତି କରିବ। ଏହି ସମୟରେ ଉଭୟ ପାର୍ଶ୍ୱରେ ଯେତିକି ସଂଖ୍ୟକ ଡଲଫିନ୍‌ ଦୃଷ୍ଟିଗୋଚର ହେବେ ତାହାକୁ ବାଇନାକୁଲାର ଓ ଜିପିଏସ ମାଧ୍ୟମରେ ସଂଖ୍ୟା ନିର୍ଦ୍ଧାରଣ କରାଯାଇଥାଏ। ଗଣନା ପାଇଁ ସମଗ୍ର ଚିଲିକାକୁ ୪ଟି ସେକ୍ଟର ମଧ୍ୟ, ଉତ୍ତର, ଦକ୍ଷିଣ ଏବଂ ବାହ୍ୟ ଚିଲିକା ଅଞ୍ଚଳ ଭାବେ ବିଭକ୍ତ କରାଯାଇଛି। ଭୋର ୬ଟାରୁ ମଧ୍ୟାହ୍ନ ୨ଟା ପର୍ଯ୍ୟନ୍ତ ଏହି ଗଣନା ଜାରି ରହିବ। ଡଲଫିନ ଅଭୟାରଣ୍ୟ କୁହାଯାଉଥିବା ସାତପଡ଼ା ଅଞ୍ଚଳ ତଥା ଜହ୍ନିକୁଦା, ଗୁରୁବାଇ, ମହିସା, ବଡ଼ଗୋଠ, ସିପକୁଦା ଚିଲିକାରେ ୮ଟି ଟିମ୍‌ ଏବଂ ବାଲୁଗଁା ଠାରୁ କାଳିଜାଈ, କୃ୍‌ଷ୍ଣପ୍ରସାଦ, ପାରିକୁଦ, ନଳବଣ, ବାଲିନାସି, ଦେଇପୁରୁ, ବରୁଣପଡ଼ା, ରମ୍ଭା ଆଦି ଅଞ୍ଚଳରେ ୧୦ଟି ଟିମ୍‌ ଗଣନା କରିବେ। ମୋଟ ୧୪୦ଜଣ ଏହି ଗଣନା କାର୍ଯ୍ୟରେ ସାମିଲ ହେବେ। ପ୍ରତ୍ୟେକ ଟିମ୍‌କୁ ଗୋଟିଏ ଲେଖାଏ ଡଙ୍ଗା ଏବଂ ଆବଶ୍ୟକ ଯନ୍ତ୍ରାଂଶ ଯୋଗାଇ ଦିଆଯାଇଛି। ଗତ ବର୍ଷ ୧୬୭ଟି ଡଲଫିନ୍‌ ଚିହ୍ନଟ ହୋଇଥିଲେ। ତେବେ ଇତି ମଧ୍ୟରେ ବିଭିନ୍ନ କାରଣରୁ ବହୁ ଡଲଫିନ୍‌ ଚିଲିକା ତଟବର୍ତ୍ତୀ ଅଞ୍ଚଳରେ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଗତ କିଛି ବର୍ଷ ହେବ କ୍ରମାଗତ ଭାବେ ହ୍ରାସ ପାଉଥିବା ବେଳେ ଏହି ପ୍ରଜାତିର ଡଲଫିନ ସୁରକ୍ଷା ଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ସଜାଗ ନ ହେଲେ ଆଗାମୀ କିଛି ବର୍ଷ ମଧ୍ୟରେ ଡଲଫିନ୍‌ ଚିଲିକାରୁ ବିଲୁପ୍ତ ହେବା ଏଡ଼ାଇ ଦିଆଯାଇନପାରେ ା