ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼ ବ୍ୟାଙ୍କ ଥିଲା, ସେ ପ୍ରାୟତଃ ଆଗ୍ରହର ସହ ସବୁ ବ୍ୟାଙ୍କରେ ନିଜର ଆକାଉଣ୍ଟ ଖୋଲୁଥିଲେ। ଆମ ସମୟରେ ବ୍ୟାଙ୍କ ପାସ୍‌ବୁକ୍‌ ଖୋଲିବା ପାଇଁ ଏତେ ଜଟିଳ ପ୍ରକ୍ରିୟା ନ ଥିଲା। କଲେଜ ଆଇଡେଣ୍ଟି କାର୍ଡ ଥିଲା ପରିଚୟପତ୍ର ଆଉ ୫୦ ଟଙ୍କା ରଖିଲେ ମଧ୍ୟ ସର୍ବନିମ୍ନ ଭାବରେ ବ୍ୟାଙ୍କରେ ଖାତା ଖୋଲିହେବା ସମ୍ଭବପର ଥିଲା। ବର୍ତ୍ତମାନ କିନ୍ତୁ ରିଜର୍ଭ ବ୍ୟାଙ୍କର ଗାଇଡ୍‌ଲାଇନ ଅନୁଯାୟୀ ଏକ ଜାତୀୟକରଣ ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା ପାଇଁ ଅନେକ ସର୍ତ୍ତାବଳୀ ଓ ଜରୁରୀ କାଗଜପତ୍ରର ଆବଶ୍ୟକତା ରହିଛି। ତେବେ ମୋର ଆଜିର ଆଲୋଚନାଟି ହେଉଛି ଜଣେ ଭିନ୍ନ ଭିନ୍ନ ବ୍ୟାଙ୍କରେ ନିଜ ଆକାଉଣ୍ଟ ଖୋଲିବା କେତେ ଭଲ? କେତେ ମନ୍ଦ?
ଅର୍ଥ ବିଶେଷଜ୍ଞମାନେ ଗୋଟିଏ ସୁନ୍ଦର ପରାମର୍ଶ ଦିଅନ୍ତି। ସେମାନେ ସବୁବେଳେ ଗୋଟିଏ କଥା କୁହନ୍ତି, ଜଣେ ନିଜର ସମସ୍ତ ପୁଞ୍ଜି ବା ସଞ୍ଚୟ ଗୋଟିଏ ସ୍ଥାନରେ ଏକତ୍ର ନ ରଖୁ। ଦିନ ଥିଲା ଲୋକମାନେ ବ୍ୟାଙ୍କରେ ଆକାଉଣ୍ଟ ଖୋଲୁଥିଲେ ତାହା ପୁଣି ସେମାନଙ୍କର ବିଶ୍ୱାସ ଓ ଭରସା ତଥା ଆଖପାଖର ଯୋଗାଯୋଗ ବ୍ୟବସ୍ଥାକୁ ଦେଖି। ହେଲେ ବର୍ତ୍ତମାନ ଆଉ ସେ ସମୟ ନାହିଁ। ଅଧିକାଂଶ ଲୋକଙ୍କ ଭିନ୍ନ ଭିନ୍ନ ବ୍ୟାଙ୍କରେ ଆକାଉଣ୍ଟ ରହିଛି। ତେବେ ଏକାଧିକ ଆକାଉଣ୍ଟ ବ୍ୟବସ୍ଥା ବା ବିଭିନ୍ନ ବ୍ୟାଙ୍କରେ ପାସ୍‌ବୁକ ଖୋଲିବା ସହଜ ଓ ଲାଭଦାୟକ ଦିଗ ସମ୍ପର୍କରେ କିଛି ଲେଖୁଛୁ। ପ୍ରଥମତଃ ଜଣେ ଭିନ୍ନ ଭିନ୍ନ ବ୍ୟାଙ୍କରେ ସେଭିସିଂ ଆକାଉଣ୍ଟ ଖୋଲିଲେ ଟଙ୍କାର ଉଚିତ ଓ ଯଥାର୍ଥ ଉପଯୋଗ ହୋଇପାରିବ। ଧରନ୍ତୁ, ଜଣେ ତାଙ୍କ ଆୟର ନିର୍ଦ୍ଦିଷ୍ଟ ଭାଗ ସଉଦା କିଣାଠାରୁ ଘରଭଡ଼ା ଏପରିକି ଦୈନନ୍ଦିନ ଖର୍ଚ୍ଚର କାରବାର ପାଇଁ ଗୋଟିଏ ଜମାଖାତା ବ୍ୟବହାର କରିପାରିବେ। ଅନ୍ୟ ବ୍ୟାଙ୍କର ଆକାଉଣ୍ଟ ଆପଣଙ୍କର କେବଳ ସଞ୍ଚୟ ପାଇଁ ବ୍ୟବସ୍ଥା କରନ୍ତୁ, ଯାହାଦ୍ୱାରା ଜଣେ ବେଶ୍‌ ଭଲ ଭାବେ ବୁଝିପାରିବ ଏବଂ ଟଙ୍କାକୁ ମଧ୍ୟ ମାପିପାରିବ ଯେ ବାସ୍ତବରେ ତାଙ୍କର କେତେ ଖର୍ଚ୍ଚ ହେଉଛି? ତା’ ଭିତରୁ ବଦଖର୍ଚ୍ଚ କେତେ?
ତେଲଲୁଣ ଗୁଜୁରାଣ ଭିତରେ ଅନେକଙ୍କର ଅନେକ ସମୟରେ ଜରୁରୀ ଅର୍ଥ ଦରକାର ପଡ଼ିଥାଏ। ଅପ୍ରତ୍ୟାଶିତ ଖର୍ଚ୍ଚ ପାଇଁ ବିଭିନ୍ନ ଆକାଉଣ୍ଟରେ ଥିବା ସଞ୍ଚୟ ଅର୍ଥ ଜରୁରିକାଳୀନ ପାଣ୍ଠି ସୁରକ୍ଷାକବଚ ପରି କାମକରେ। ଏହା ଜରୁରିକାଳୀନ ଖର୍ଚ୍ଚକୁ ସମ୍ଭାଳିପାରିଥାଏ, କାରଣ ଏକ ପୃଥକ୍‌ ଆକାଉଣ୍ଟରେ ଅର୍ଥ ରହିବା ଦ୍ୱାରା ଜଣେ ତାଙ୍କର ଯାବତୀୟ ଅନାବଶ୍ୟକ ଖର୍ଚ୍ଚ କମେଇବା ସମ୍ଭବପର ହୋଇଥାଏ। ସେହିପରି ଆଉ ଗୋଟିଏ ହୁଏତ ଛୋଟିଆ ଲାଭ ହୋଇପାରେ, କିନ୍ତୁ ଏହା ହିଁ ଭିନ୍ନ ଆକାଉଣ୍ଟର ସଫଳତା କହିଲେ ଅତ୍ୟୁକ୍ତି ହେବନାହିଁ ତାହା ହେଉଛି ସୁଧ। ଭାରତରେ କିଛି ବ୍ୟାଙ୍କ ଜମାକାରୀଙ୍କୁ ଉଚ୍ଚ ହାରରେ ସୁଧ ପ୍ରଦାନ କରିଥାନ୍ତି ।
ତେଣୁ ଜଣେ ଯଦି ନିର୍ଭରଯୋଗ୍ୟ ଓ ବିଶ୍ୱସ୍ତ ଉଚ୍ଚ ହାରର ସୁଧ ମିଳୁଥିବା ଆକାଉଣ୍ଟରେ ଅର୍ଥ ସଞ୍ଚୟ କରିଥାନ୍ତି ତା’ହେଲେ ସେଥିରୁ ଉଚ୍ଚହାରର ସୁଧ ମିଳିବା ସମ୍ଭାବନା ରହିଥାଏ। ସେହିପରି ଅନ୍ୟ ଏକ ସୁବିଧାର ଦିଗଟି ହେଉଛି ବର୍ତ୍ତମାନ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଏକ ପ୍ରକାର ଡିଜିଟାଲ ବ୍ୟବସ୍ଥାରେ ପରିଚାଳିତ ହେଉଛି। ଡିଜିଟାଲ ଦେଣନେଣ ବ୍ୟବସ୍ଥା ବ୍ୟାଙ୍କ ଟେକ୍ନୋଲୋଜିର ଗତିକୁ ଦ୍ରୁତ ଗତିରେ ଆଗଉଛି। ବ୍ୟାଙ୍କିଙ୍ଗ୍‌ ସମ୍ବନ୍ଧୀୟ ଅନେକ କାମ ଇଣ୍ଟରନେଟ୍‌ ଦ୍ୱାରା ପରିଚାଳିତ ହୋଇଥାଏ। ତେବେ ଅନେକ ସମୟରେ ସର୍ଭର ସମ୍ବନ୍ଧୀୟ ସମସ୍ୟା ବା ଲିଙ୍କ୍‌ ଫେଲ୍‌ ହୋଇ ଘଣ୍ଟା ଘଣ୍ଟା ଏପରିକି ଦିନେ ଦୁଇଦିନ ପାଇଁ କାରବାର ଏକ ପ୍ରକାର ଅଚଳ କରିଦେଇଥାଏ। ଜଣେ ଆର୍ଥିକ କାରବାର ପାଇଁ ଏହି ସମୟରେ ବଡ଼ କଷ୍ଟ ଅନୁଭବ କରିଥାଏ, କିନ୍ତୁ ଏକାଧିକ ଆକାଉଣ୍ଟ ଏହିପରି ସମୟରେ ଆପଣଙ୍କର ଅସୁବିଧାକୁ ସୁବିଧାଜନକ କରିପାରେ। କାରଣ ସବୁ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥାରେ ସମାନ ସମୟରେ ଟେକ୍ନୋଲୋଜି ବିଭ୍ରାଟ ବା ସର୍ଭର ସମସ୍ୟା ପ୍ରାୟତଃ ରହି ନ ଥାଏ।
ଜଣଙ୍କର କୌଣସି ଏକ ନିର୍ଦ୍ଦିଷ୍ଟ ବ୍ୟାଙ୍କରେ ଆକାଉଣ୍ଟ ଥିଲେ ପରବର୍ତ୍ତୀ ସମୟରେ ଏକାଧିକ ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା ପାଇଁ ସେମିତି କିଛି ସର୍ତ୍ତାବଳୀ ବା ନିୟମାବଳୀ ନାହିଁ। ତେବେ ଆପଣ ଖୋଲୁଥିବା ଆକାଉଣ୍ଟର ସମ୍ପୃକ୍ତ ବ୍ୟାଙ୍କ କିଛି ଛୋଟିଆ ନିୟମାବଳୀ ରଖିପାରିବେ। ୧୮ ବର୍ଷ ବୟସରେ ଜଣେ ପହଞ୍ଚତ୍ବା ପରେ ବ୍ୟାଙ୍କରେ ଆକାଉଣ୍ଟ ଖୋଲିପାରିବେ। ନାବାଳକ ହୋଇଥିଲେ ବାପାମାଆ କିମ୍ବା ଅଭିଭାବକଙ୍କ ଦ୍ୱାରା ଆକାଉଣ୍ଟରେ ଦେଣନେଣ ବ୍ୟବସ୍ଥା ସମ୍ଭବ ହୋଇଥାଏ। ଏକାଧିକ ବ୍ୟାଙ୍କ ଆକାଉଣ୍ଟ ଖୋଲିବାର ଅନ୍ୟତମ ଯୋଗ୍ୟତା ହେଉଛି ଆପଣ ଭାରତର ନାଗରିକ ହୋଇଥିବେ ବା ଜଣେ ପ୍ରବାସୀ ଭାରତୀୟ ହୋଇଥିବେ। ସେହିପରି ଭାରତୀୟ ରିଜର୍ଭ ବ୍ୟାଙ୍କର ସମସ୍ତ କେୱାଇସି ନିର୍ଦ୍ଦେଶାବଳୀ ପାଳନକରିବା ବିଧେୟ।
ଏକାଧିକ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ନେଇ ଅନେକ ପ୍ରଶ୍ନ ମୋତେ ଅନେକ ଲୋକ ପଚାରିଥାନ୍ତି। କେତେଟା ବ୍ୟାଙ୍କରେ ଆପଣ ପାସ୍‌ବୁକ୍‌ ଖୋଲିପାରୁଛନ୍ତି ତା’ ବଡ଼ କଥା ନୁହେଁ। ବଡ଼ କଥା ହେଉଛି ଆପଣ ଆପଣଙ୍କ ରୋଜଗାର ଓ ଖର୍ଚ୍ଚକୁ ଦେଖି ଏକ ବ୍ୟକ୍ତିଗତ ବଜେଟ ତିଆରି କରନ୍ତୁ। କେତେ ରୋଜଗାର? କେତେ ଖର୍ଚ୍ଚ? କେତେ ସଞ୍ଚୟ? ଏସବୁକୁ ଦୃଷ୍ଟିରେ ରଖି ଆକାଉଣ୍ଟ ଖୋଲିବା ପାଇଁ ମନ ଦିଅନ୍ତୁ। କାରଣ ଅନେକ ବ୍ୟାଙ୍କରେ ଆକାଉଣ୍ଟ ଖୋଲି ଦେଇ ଏଥିରେ କାରବାର ବ୍ୟବସ୍ଥା ଜାରି ନ ରଖିଲେ ପରବର୍ତ୍ତୀ ସମୟରେ ବ୍ୟାଙ୍କ ଆକାଉଣ୍ଟ ପରିଚାଳନା କରିବା ଅସୁବିଧା ଜନକ ହୋଇପାରେ। କେବଳ ସେତିକି ନୁହେଁ, ଆପଣ ଯଦି ସେହି ଆକାଉଣ୍ଟରେ କୌଣସି କାରବାର ନ କରନ୍ତି ତେବେ ବ୍ୟାଙ୍କ ତା’ର ନିର୍ଦ୍ଧାରିତ ସମୟରେ ରକ୍ଷଣାବେକ୍ଷଣ ଦେୟ, ସୁଧ ଓ ଅନ୍ୟାନ୍ୟ ଚାର୍ଜ ଆପଣଙ୍କ ପକେଟକୁ ବାଧିପାରେ। ତେବେ ଏକାଧିକ ବ୍ୟାଙ୍କ ଆକାଉଣ୍ଟ ଖୋଲୁଥିଲେ ବ୍ୟାଙ୍କ ନିକଟରେ ନିଜର ସମସ୍ତ ଜରୁରୀ ଓ ନିର୍ଭରଯୋଗ୍ୟ ସୂଚନା ପ୍ରଦାନ କରନ୍ତୁ। ଆର୍ଥିକ କାରବାର ଯେପରି ବିବାଦୀୟ କିମ୍ବା ଆଇନଗତ ଜଟିଳତା କ୍ଷେତ୍ର ଭିତରେ ନ ଥାଏ ସେ ଦିଗକୁ ଦେଖନ୍ତୁ। ବ୍ୟାଙ୍କରୁ ଯଦି ଋଣ ଆଣୁଥାନ୍ତି ସେ କ୍ଷେତ୍ରରେ ସ୍ପଷ୍ଟତା ରଖିବା ଜରୁରୀ। ଋଣ ଆଣୁଥିଲେ ନିଜ ଖର୍ଚ୍ଚକୁ ଦେଖି ନିର୍ଦ୍ଧାରିତ ସମୟରେ ଋଣ ବା କିସ୍ତି ସୁଝିଦେବା ଖୁବ୍‌ ଭଲ। ତେଣୁ କେତେଟା ବ୍ୟାଙ୍କରେ ଆପଣ ନିଜ ବଡ଼ିମା ଦେଖାଇ ଆକାଉଣ୍ଟ ଖୋଲିପାରୁଛନ୍ତି ତାହା ବଡ଼କଥା ନୁହେଁ। ସର୍ବନିମ୍ନ ଭାବରେ ଏକାଧିକ ବ୍ୟାଙ୍କରେ ଆକାଉଣ୍ଟ ଖୋଲି ନିଜର ଆର୍ଥିକ ସୁପରିଚାଳନା ସହ ଦେଣନେଣରେ କୌଣସି ଝମେଲାର ଶିକାର ହୋଇନାହାନ୍ତି ତା’ହେଲେ ଭାବନ୍ତୁ ଆପଣ ଏକାଧିକ ଆକାଉଣ୍ଟ ଖୋଲି କିଛି ଭୁଲ୍‌ କରିନାହାନ୍ତି।

ଡ.ତପନ କୁମାର ପାଳ
ଏସ୍‌ବିଆଇ ଷ୍ଟାଫ୍‌ କଲୋନି,
ଦେଉଳସାହି, କଟକ
ମୋ: ୯୯୩୭୬୫୮୩୬୨

 

Dharitri – Odisha’s No.1 Odia Daily