ରଥ ଚାରିପଟେ ବ୍ୟାରିକେଡ୍‌ ରଖା ନ ଯାଉ

ପୁରୀ ଅଫିସ,୨୧।୫: ରଥଯାତ୍ରା ସମୟରେ ଶ୍ରଦ୍ଧାଳୁଙ୍କୁ ରଥ ଛୁଇଁବାକୁ ଦିଆଯାଉନାହିଁ। ବଡ଼ଦାଣ୍ଡରେ ତିନିରଥ ଥିବାବେଳେ ସେଗୁଡ଼ିକ ଚାରିପଟେ ବ୍ୟାରିକେଡ୍‌ କରାଯାଉଛି। ତେଣୁ ଶ୍ରଦ୍ଧାଳୁଙ୍କୁ ରଥ ଟାଣିବାରୁ ବାରଣ କରାଯାଉ। କେବଳ ସେବାୟତମାନେ ରଥ ଟାଣନ୍ତୁ। ନଚେତ ରଥ ଚାରିପଟୁ ବ୍ୟାରିକେଡ୍‌ ହଟାଯାଉ ବୋଲି ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଓଡ଼ିଶା ଯୁବ ଚେତନା ସଙ୍ଗଠନର ରାଜ୍ୟ ସଭାପତି ବଦ୍ରି ମିଶ୍ର ଗତ ୧୫ ତାରିଖରେ ଚିଠି ଲେଖିଥିଲେ। ସେ ଏହି ଚିଠି ମାଧ୍ୟମରେ ଶ୍ରଦ୍ଧାଳୁଙ୍କ ଅସନ୍ତୋଷ ଓ ରଥ ଛୁଇଁବାର ବ୍ୟଗ୍ରତା ନେଇ ପରୋକ୍ଷରେ ସୂଚନା ଦେଇଥିଲେ। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହୃଦୟଙ୍ଗମ କରିଛନ୍ତି। ଉକ୍ତ ପ୍ରସଙ୍ଗରେ ବିଚାରବିମର୍ଶ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ପୁରୀ ଜିଲାପାଳଙ୍କୁ ଚିଠି ଲେଖାଯାଇଛି। ଏହି ଚିଠି ଶୁକ୍ରବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚତ୍ଥିବାବେଳେ ଆଗାମୀ ରଥଯାତ୍ରା ପ୍ରସ୍ତୁତି ଓ ସମନ୍ବୟ ବୈଠକରେ ଏ ନେଇ ଆଲୋଚନା ହେବ ବୋଲି ସୂଚନା ମିଳିଛି।
ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପ୍ରେରିତ ପତ୍ରରେ ଉଲ୍ଲେଖ ଥିଲା ଯେ, ରଥ ଉପରେ ଠାକୁରଙ୍କୁ ଛୁଇଁବା ନେଇ ୨୦୧୪ ଜୁନ୍‌ ୨୧ରେ ହାଇକୋର୍ଟ କଟକଣା ଜାରି କରିଥିଲେ। ରଥ ଉପରେ ଠାକୁରଙ୍କୁ ଛୁଇଁବା ଅନୁଚିତ ବୋଲି ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ଓ ଗଜପତି ମହାରାଜା ମତ ରଖିଥିଲେ। ଅନ୍ୟପକ୍ଷରେ ଠାକୁର ପହଣ୍ଡି ହେବା ସମୟରେ ବାହାର ଲୋକେ ତାଙ୍କୁ ଛୁଇଁଲେ ସେ ଛୁଆଁ ହୁଅନ୍ତି ନାହିଁ ବୋଲି ଶ୍ରୀମନ୍ଦିର ସ୍ବତ୍ୱଲିପିର ପୃଷ୍ଠା ୬୯ରେ ଉଲ୍ଲେଖ ରହିଛି। ଏହାସତ୍ତ୍ୱେ ରଥରେ ମହାପ୍ରଭୁଙ୍କୁ ଛୁଇଁଲେ ଯଦି ଛୁଆଁ, ତେବେ ରଥ ଦଉଡ଼ି ଛୁଇଁଲେ ମଧ୍ୟ ଛୁଆଁ ହେବା ଦରକାର। ବଡ଼ଦାଣ୍ଡରେ ରଥ ରହିବା ପରେ ତୁରନ୍ତ ଲୁହା ବ୍ୟାରିକେଡ୍‌ ଲଗାଇ ଦିଆଯାଉଛି। ମହାପ୍ରଭୁଙ୍କ ରଥକୁ ଭକ୍ତ ସ୍ପର୍ଶ କରିପାରୁନାହିଁ। ରଥକୁ ଛୁଇଁବା ଲାଗି ପ୍ରଶାସନ ସୁଯୋଗ ଦେଉନାହିଁ। ଯଦି ଭକ୍ତ ରଥ ଛୁଇଁ ପାରିବେନି ତେବେ ଦଉଡ଼ି ଧରିବା ମଧ୍ୟ ଛୁଆଁ ଭାବେ ବିବେଚନା ହେଉ। ଏହି ନ୍ୟାୟରେ ଭକ୍ତଙ୍କୁ ବାରଣ କରି କେବଳ ସେବାୟତମାନେ ରଥ ଟାଣନ୍ତୁ ବୋଲି ଚିଠିରେ ଦର୍ଶାଯାଇଥିଲା।