ଆପୋସ ସମାଧାନ କରି ଅଦାଲତଙ୍କୁ ଜଣାଅ

କଟକ ଅଫିସ,୨।୯: ରାଜ୍ୟରେ ବେସରକାରୀ ସ୍କୁଲ ଫି’ ବୃଦ୍ଧି ପ୍ରସଙ୍ଗରେ ଆଗତ ମାମଲାର ମଙ୍ଗଳବାର ଶୁଣାଣି କରି ଆପୋସ ସମାଧାନ ମାଧ୍ୟମରେ ସମସ୍ୟାର ସମାଧାନ କରିବାକୁ ହାଇକୋର୍ଟ କହିଛନ୍ତି। ଗଣଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ଅଭିଭାବକ ମହାସଂଘ, ଶିକ୍ଷକ ଓ ବେସରକାରୀ ସ୍କୁଲ ପ୍ରତିନିଧିଙ୍କୁ ନେଇ ବୈଠକ କରି ଆପୋସ ସମାଧାନ କରିବାକୁ କୁହାଯାଇଛି। ବୈଠକରେ ଯାହା ବି ନିଷ୍ପତ୍ତି ନିଆଯିବ ସେ ସମ୍ପର୍କରେ ହାଇକୋର୍ଟଙ୍କୁ ଅବଗତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ହାଇକୋର୍ଟରେ ଆସନ୍ତା ସପ୍ତାହରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ ବେସରକାରୀ ସ୍କୁଲ ଫି’ ବୃଦ୍ଧି ପ୍ରସଙ୍ଗରେ ଅଭିଭାବକ ମହାସଂଘ ପକ୍ଷରୁ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର କରାଯାଇଥିଲା। ରାଜ୍ୟରେ କୋଭିଡ୍‌-୧୯ ଭଳି ମହାମାରୀ ସମୟରେ ଘରୋଇ ସ୍କୁଲ୍‌ଗୁଡ଼ିକରେ ଟ୍ୟୁଶନ ଫି’ ଛାଡ଼ କରିବାକୁ ନିର୍ଦ୍ଦେଶ ଦେବାକୁ ଆବେଦନ କରାଯାଇଥିଲା। ଉକ୍ତ ଆବେଦନର ଶୁଣାଣି କରି ହାଇକୋର୍ଟ ଗଣଶିକ୍ଷା ସଚିବଙ୍କୁ ଏକ ବୈଠକ ଡକାଇ ଆପୋସ ବୁଝାମଣା ଭିତ୍ତିରେ ସମସ୍ୟାର ସମାଧାନ କରିବାକୁ କହିଛନ୍ତି। ବୈଠକରେ ଶିକ୍ଷକ ସଂଘର ସଦସ୍ୟ, ଘରୋଇ ସ୍କୁଲର ଅଧିକାରୀ ଏବଂ ଅଭିଭାବକ ମହାସଂଘର ପ୍ରତିନିଧି ଉପସ୍ଥିତ ରହି କେତେ ପରିମାଣର ଟ୍ୟୁଶନ ଫି’ ଛାଡ଼ କରାଯାଇପାରିବ ସେନେଇ ସହମତି ଭିତ୍ତିରେ ଆଲୋଚନା କରିବାକୁ କୁହଯାଇଛି। ପୂର୍ବରୁ ସିବିଏସ୍‌ଇ, ଆଇସିଏସ୍‌ଇ ଏବଂ ରାଜ୍ୟ ସରକାର ପାଠ୍ୟକ୍ରମ କମାଇଛନ୍ତି। ସବୁ ସ୍ଥାନରେ ଅନ୍‌ଲାଇନ ପାଠପଢ଼ା ମଧ୍ୟ ବ୍ୟବସ୍ଥିତ ଢଙ୍ଗରେ କରାଯାଇପାରୁ ନାହିଁ। ତେଣୁ ସମସ୍ତ ବିଷୟକୁ ବିଚାର କରି ସମସ୍ୟାର ସମାଧାନ କରିବାକୁ ଅଦାଲତ କହିଛନ୍ତି ବୋଲି ଆବେଦନକାରୀଙ୍କ ଓକିଲ କହିଛନ୍ତି।