ନୂଆଦିଲ୍ଲୀ,୨୭।୮: ଭାରତୀୟ ସମାଜରେ ଦୀର୍ଘ ଦିନ ଧରି ପୈତୃକ ସମ୍ପତ୍ତି ଉପରେ କେବଳ ପୁଅମାନଙ୍କର ଅଧିକାର ଥାଏ ବୋଲି ବିଚାର କରାଯାଉଥିଲା। କିନ୍ତୁ ସମୟ ସହ ଆଇନରେ ପରିବର୍ତ୍ତନ ହୋଇଛି ଏବଂ ଝିଅମାନଙ୍କୁ ମଧ୍ୟ ସମାନ ଅଧିକାର ଦିଆଯାଇଛି। ବର୍ତ୍ତମାନ ସ୍ଥିତି ଏପରି ଯେ, ବାପାଙ୍କ ମୃତ୍ୟୁ ପରେ ମଧ୍ୟ ଝିଅମାନେ ପୈତୃକ ସମ୍ପତ୍ତିରେ ସମାନ ଅଂଶୀଦାର ହୋଇଥାନ୍ତି। ଆସନ୍ତୁ ଏହି ବିଷୟରେ ଭାରତୀୟ ଆଇନ କ’ଣ କହୁଛି ସବିଶେଷ ଜାଣିବା।
ପୈତୃକ ସମ୍ପତ୍ତି କ’ଣ?
ପୈତୃକ ସମ୍ପତ୍ତି ହେଉଛି ଏକ ପରିବାରରେ ଚାରି ପିିଢ଼ି ପର୍ଯ୍ୟନ୍ତ ବିନା ବଣ୍ଟନରେ ଚାଲିଆସୁଥିବା ସମ୍ପତ୍ତି। ଉଦାହରଣ ସ୍ବରୂପ, ଜେଜେବାପାଙ୍କଠାରୁ ବାପା ଓ ତା’ପରେ ନାତି ପର୍ଯ୍ୟନ୍ତ ଆସୁଥିବା ସମ୍ପତ୍ତିକୁ ପୈତୃକ ସମ୍ପତ୍ତି କୁହାଯାଏ।
ଝିଅଙ୍କ ଅଧିକାର: ପୂର୍ବେ ଓ ଏବେ
ପୁରୁଣା ଆଇନ(୧୯୫୬ ହିନ୍ଦୁ ଉତ୍ତରାଧିକାର ଅଧିନିୟମ):
ଏହି ଆଇନରେ ଝିଅମାନଙ୍କୁ ପୈତୃକ ସମ୍ପତ୍ତିରେ ଅଧିକାର ଦିଆଯାଇ ନ ଥିଲା। ଝିଅମାନଙ୍କୁ କେବଳ ବିବାହ ପର୍ଯ୍ୟନ୍ତ ବାପାଙ୍କ ଦାୟିତ୍ୱ ବୋଲି ବିଚାର କରାଯାଉଥିଲା।
୨୦୦୫ର ସଂଶୋଧନ:
୨୦୦୫ ମସିହାରେ ହିନ୍ଦୁ ଉତ୍ତରାଧିକାର ଅଧିନିୟମରେ ଏକ ବଡ଼ ପରିବର୍ତ୍ତନ ହେଲା। ଏହି ସଂଶୋଧନ ପରେ ଝିଅମାନଙ୍କୁ ପୁଅମାନଙ୍କ ସହିତ ସମାନ ଭାବେ ପୈତୃକ ସମ୍ପତ୍ତିରେ ଅଧିକାର ମିଳିଲା। ଝିଅମାନେ ଏବେ ଜନ୍ମରୁ ହିଁ ‘କୋପାର୍ସେନର’(Coparcener) ଅର୍ଥାତ ପୈତୃକ ସମ୍ପତ୍ତିରେ ସମାନ ଅଂଶୀଦାର ବୋଲି ଗଣାଯାନ୍ତି। ସେମାନଙ୍କୁ ପୁଅମାନଙ୍କ ସମାନ ଅଧିକାର ମିଳିଥାଏ। ଏହି ଅଧିକାର ବାପାଙ୍କ ଜୀବନ କାଳ ସୀମିତ ନୁହେଁ, ଅର୍ଥାତ ବାପାଙ୍କ ମୃତ୍ୟୁ ପରେ ମଧ୍ୟ ଝିଅଙ୍କ ଅଧିକାର ବଜାୟ ରହିଥାଏ।
ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ (୨୦୨୦):
୨୦୨୦ ମସିହାରେ ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ ଦେଇଥିଲେ। ଅଦାଲତ କହିଥିଲେ ଯେ, ଝିଅଙ୍କର ପୈତୃକ ସମ୍ପତ୍ତି ଉପରେ ଅଧିକାର ଜନ୍ମରୁ ହିଁ ହୋଇଥାଏ ଏବଂ ଏହା ବାପାଙ୍କ ଜୀବିତ ଥିବା କିମ୍ବା ନ ଥିବା ଉପରେ ନିର୍ଭର କରେ ନାହିଁ। ଅର୍ଥାତ ଯଦି ବାପାଙ୍କ ମୃତ୍ୟୁ ୨୦୦୫ ପୂର୍ବରୁ ହୋଇଥାଏ, ତେବେ ମଧ୍ୟ ଝିଅ ସମ୍ପତ୍ତି ଉପରେ ଅଧିକାର ଦାବି କରିପାରିବେ, ଯଦି ସମ୍ପତ୍ତିର ବଣ୍ଟନ ହୋଇ ନ ଥାଏ।
ଝିଅଙ୍କୁ ମିଳୁଥିବା ଅଧିକାର:
-ପୈତୃକ ସମ୍ପତ୍ତିରେ ପୁଅମାନଙ୍କ ସହିତ ସମାନ ଅଂଶ
-ସମ୍ପତ୍ତିରୁ ହେଉଥିବା ଆୟ ଉପରେ ମଧ୍ୟ ସମାନ ଅଧିକାର
-ବିବାହ ପରେ ମଧ୍ୟ ପୈତୃକ ସମ୍ପତ୍ତି ଅଧିକାର ସମାପ୍ତ ହୁଏ ନାହିଁ
-ବେଟି ନିଜ ଅଂଶର ସମ୍ପତ୍ତିକୁ ବିକ୍ରି, ଦାନ କିମ୍ବା ଉଇଲ କରିପାରନ୍ତି
କାହାକୁ ଏହି ଅଧିକାର ମିଳେ ନାହିଁ?
ମୁସଲିମ, ଖ୍ରୀଷ୍ଟିଆନ ଓ ପାର୍ସୀ ସମ୍ପ୍ରଦାୟର ଲୋକଙ୍କ ଉପରେ ହିନ୍ଦୁ ଉତ୍ତରାଧିକାର ଅଧିନିୟମ ଲାଗୁ ହୁଏ ନାହିଁ।
ଯଦି ଝିଅ ବାପାଙ୍କ ମୃତ୍ୟୁ ପୂର୍ବରୁ ସମ୍ପତ୍ତି ତ୍ୟାଗ କରିଥାନ୍ତି, ତେବେ ସେ ଅଧିକାର ଦାବି କରିପାରିବେ ନାହିଁ।
ଏହି ଆଇନ ପରିବର୍ତ୍ତନ ଭାରତୀୟ ସମାଜରେ ମହିଳାମାନଙ୍କୁ ଆର୍ଥିକ ଓ ସାମାଜିକ ସଶକ୍ତିକରଣ ଦେବାରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ହୋଇଛି।


