ବିଭୀଷିକାର ବ୍ୟବଚ୍ଛେଦ

ଉପେନ୍ଦ୍ର ବିଶ୍ୱାଳ

ସବୁଠି ଆତଙ୍କର ଆସ୍ତରଣ, ବିଭୀଷିକାର ବିତ୍ପାତ। ଏକ ଅନିଶ୍ଚିତ ଭବିଷ୍ୟତର ଆଶଙ୍କା ଦଂଶନ କରୁଛି ସଭିଙ୍କୁ। ଠିକ୍‌ ବର୍ଷକ ତଳେ, ତାଲାବନ୍ଦର ତାଡନାରେ କି ହନ୍ତସନ୍ତ ହେଉ ନ ଥିଲା ଏ ଜୀବନ! ତଥାପି ଆମର ଚେତା ଆସିଲା ନାହିଁ ।
ଆଉ ଦିନ କେଇଟା ଅପେକ୍ଷା କରିଥିଲେ, ସମ୍ପୂର୍ଣ୍ଣ ବିଜୟ ଘୋଷିତ ହୋଇଥାନ୍ତୁ ଆମେ। ମାତ୍ର କଷ୍ଟକର ଏ ଲଢ଼େଇକୁ ଆମେ ଭଣ୍ଡୁର କରିଦେଲୁ ଅପରିଣାମଦର୍ଶୀ ହୋଇ। ମାତିଗଲୁ ଉତ୍ସବ ପାଳନରେ। ଭୁଲିଗଲୁ ଭୂତାଣୁର ସେ ବିଭୀଷିକାକୁ। ଅଧିକ ବଳ ଜୁଟାଇ, ଭୟଙ୍କର ରୂପ ନେଇ ପାଲଟା ଆକ୍ରମଣ କଲା। ତା’ର ମୁକାବିଲା କଲାବେଳକୁ, ଆଖି ଆଗରେ ଲୋଟିଯାଉଛି ଅନେକ ଧନ-ଜୀବନ। ଗୋଟିଏ ଦେଶର ପ୍ରଗତି ବା ଦୁର୍ଗତି ଯେତିକି ନିର୍ଭର ନ କରେ ଶାସନ ଖସଡ଼ା ଉପରେ, ତତୋଽଧିକ ନିର୍ଭର କରେ ଲୋକାଚାର ଓ ଲୋକସଂକଳ୍ପ ଉପରେ। ଯଦି କେହି ଦେଶ କରୋନା ଜନିତ ଦୁର୍ଗତିରୁ ମୁକୁଳି, ଦମ୍ଭଧରି ଆଜି ଚାଲିବା ଆରମ୍ଭ କରିଛି ତ ତାହା ସମ୍ଭବ ହୋଇପାରିଛି ସେ ଦେଶର ଲୋକଙ୍କ ସଂଯତ ଆଚରଣ, ଦୃଢ଼ ମୁକାବିଲା ମନୋବୃତ୍ତି ଯୋଗୁ। ମାତ୍ର ବିଚିତ୍ର ଏ ଦେଶ ଭାରତ। ଏଠି ଶୃଙ୍ଖଳା ଓ ଅନୁଶାସନ କଥା କହିଲେ, ଥୋକେ ଚିତ୍କାର ଛାଡ଼ନ୍ତି, ବ୍ୟକ୍ତି ସ୍ବାଧୀନତା ଉପରେ ଅଯଥା ହସ୍ତକ୍ଷେପ ବୋଲି ଅଭିଯୋଗ କରି। ସବୁକଥାରେ କେଁ ଖୋଜୁଥିବା ଏପରି ଅଜବ ପ୍ରକୃତିର ଲୋକଙ୍କ ପାଇଁ ଭାରତ ଖୁବ୍‌ ବ୍ୟଥିତ ଆଜି।
ଶୃଙ୍ଖଳିତ ଜୀବନ ପାଇଁ ଏ ମଣିଷ ଯେତିକି କୁଣ୍ଠିତ ସେତିକି ଆତୁର ବିଶୃଙ୍ଖଳାକୁ ବରଣ କରିବାକୁ। ଏଇ ଯେମିତି ହେଲ୍‌ମେଟ ପିନ୍ଧିବା ଘଟଣା। ପ୍ରାଣରକ୍ଷା ଅପେକ୍ଷା ପୋଲିସର ଭୟ ହିଁ ଆମକୁ ବାଧ୍ୟକରେ ହେଲମେଟ ପିନ୍ଧିବାକୁ। ସେମିତି ବି ମାସ୍କ ଯଦି ପିନ୍ଧୁଛୁ, ତେବେ ଜରିମାନା ଡରରେ। ତାହା ବି ଥୋଡ଼ ତଳକୁ। ପୋଲିସକୁ ଦେଖିଲାକ୍ଷଣି ମାସ୍କକୁ ଉଠାଇ ମୁହଁକୁ ଢାଙ୍କିଥାଉ। ଅର୍ଥାତ ବିନା ଲଗାମରେ, ବିନା ଛାଟରେ ଆମେମାନେ ବାଟକୁ ଆସୁନା। ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଥିବା ଗତ ସପ୍ତାହର ଘଟଣାଟିଏ। ବିନା ମାସ୍କରେ ଗାଡ଼ିରେ ବସି ଯାଉଥିବା ଯୁବ ଦମ୍ପତିଙ୍କୁ ପୋଲିସ ଯେବେ ଅଟକାଇବାକୁ ପ୍ରୟାସ କରିଛି, ଦୁହେଁ ଝାମ୍ପି ଉଠିଲେ ପୋଲିସ ଉପରେ। ସେଇଠି ଦେଖିବାକୁ ମିଳିଲା ଉତ୍‌କ୍ଷିପ୍ତ ଯୁବତୀଙ୍କ ଉଦ୍ଦଣ୍ଡ ତାମସା। ପରବର୍ତ୍ତୀ ସମୟରେ ଉଦ୍‌ଭ୍ରାନ୍ତ ଦମ୍ପତିଙ୍କୁ ପାନେ ଦେବାକୁ ଯାଇ ପୋଲିସ ଅବଶ୍ୟ ସେମାନଙ୍କୁ ଗିରଫ କରିଥିବାର ଖବର ପ୍ରକାଶ ପାଇଥିଲା। ଗାଡ଼ି ଭିତରେ ମାସ୍କ ନ ପିନ୍ଧିବାଟା ଯେ ଏକ ଗୁରୁତର ଅପରାଧ, ତାହା ନୁହେଁ। ଏଇଠି ପ୍ରଶ୍ନ ଉଠେ ଆଇନ ପ୍ରତି ଆମର ସମ୍ମାନ, ସଚେତନତା ଓ ସତର୍କପଣିଆ ଉପରେ। ଘରୁ ଗୋଡ଼ କାଢ଼ିଲାକ୍ଷଣି ମାସ୍କ ଅତ୍ୟନ୍ତ ଅପରିହାର୍ଯ୍ୟ। ପୁଣି ଗାଡ଼ିରେ ବାହାରିଛୁ ମାନେ, କେଉଁଠି ନା କେଉଁଠି କାହାକୁ ନା କାହାକୁ ଭେଟିବୁ। ଏଣୁ କାହିଁକି ଆମେ ମାସ୍କ ବ୍ୟବହାର କରିବୁ ନାହିଁ? ମାସ୍କର ବୋଝ କ’ଣ ଏତେ ବେଶି ଯେ ତାକୁ ବୋହିବାକୁ ଆମେ ଅକ୍ଷମ? ଆଇନକୁ ଅସମ୍ମାନ କରିବା ହେଉଛି ଏକ ପ୍ରକାର ପାଗଳାମି, ଉଦ୍ଧତ ଆଚରଣ।
ବିପତ୍ତି ବିରୋଧରେ ଲଢ଼ିବା ଅପେକ୍ଷା ତା’ ଠାରୁ ଦୂରେଇ ରହିବା ଶ୍ରେୟସ୍କର। କିନ୍ତୁ ସ୍ବଚ୍ଛତା ପ୍ରତି ଆମର ଆଗ୍ରହ ବଢ଼ୁନାହିଁ। ବରଂ କୁପ୍ରବୃତ୍ତିକୁ କୁଣ୍ଢାଇ ଧରିଛୁ। ‘ଗୋମୁଖ’ରୁ ଗଙ୍ଗାର ସ୍ବଚ୍ଛ ପିତ୍ରଧାର ଝରି ଆସିଲା ପରି ଆମର ଲୋହିତ ଶ୍ରୀମୁଖରୁ ନିର୍ଗତ ରଙ୍ଗିନ ଝରକୁ ଆମେ ସେମିତି ଅବତରଣ କରାଉ ଗଳିଠୁ ଗହଳି, ସହର, ବଜାର, ରାସ୍ତାଘାଟମାନଙ୍କରେ। ସତେଯେମିତି ଗଙ୍ଗାଜଳ ପରି ଆମର ଛେପ-ଖଙ୍କାର ଖୁବ୍‌ ପବିତ୍ର ଓ ଜୀବାଣୁନାଶକ। ଏହା କ’ଣ ଭୂତାଣୁର ବାହକ ନୁହେଁ କି?
ଭାକ୍ସିନ ହେଉଛି ଭୂତାଣୁ ପାଇଁ ରାମବାଣ ସଦୃଶ ବୋଲି ‘ହୁ’ ଘୋଷଣା କରି ସାରିଛି। ଗତ ଜାନୁୟାରୀ ମଧ୍ୟଭାଗରୁ ଦେଶରେ ଯେବେ ଟିକାକରଣ ଅଭିଯାନ ଆରମ୍ଭ ହେଲା, ଏହାକୁ ନେଇ ନାନା ତୁମ୍ବିତୋଫାନ ହେଲା। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ସମେତ ସାରା ବିଶ୍ୱ ଯେତେବେଳେ ଭାରତର ଏ ଅଭିଯାନକୁ ଅଭିନନ୍ଦନ ଜଣାଉଥିଲେ, ସେତେବେଳେ କେନ୍ଦ୍ର ସରକାରଙ୍କୁ ନିଶାଣକରି ଟିକାର ସଫଳତା ଉପରେ ନାନାଦି ପ୍ରଶ୍ନ ଉଠାଇଲେ କିଛି ନ୍ୟସ୍ତସ୍ବାର୍ଥ ଗୋଷ୍ଠୀ। ଏହାଦ୍ୱାରା ଟିକା ନିର୍ମାଣରେ ସମ୍ପୃକ୍ତ ବୈଜ୍ଞାନିକ, ନିର୍ମାତାମାନଙ୍କର ନିଷ୍ଠା ତଥା ଦେଶପ୍ରୀତି ପ୍ରତି ଅଙ୍ଗୁଳି ଉଠାଇ ଅପମାନିତ କଲୁ। ଠିକ୍‌ ପରୀକ୍ଷଣ ହୋଇ ନଥିବାରୁ ପାର୍ଶ୍ୱ ପ୍ରତିକ୍ରିୟା ଆଦି ମିଥ୍ୟ ଓ ମନଗଢ଼ା କାହାଣୀ କହି ଜନମାନସକୁ ଭ୍ରମିତ କରିବାକୁ ଚେଷ୍ଟା କଲୁ। ଫଳତଃ ଟିକା ନେବାକୁ ଲୋକଙ୍କୁ ନିରୁତ୍ସାହିତ କରାହେଲା। ଅର୍ଥାତ ପରୋକ୍ଷରେ ଭୂତାଣୁର କାୟା ବିସ୍ତାରରେ ଆମେ ସହାୟକ ହେଲୁ।
ଏବେ ଆସିବା ନିର୍ବାଚନ କ୍ଷେତ୍ରକୁ। ବହୁଚର୍ଚ୍ଚିତ ବେଙ୍ଗଲ ନିର୍ବାଚନ ସଭିଙ୍କ ପାଇଁ ଆଜି ଆତଙ୍କର କାରଣ ସାଜିଛି। ଦ୍ୱିତୀୟ ଲହରର ସଂକ୍ରମଣ ସମ୍ବନ୍ଧେ କେନ୍ଦ୍ର ସରକାର ଅନୁମାନ ଲଗାଇ ପାରି ନଥିଲେ କି ଆକଳନ ବି କରି ପାରି ନଥିଲେ। ଅର୍ଥାତ ସରକାର ସମ୍ପୂର୍ଣ୍ଣ ଅପ୍ରସ୍ତୁତ ଥିଲେ, ଯାହାକି ଅତ୍ୟନ୍ତ ନମ୍ରତାର ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବୀକାର କରିଛନ୍ତି। ଆଉ ଏକପ୍ରକାର ମହତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି, ନିଜ ପ୍ରତି ଅଜ୍ଞତା ଓ ଅବଜ୍ଞାଭାବ। କରୋନା କାଳରେ ଯୋଗ, ପ୍ରାଣାୟାମ, ପୂଜା, ପ୍ରାର୍ଥନା, ପ୍ରାକୃତିକ ଉପଚାର ତଥା ଆୟୁର୍ବେଦ ଏବଂ ଭାରତର ସରଳ ଜୀବନ ଦର୍ଶନକୁ ପାଶ୍ଚାତ୍ୟ ଜଗତ ଅଧିକ ଆପଣାଇଲା।
ଏପରିସ୍ଥଳେ ଆମେ ଆମ ନିଜକୁ କେତେ ଚିହ୍ନିଛୁ, କେତେ ଜାଣିଛୁ? ପ୍ରସଙ୍ଗକ୍ରମେ ଏଠାରେ ଉଲ୍ଲେଖ କରିବା ଉଚିତ ହେବ ଯେ ଆମ ଜୀବନଶୈଳୀ ସମ୍ବନ୍ଧେ ଗବେଷଣା କରି ପାଶ୍ଚାତ୍ୟବାସୀ ଗୋଟେ ପରେ ଗୋଟେ ନୋବେଲ ସମ୍ମାନ ସାଉଁଟି ଚାଲିଛନ୍ତି। ଦୁଇ ଦଶନ୍ଧି ପୂର୍ବେ ବାବା ରାମଦେବ ଓ ତାଙ୍କ ସଂଗଠନ ଦ୍ୱାରା ଯୋଗ ଓ ପ୍ରାଣାୟାମ ସମ୍ବନ୍ଧେ ଯେବେ ଦ୍ରୁତ ପ୍ରଚାର ଓ ପ୍ରସାର ହେବାକୁ ଲାଗିଲା, ସେତେବେଳେ ଏ ସମ୍ବନ୍ଧେ ଅଧିକରୁ ଅଧିକ ଗବେଷଣା ବଢ଼ି ଚାଲିଲା। ଅନେକଙ୍କ ଭିତରୁ ପ୍ରଫେସର ଜେ. ଆଇ. ଲୁଇସ (କାଲିଫର୍ନିଆ ବିଶ୍ୱବିଦ୍ୟାଳୟ) ଅନ୍ୟତମ, ଯିଏକି ୧୯୯୮ରେ ନୋବେଲ ପୁରସ୍କାର ପାଇଥିଲେ। ତାଙ୍କ ମତରେ ଆମ ଶରୀରରେ ସ୍ବତଃ ଉତ୍ପନ୍ନ ହେଉଥିବା ନାଇଟ୍ରିକ ଅକ୍ସାଇଡ଼, ଯାହାକି ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହିତ ରକ୍ତ ସଞ୍ଚାଳନ, ହୃଦ୍‌ଯନ୍ତ୍ର ଓ ଫୁସ୍‌ଫୁସ୍‌ର କାର୍ଯ୍ୟ ଦକ୍ଷତା ବୃଦ୍ଧିରେ ସହାୟକ ହୁଏ, ତାହା ଅଧିକ ପରିମାଣରେ ସୃଷ୍ଟି ହୁଏ ଓଁକାର ଧ୍ୱନି ଓ ଭ୍ରାମରୀ ପ୍ରାଣାୟାମ ଦ୍ୱାରା। ଗବେଷଣାର ତଥ୍ୟ ଅନୁଯାୟୀ ଜଣେ ବ୍ୟକ୍ତି ଅନ୍ତତଃ ଚାରିଥର ଭ୍ରାମରୀ ଓ ଧ୍ୟାନସ୍ଥ ମୁଦ୍ରାରେ ଚାରିଥର ଓଁକାର ମନ୍ତ୍ର ଠିକ୍‌ ଡଙ୍ଗରେ ଚାରିଦିନ ଉଚ୍ଚାରଣ କଲେ, ଉତ୍ପନ୍ନ ନାଇଟ୍ରିକ ଅକ୍ସାଇଡ଼ ଶରୀର ଭିତରେ ଥିବା ଭୂତାଣୁକୁ ବିନାଶ କରିବାରେ ସକ୍ଷମ ହୁଏ। ଏହାକୁ ପାଥେୟ କରି କାନାଡ଼ାର ଏକ କମ୍ପାନୀ (Sanotised) ଆଜିର ଏହି ସଙ୍କଟ କାଳରେ ନାଇଟ୍ରିକ ଅକ୍ସାଇଡ଼ ଯୁକ୍ତ Nasal drop ବାହାର କରିଛନ୍ତି। ନାକ ରନ୍ଧ୍ରରେ କେଇ ବୁନ୍ଦା ପକାଇଲେ ତାହା ଭୂତାଣୁକୁ ମାରିବାରେ ବେଶ୍‌ ସହାୟକ ହେଉଥିବାର ଜଣାଯାଇଛି, ଯାହାକୁ ବ୍ରିଟେନର ଏକ ନିଦାନିକ ଗବେଷଣା କେନ୍ଦ୍ର ମଧ୍ୟ ଅନୁମୋଦନ କରିଛି। ପାଶ୍ଚାତ୍ୟରେ ଏହାର ଚାହିଦା ଏବେ ଖୁବ୍‌ ବଢ଼ି ଚାଲିଛି । ଏପରି ଜଟିଳ ପରିସ୍ଥିତିରେ ଯୋଗ, ପ୍ରାଣାୟାମ ଯେ କେତେ ଜରୁରୀ, ଆମେ ଭାରତୀୟମାନେ ଯେତିକି ବୁଝିବା କଥା, ସେତିକି ବୁଝିବାକୁ ଅସମର୍ଥ ଆଜି । ଆମର ନିଜ ପ୍ରତି ଏମିତି ଅବଜ୍ଞାଭାବ ଭୂତାଣୁ ବିସ୍ତାର ପାଇଁ ସୁଯୋଗ ଦେଉନାହିଁ କି? ସତର୍କ ସମାଜ, ସୁରକ୍ଷିତ ଦେଶ।
ଗୋଦିଶୁଳ, ସଜନାଗଡ଼, ବାଲେଶ୍ୱର
ମୋ :୯୪୩୭୪୩୬୦୭୩
unbiswal05@gmail.com


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri