ବେତନଟୀ ତହସିଲ ଅଫିସରେ ଅବ୍ୟବସ୍ଥା

ବୈଶିଙ୍ଗା,୬।୮(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବେତନଟୀ ତହସିଲରେ ତହସିଲଦାର ଓ ଅତିରିକ୍ତ ତହସିଲଦାର ପଦବୀ ଗତ ଅକ୍ଟୋବର ମାସରୁ ଖାଲି ପଡ଼ିଛି। ଦୁଇ ଅତିରିକ୍ତ ତହସିଲଦାର ଓ ୩୦ରୁ ଅଧିକ କର୍ମଚାରୀଙ୍କ ଆବଶ୍ୟକତା ଥିବା ବେଳେ ମାତ୍ର ଜଣେ ଅତିରିକ୍ତ ତହସିଲଦାର ଓ ଦୁଇ ତୃତୀୟାଂଶ କର୍ମଚାରୀ କାର୍ଯ୍ୟ କରୁଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ପୁରୁଣିଆ, ଖୁଣ୍ଟାପୁର, ଗଡ଼ଦେଉଳିଆ, ବୈଶିଙ୍ଗା, ପାଟଳିପୁରା, ମେରଦା, ହରିପୁର, ବ୍ରହ୍ମପୁରା,ଦହିକୋଟି, କୃଷ୍ଣଚନ୍ଦ୍ରପୁର ଓ ବେତନଟୀ ଆର.ଆଇ ସର୍କଲକୁ ନେଇ ଗଠନ ହୋଇଛି ଏହି ତହସିଲ କାର୍ଯ୍ୟାଳୟ। ଦୀର୍ଘ ଦିନ ଧରି ଫାଇଲ ପଡ଼ି ରହୁଥିବା ବେଳେ ଜାତି, ରୋଜଗାର ପ୍ରମାଣପତ୍ର ଏବଂ ଜମିଜମା ସଂକ୍ରାନ୍ତୀୟ କାଗଜପତ୍ର ପାଇଁ ଆବେଦନ କରିଥିଲେ ହେଁ ତହସିଲ ଅଫିସ ଧାଇଁ ଧାଇଁ ଲୋକେ ନୟାନ୍ତ ହୋଇ ପଡ଼ୁଛନ୍ତି। ଜନସାଧାରଣଙ୍କ କାଗଜପତ୍ର ସମେତ ସରକାରୀ କାର୍ଯ୍ୟ କରିବା ଜଣେ ମାତ୍ର ଅତିରିକ୍ତ ତହସିଲଦାରଙ୍କ ପକ୍ଷେ ସମ୍ଭବ ନୁହେଁ। ଗତ ଅକ୍ଟୋବର ମାସରେ ତହସିଲଦାର ଭାବେ କାର୍ଯ୍ୟ କରୁଥିବା ସଂଗ୍ରାମ କେଶରୀ ପରିଡ଼ାଙ୍କୁ ବେତନଟୀ ବ୍ଲକ ଉନ୍ନୟନ ଅଧିକାରୀ ଭାବେ ଦାୟିତ୍ୱ ଦିଆଗଲା। ସେବେଠାରୁ ଦୀର୍ଘ ୧୦ମାସ ଧରି ସେ ଏକାଦିକ୍ରମେ ବିଡିଓ ଏବଂ ତହସିଲଦାର ଭାବେ କାର୍ଯ୍ୟଭାର ତୁଲାଇ ଆସୁଛନ୍ତି। ଯାହା ଫଳରେ ଦୁଇଟି ଯାକ ବିଭାଗରେ କାର୍ଯ୍ୟ ଧିମା ଅବସ୍ଥାରେ ଚାଲିଛି। ସରକାରଙ୍କ ଟାଳଟୁଳ ନୀତି ଯୋଗୁ ଲୋକେ ନାହିଁ ନ ଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବା ବେଳେ ସରକାରଙ୍କ ତହବିଲକୁ ଆସିବାକୁ ଥିବା ବାଲି, ମାଟି ଓ ମୋରମ ଭଳି ଲଘୁ ଖଣିଜ ସମ୍ପଦରୁ ବ୍ୟାପକ ରାଜସ୍ବ ବାଟମାରଣା ହେଉଥିବା ଲକ୍ଷ୍ୟ କରାଯାଉଛି। ଅନ୍ୟପକ୍ଷରେ ଇଟାଭାଟି ଓ କ୍ରସର୍‌ ୟୁନିଟଗୁଡ଼ିକ ପ୍ରତିବର୍ଷ ସେମାନଙ୍କୁ ଦିଆ ଯାଇଥିବା ପଲ୍ୟୁସନ ଲାଇସେନ୍ସ ନବୀକରଣ ନ କରି ଆଇନ ଉଲ୍ଲଂଘନ କରୁଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କଲେ ମଧ୍ୟ ସୀମିତ କର୍ମଚାରୀଙ୍କୁ ନେଇ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସମ୍ଭବ ହେଉନାହିଁ। ରାଜସ୍ବ ବିଭାଗ ୫-ଟିରେ ଅନ୍ତର୍ଭୁକ୍ତ ହୋଇଥିଲେ ମଧ୍ୟ ଅବହେଳା ଯୋଗୁ ଲୋକେ ଉପଯୁକ୍ତ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ସରକାର ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।