ବରଗଡ଼,୩୦।୪(ପ୍ରେମାନନ୍ଦ ଖମାରୀ)- ଓଡ଼ିଶା ମାଇନିଂ କର୍ପୋରେସନ ଏବଂ ଇସ୍ପାତ ଓ ଖଣି ବିଭାଗର ପରିଚାଳନା ନିର୍ଦ୍ଦେଶକ ତଥା ବରଗଡ଼ ଜିଲା ନୋଡାଲ ଅଧିକାରୀ ସୁଧାଂଶୁ ମୋହନ ସାମଲ ଗୁରୁବାର ୨ଦିନିଆ ବରଗଡ ଜିଲା ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ,କୃଷିକ୍ଷେତ୍ର, ଶିକ୍ଷାନୁଷ୍ଠାନ, ଚିକିତ୍ସାଳୟ ଆଦି ପରିଭ୍ରମଣ କରିବା ସହ ସମସ୍ତ ଜିଲାସ୍ତରୀୟ ଅଧିକାରୀଙ୍କ କାର୍ଯ୍ୟ ସମୀକ୍ଷା କରିଛନ୍ତି । ଗସ୍ତର ପ୍ରଥମ ଦିନରେ ସେ ଗୋଡ଼ଭଗା ଜନତା ହାଇସ୍କୁଲ ଠାରେ ବିକଶିତ ଗାଁ ବିକଶିତ ଓଡିଶା ଯୋଜନା ଅଧୀନରେ ଚାଲିଥିବା ଏକ ପ୍ରକଳ୍ପର ପରିଦର୍ଶନ ସହ ଚକୁଳି ଓ ସାରଣ୍ଡା ଅଞ୍ଚଳ ପରିଭ୍ରମଣ କରି ଧନଞ୍ଜୟ ମହାପାତ୍ରଙ୍କ ମଧ୍ୟମ ଇଣ୍ଟିଗ୍ରେଟେଡ୍ ଫାର୍ମିଂ ସିଷ୍ଟମ ଇଉନିଟ୍ ପରିଦର୍ଶନ କରିବା ପରେ ଅତାବିରା ବ୍ଲକ୍ ଅନ୍ତର୍ଗତ ଭାଲୁପାଲି ଗ୍ରାମର ରଞ୍ଜନ କୁମାର ପ୍ରଧାନଙ୍କ ଗୋପାଳନ ୟୁନିଟ୍ ପରିଦର୍ଶନ କରିଥିଲେ।
ଏହାପରେ ତୁରୁଙ୍ଗାସ୍ଥିତ ଗଙ୍ଗାଧର ମେହେର ଉଠା ଜଳ ସେଚନ ପ୍ରକଳ୍ପ ଏବଂ ଭଟଲି ବ୍ଳକ ନୂଆପାଲି ଗ୍ରାମର ରସାନନ୍ଦ ସାହୁଙ୍କ ପାମ ଓଏଲ କୃଷି କ୍ଷେତ୍ର ପରିଦର୍ଶନ କରିଥିଲେ। କ୍ଷେତ୍ର ପରିଦର୍ଶନ ପରେ ସେ ଅମ୍ବାପାଲି ସର୍କିଟ୍ ହାଉସସ୍ଥିତ ସମ୍ମିଳନୀ କକ୍ଷରେ ସମସ୍ତ ଜିଲାସ୍ତରୀୟ ଅଧିକାରୀଙ୍କ କାର୍ଯ୍ୟ ସମୀକ୍ଷା କରିଥିଲେ । ଏହା ସହିତ ଜିଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ତଥା ସରକାରୀ ଯୋଜନାର କାର୍ଯ୍ୟନ୍ୱୟନ ତଥା ପଞ୍ଚାୟତିରାଜ, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ଯୋଗାଣ, ମହିଳା ଓ ଶିଶୁ ବିକାଶ ବିଭାଗ, ଜଳସେଚନ, ଟିପିଡ଼ବ୍ଲୁଓଡ଼ିଏଲ, ରାସ୍ତା ଏବଂ କୋଠାବାଡ଼ି ନିର୍ମାଣ, ଗ୍ରାମ୍ୟ ଉନ୍ନୟନ ଏବଂ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗର ପ୍ରମୁଖ ସମସ୍ୟା ଗୁଡିକୁ ପଚାରି ବୁଝିବା ପରେ ଜିଲାର ସମସ୍ତ ଅଙ୍ଗନବାଡି, ବିଦ୍ୟାଳୟ ଏବଂ ଆବାସିକ ବିଦ୍ୟାଳୟରେ ପିଲାଙ୍କୁ ସଠିକ ଯତ୍ନ ସହ ମଧ୍ୟାହ୍ନ ଭୋଜନ ଖାଇବା ନିୟମାନୁଯାୟୀ ଦେବା ପାଇଁ ଆଦେଶ ଦେଇଥିଲେ ।