ପୁରୁଷୋତ୍ତମପୁର, ୧୩।୭ (ସବିତା ମିଶ୍ର): ଗଞ୍ଜାମ ଜିଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ସୋମବାର ପୁରୁଷୋତ୍ତମପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।
ଏହି ଶିବିରରେ ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲା ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ସମୀର କୁମାର ଯେନା, ଗଞ୍ଜାମ ଏସ୍ପି ହରିଶ ବିଶି, ଅତିରିକ୍ତ ଜିଲାପାଳ ସଚ୍ଚିଦାନନ୍ଦ ନାୟକ, ଛତ୍ରପୁର ଉପଜିଲାପାଳ ଡ଼. ଶିବାଶିଷ ବରାଳ, ତହସିଲଦାର ବିନୋଦ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ପ୍ରକାରର ୨୪୯ଟି ଅଭିଯୋଗର ଶୁଣାଣି କରିଥିଲେ।ମୋଟ ଅଭିଯୋଗ ମଧ୍ୟରୁ ୨୦୯ଟି ବ୍ୟକ୍ତିଗତ ଏବଂ ୪୦ଟି ସାମୂହିକ ଅଭିଯୋଗ ଥିଲା। ଏହି ଅବସରରେ ରେଡ୍କ୍ରସ୍ ପାଣ୍ଠିରୁ ୭ ଜଣ ଦୁଃସ୍ଥ ବ୍ୟକ୍ତିଙ୍କୁ ୪୫ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା।
ଶୁଣାଣି ସମୟରେ ସାମାଜିକ କର୍ମୀ ବିନାୟକ ଆଚାର୍ଯ୍ୟ ହାଣ୍ଡିଘର–ତାରାତାରିଣୀ ବ୍ରିଜ ପାର୍ଶ୍ୱରେ ବଡ଼ ବଡ଼ ଖାଲ ଥିବା ସତ୍ତ୍ୱେ ସୁରକ୍ଷା ପ୍ରାଚୀର (ପ୍ରୋଟେକ୍ସନ ୱାଲ୍) ନିର୍ମାଣ ହୋଇ ନ ଥିବାରୁ ସ୍ଥାନୀୟ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ଯାତାୟାତ ବିପଦପୂର୍ଣ୍ଣ ହୋଇପଡ଼ିଥିବା ଅଭିଯୋଗ କରି ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଥିଲେ।
ସେହିପରି ପୁରୁଷୋତ୍ତମପୁର ଏନ୍ଏସି ଅନ୍ତର୍ଗତ ସୀତାରାମପୁର ଆଗ୍ରାହାରମ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ଦୂର କରିବା ପାଇଁ ଅଭିଭାବକମାନେ ଶିକ୍ଷକ ନିଯୁକ୍ତି ଦାବି କରିଥିଲେ।
ଅନ୍ୟପକ୍ଷରେ, ପୁରୁଷୋତ୍ତମପୁର ଏନ୍ଏସିର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମାପ୍ତ କରିଥିଲେ ମଧ୍ୟ ଦୀର୍ଘଦିନ ଧରି ଠିକାଦାରମାନଙ୍କ ବିଲ୍ ପ୍ରଦାନ କରାଯାଉ ନ ଥିବା ଅଭିଯୋଗ ଉଠିଥିଲା। ବାରମ୍ବାର ଅଭିଯୋଗ ସତ୍ତ୍ୱେ ସମାଧାନ ନ ହେବାରୁ ସେମାନେ ଯଥାଶୀଘ୍ର ବକେୟା ବିଲ୍ ପ୍ରଦାନ କରିବାକୁ ଦାବି କରିଥିଲେ। ସମସ୍ତ ଅଭିଯୋଗର ଶୁଣାଣି ପରେ ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଯେନା ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ତୁରନ୍ତ ଅଭିଯୋଗଗୁଡ଼ିକର ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
ଏହି ଶିବିରରେ ବିଡିଓ ଦେବାଶିଷ ସାମଲ, ଏନ୍ଏସି ନିର୍ବାହୀ ଅଧିକାରୀ ସଙ୍ଗୀତା ସେଠୀ, ଆଇଆଇସି କୁଳମଣି ସେଠୀ, ବ୍ଲକ କୃଷି ଅଧିକାରୀ ଶୁଭଦର୍ଶିନୀ ବେହେରାଙ୍କ ସମେତ ଜିଲା ଓ ବ୍ଲକ ସ୍ତରର ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।