ଛତ୍ରପୁର,୧୭ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଜିଲାର ସଦରମହକୁମା ଛତ୍ରପୁର ସହରରେ ବୁଲା କୁକୁର ଓ ମାଙ୍କଡ଼ଙ୍କ ଉପଦ୍ରବ ଦିନକୁ ଦିନ ବଢ଼ୁଥିବା ନେଇ ସାଧାରଣରେ ଉଦ୍ବେଗ ପ୍ରକାଶ ପାଇଛି। ସହରର ବିଭିନ୍ନ ଅଞ୍ଚଳରେ ବୁଲା କୁକୁର ଓ ମାଙ୍କଡ଼ଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ଏହା ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।
ଏନେଇ ୟୁଥ ମାସ ସେବା ସଂଘର ସମ୍ପାଦକ ସୟଦ ମୁକ୍ତାର, ବରିଷ୍ଠ ସମାଜସେବୀ ତଥା କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ ଭାଗିରଥୀ ବେହେରା ଓ ଉଠାଦୋକାନୀ ସଂଘର ନେତା ଇଜୁ ଆମିନ ଖାନଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଗଞ୍ଜାମ ଜିଲାର ଅତିରିକ୍ତ ଜିଲାପାଳ (ସାଧାରଣ) ସଚ୍ଚିଦାନନ୍ଦ ନାୟକଙ୍କୁ ଭେଟିଛନ୍ତି। ପ୍ରତିନିଧି ଦଳ ପକ୍ଷରୁ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଅତିରିକ୍ତ ଜିଲାପାଳ ଙ୍କୁ ପ୍ରଦାନ କରାଯାଇଛି।
ରାସ୍ତାଘାଟରେ ବୁଲା କୁକୁରଙ୍କ ଯୋଗୁ ଯାତାୟାତରେ ବାଧା ସୃଷ୍ଟି ହେବା ସହ ଦୁର୍ଘଟଣାର ଆଶଙ୍କା ରହୁଥିବା ପ୍ରତିନିଧି ଦଳ ଅଭିଯୋଗ କରିଛି। ସେହିପରି ମାଙ୍କଡ଼ଙ୍କ ଉପଦ୍ରବ ଯୋଗୁ ଘର, ବଜାର ଓ ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନରେ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କୁକୁର ଓ ମାଙ୍କଡ଼ କାମୁଡ଼ା ଘଟଣାକୁ ନେଇ ଲୋକଙ୍କ ମଧ୍ୟରେ ଭୟ ମଧ୍ୟ ସୃଷ୍ଟି ହେଉଛି।
ବିଶେଷକରି ବିଦ୍ୟାଳୟ ଓ ଅନ୍ୟାନ୍ୟ ଜନଗହଳିପୂର୍ଣ୍ଣ ସ୍ଥାନରେ ଏଭଳି ପଶୁଙ୍କ ଉପଦ୍ରବ ନିୟନ୍ତ୍ରଣ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରାଯାଇଛି। ବୁଲା କୁକୁରଙ୍କ ନିୟନ୍ତ୍ରଣ ସହ ଆବଶ୍ୟକ ଚିକିତ୍ସା ଓ ଆଶ୍ରୟ ବ୍ୟବସ୍ଥା କରିବା ଏବଂ ମାଙ୍କଡ଼ଙ୍କ ଉପଦ୍ରବ ରୋକିବା ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ଦାବିପତ୍ରରେ ଉଲ୍ଲେଖ ରହିଛି। ସାଧାରଣ ଲୋକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ପ୍ରଶାସନ ଏଦିଗରେ ଶୀଘ୍ର ପଦକ୍ଷେପ ନେଉ ବୋଲି ପ୍ରତିନିଧି ଦଳ ଦାବି କରିଛି।