‘ଘଟଣା ବେଳେ ଡିଏଫ୍‌ଓଙ୍କ କ୍ୱାର୍ଟର୍ସରେ ଥିଲେ ଜିଲାପାଳ’

ପାରଳାଖେମୁଣ୍ଡି, ୧୮ା୮ (ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ର ଜେରା ଜାରି ରହିଛି। ମଙ୍ଗଳବାର ଦୁଇଟି ପର୍ଯ୍ୟାୟରେ ୬ ଜଣଙ୍କୁ ଜେରା କରାଯାଇଥିଲା। ଦ୍ୱିତୀୟ ଦିନର ଜେରାରେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌କୁ କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି। ଏସିଏଫ୍‌ ପୋଡ଼ି ହେବା ସମୟରେ ଡିଏଫ୍‌ଓଙ୍କ କ୍ୱାର୍ଟର୍ସରେ ଗଜପତି ଜିଲାପାଳ ଲିଙ୍ଗରାଜ ପଣ୍ଡା ଥିଲେ ବୋଲି ଜେରାର ସମ୍ମୁଖୀନ ହୋଇଥିବା ମୁଖ୍ୟଫାଟକ ଜଗୁଆଳି ସନ୍ତୋଷ କୁମାର ବିଶ୍ୱାଳ ଗଣମାଧ୍ୟମକୁ କହିଛନ୍ତି। ଆବଶ୍ୟକସ୍ଥଳେ ସେ ଦିଗକୁ ମଧ୍ୟ ଧ୍ୟାନ ଦିଆଯିବ ବୋଲି କ୍ରାଇମ୍‌ବ୍ରାଞ୍ଚ ଡିଏସ୍‌ପି ଜ୍ଞାନ ରଞ୍ଜନ ମିଶ୍ର କହିଛନ୍ତି। କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ପ୍ରଥମେ ପୂର୍ବାହ୍ନ ପ୍ରାୟ ୧୦ଟାରୁ ଡିଏଫ୍‌ଓଙ୍କ କାର୍ଯ୍ୟାଳୟ ମୁଖ୍ୟଫାଟକ ଜଗୁଆଳି ସନ୍ତୋଷ ଓ ଡିଏଫ୍‌ଓଙ୍କ କ୍ୱାର୍ଟର୍ସରେ କାର୍ଯ୍ୟରତ ମାଳୀ ଅଜୟ କୁମାର ବେହେରାଙ୍କୁ ପ୍ରାୟ ୪ ଘଣ୍ଟା ଧରି ଜେରା କରିଥିଲା। ସେମାନେ ଘଟଣାଦିନ ରାତିରେ ବନ ବିଭାଗର କାର୍ଯ୍ୟାଳୟ ପରିସର ମଧ୍ୟରେ କେଉଁମାନେ ଉପସ୍ଥିତ ଥିଲେ ଓ କ’ଣ ସବୁ ଘଟିଥିଲା ତାହାର ସବିଶେଷ ତଥ୍ୟ କ୍ରାଇମବ୍ରାଞ୍ଚ ସମ୍ମୁଖରେ କହିଛନ୍ତି। ଦ୍ୱିତୀୟ ପର୍ଯ୍ୟାୟରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ସୌମ୍ୟଙ୍କୁ ନେଇଥିବା ଆମ୍ବୁଲାନ୍ସର ଡ୍ରାଇଭର ଦୟାନିଧି ଶବର, ତାଙ୍କ ସହଯୋଗୀ ଭଗବାନ ଭୂୟାଁ, ଫାର୍ମାସିଷ୍ଟ ପି. ସୁରେଶ ଏବଂ ଜିପିଏସ୍‌ କ୍ଲଷ୍ଟର କୋ-ଅର୍ଡିନେଟର ପ୍ରଦୀପ କୁମାର ରାମଙ୍କୁ ମାରାଥନ ଜେରା କରିଛି। ସୌମ୍ୟଙ୍କୁ କଟକ ନେବାକୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରୁ କେତେବେଳେ ଆମ୍ବୁଲାନ୍ସ ବାହାରିଥିଲା, ବାଟରେ କେଉଁ କେଉଁ ସ୍ଥାନରେ ଅଟକିଥିଲା ଓ ଡିଏଫ୍‌ଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ କାହା ନିର୍ଦ୍ଦେଶରେ ଆମ୍ବୁଲାନ୍ସ ଅଟକିଥିଲା ଏବଂ କଟକ ଯିବାପାଇଁ କେତେ ସମୟ ଲାଗିଥିଲା ଏଭଳି ସମସ୍ତ ପ୍ରଶ୍ନ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ପଚରାଯାଇଥିବା କ୍ରାଇମବ୍ରାଞ୍ଚ ଅଧିକାରୀ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଗତ ଶନିବାରଠାରୁ କ୍ରାଇମ୍‌ବ୍ରାଞ୍ଚ ଏସିଏଫ୍‌ ମୃତ୍ୟୁ ଘଟଣାର ତଦନ୍ତ ଭାର ନେଇଛି। କ୍ରାଇମବ୍ରାଞ୍ଚ ଟିମ୍‌ର ତଦନ୍ତ ୪ ଦିନରେ ପହଞ୍ଚିଛି। ସୋମବାର ସୌମ୍ୟଙ୍କ ଦୁଇ ସହକର୍ମୀ ଏସିଏଫ୍‌, ରୋଷେୟା ଓ ଫାଟକ ଜଗୁଆଳି ସନ୍ତୋଷଙ୍କୁ ଜେରା କରାଯାଇଥିଲା।