ନିୟମଗିରି ଦୁର୍ଗମ ଅଞ୍ଚଳରେ ଲୋକଙ୍କ ସମସ୍ୟା ବୁଝିଲେ ଜିଲାପାଳ

କଲ୍ୟାଣସିଂହପୁର,୧୪।୪ (ଦୀପକ କୁମାର ପରିଡା): ରାୟଗଡା ଜିଲାପାଳ ଆଶୁତୋଷ କୁଲକର୍ଣ୍ଣି ସୋମବାର କଲ୍ୟାଣସିଂହପୁର ବ୍ଲକ୍‌ ପାର୍ସଲି ପଞ୍ଚାୟତର ନିୟମଗିରି ପାହାଡ଼ରେ ଥିବା ଦୁର୍ଗମ ଅଞ୍ଚଳ ପରିଦର୍ଶନ କରି ଲୋକଙ୍କ ସମସ୍ୟା ବୁଝିଛନ୍ତି। ନିୟମଗିରି ପାହାଡ଼ର ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଆଦିମ ଜନଜାତି ଡଙ୍ଗରିଆ କନ୍ଧଙ୍କ ସୁବିଧା ଅସୁବିଧା ଉପରେ ବୁଝିବା ସହ ସମସ୍ତ ସରକାରୀ ଯୋଜନା ମିଳୁଛି ନା ନାହିଁ ସେ ସମ୍ପର୍କରେ ପଚାରି ବୁଝିଥିଲେ।
ଜିଲାପାଳ କୁଲକର୍ଣ୍ଣି ସୋମବାର ପୂର୍ବାହ୍ନ ୧୧ଟା ୩୦ରେ ନିୟମଗିରି ଅଞ୍ଚଳରେ ପହଞ୍ଚତ୍ ଥିଲେ। ପ୍ରଥମେ ସେ ପାର୍ସଲି ପଞ୍ଚାୟତରେ ନୂଆ କରି ନିର୍ମାଣ ହୋଇଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଥିଲେ । କାମର ଅଗ୍ରଗତି ଦେଖିବା ସହ ଅବ୍ୟବସ୍ତା ଦେଖି କର୍ମଚାରୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ । ପରେ ଫାକେରି ଗାଁକୁ ଯାଇ ଜନମନ ଯୋଜନାରେ ଚାଲୁଥିବା ଆବାସ ଗୃହ ନିର୍ମାଣ କାର୍ଯ୍ୟ ତଦାରଖ କରିବା ସହ ଅଙ୍ଗନୱାଡି, ମାତୃ ଶିଶୁ ପୋଷଣ କେନ୍ଦ୍ରରେ କିଛି ପିଲାଙ୍କୁ ପୋଷାକ ଓ ଚପଲ ବଣ୍ଟନ କରିଥିଲେ। ନିୟମଗିରି ଅଞ୍ଚଳରେ ସମସ୍ତ ଗାଁକୁ କିପରି ପକ୍କା ରାସ୍ତା, ବିଜୁଳି ଓ ମୋବାଇଲ ନେଟ୍‌ୱର୍କ ସୁବିଧା ପହଞ୍ଚତ୍ପାରିବ ସେ ଉପରେ ବିଶେଷ ଗୁରୁତ୍ୱ ଦେଇଥିଲେ। ଜିଲାପାଳଙ୍କ ସହ ଉପ ଜିଲାପାଳ ରମେଶ ଜେନା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୀଷା ଦାସ, ଡଙ୍ଗରିଆ କନ୍ଧ ଉନ୍ନୟନ ଅଧିକାରୀ ସୁରଜ କୁମାର ନାୟକ, ପଞ୍ଚାୟତ ନିର୍ବାହ ଅଧିକାରୀ ହରି ମହାନଦିୟାଙ୍କ ସହ କଲ୍ୟାଣସିଂହପୁର ବ୍ଲକ୍‌ର ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିଥିଲେ।

Dharitri – Odisha’s No.1 Odia Daily

Share